ଧନୀ ବ୍ୟକ୍ତିଙ୍କୁ ସମ୍ପତ୍ତି ଜବତ ଭୟ: ଦୁବାଇ, ସିଙ୍ଗାପୁରକୁ ପଠାଉଛନ୍ତି ଟଙ୍କା

ଫ୍ୟାମିଲି ଟ୍ରଷ୍ଟ୍‌ ଗଠନ କରୁଛନ୍ତି, ବିଦେଶୀ ନାଗରିକତା ପାଇଁ ଆବେଦନ

ମୁମ୍ବାଇ: ଦେଶର ଧନୀ ବ୍ୟକ୍ତିମାନେ ନିଜ ସମ୍ପତ୍ତିକୁ ନେଇ ବେଶ୍‌ ଚିନ୍ତିତ ହୋଇପଡ଼ିଛନ୍ତି। ସରକାରୀ ଏଜେନ୍ସିଗୁଡ଼ିକର ଚାପରୁ ଦୂରେଇ ରହିବା ଲାଗି ସେମାନେ ନିଜ ସମ୍ପତ୍ତିକୁ ଦେଶ ବାହାରକୁ ପଠାଇବା ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ଟିକସ ଠକେଇ କରିବା ଲାଗି ଭାରତୀୟମାନେ ସ୍ବିସ୍‌ ବ୍ୟାଙ୍କକୁ କଳା ଟଙ୍କା ଜମା କରିବା ଲାଗି ବ୍ୟବହାର କରୁଥିଲେ। ମାତ୍ର ସ୍ବିସ୍‌ ବ୍ୟାଙ୍କ ନିୟମ କଡ଼ାକଡ଼ି ହୋଇଯିବା ପରେ ସେମାନେ ନୂଆ ଠିକଣା ଖୋଜିସାରିଲେଣି ଏବଂ ସେହି ସବୁ ସ୍ଥାନକୁ ନିଜର ସମ୍ପତ୍ତି ପଠାଇବା ଆରମ୍ଭ କରିଦେଇଛନ୍ତି। ଦେଶର ଧନୀ ବ୍ୟକ୍ତିମାନେ ଏବେ ମାଲ୍‌ଟା, ଦୁବାଇ ଓ ସିଙ୍ଗାପୁର ଆଦି ସ୍ଥାନକୁ ନିଜର ଟଙ୍କା ପଠାଉଥିବା ଜଣାପଡ଼ିଛି।ନିକଟରେ ଦିଲ୍ଲୀର ଏକ ବ୍ୟବସାୟୀ ପରିବାର ମାଲ୍‌ଟାରେ ଏକ ଫ୍ୟାମିଲି ଟ୍ରଷ୍ଟ ସ୍ଥାପନ କରିଛନ୍ତି। ଏହି ପରିବାର ଅଧୀନରେ ୧୫୦୦ କୋଟି ଟଙ୍କାର ବ୍ୟବସାୟ ସାମ୍ରାଜ୍ୟ ରହିଥିବା ବେଳେ ତାହା ୨୦ ଜଣ ସଦସ୍ୟଙ୍କ ଭିତରେ ଭାଗବଣ୍ଟା ହେଉଛି। ଉକ୍ତ ପରିବାର ଧୀରେ ଧୀରେ ନିଜର ସମସ୍ତ ସମ୍ପତ୍ତିକୁ ମାଲ୍‌ଟାରେ ସ୍ଥାପନ କରାଯାଇଥିବା ଫାମିଲି ଟ୍ରଷ୍ଟ୍‌ ଅଧୀନକୁ ପଠାଉଛି।ବିଶେଷ କରି ବିପୁଳ ପରିମାଣର ଋଣ ନେଇଥିବା ସଂସ୍ଥାଗୁଡ଼ିକର ମାଲିକମା‌ନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। କୌଣସି ଏକ ସଂସ୍ଥା ଋଣ ଖିଲାପ କଲେ ତାହାର ପରିଣାମ ବଡ଼ଧରଣର ହୋଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ସେଥିପାଇଁ ନିଜ ବ୍ୟବସାୟ ସାମ୍ରାଜ୍ୟର ସମ୍ପତ୍ତିଗୁଡ଼ିକୁ ବିଦେଶରେ ଟ୍ରଷ୍ଟ୍‌ ସ୍ଥାପନ କରି ତାହା ଅଧୀନକୁ ପଠାଇ ଦେଉଛନ୍ତି। ଏହା ହେଲେ ଭବିଷ୍ୟତର ଅପ୍ରୀତିକର ପରିସ୍ଥିତିରେ ସରକାରୀ ଏଜେନ୍ସିଗୁଡ଼ିକ ସେମାନଙ୍କୁ ସହଜରେ ହଇରାଣ କରିପାରିବେ ନାହିଁ ବୋଲି ସେମାନେ ଭାବୁଛନ୍ତି। ଅନେକଙ୍କୁ ସମ୍ପତ୍ତି ଜବତ ହୋଇଯିବାର ଭୟ ଘାରିଛି।

The Financial Express

ମୁମ୍ବାଇର ଏକ ବ୍ୟବସା‌ୟୀ ପରିବାର ମାଲ୍‌ଟା ଓ ସିଙ୍ଗାପୁରରେ ଅଲଗା ଅଲଗା ଫ୍ୟାମିଲି ଟ୍ରଷ୍ଟ୍‌ ସ୍ଥାପନ କରି ସେଠାକୁ ନିଜ କଂପାନିର ଟଙ୍କା ଓ ସେୟାର ପଠାଉଥିବା ଜଣାପଡ଼ିଛି। ଅନେକ ଧନୀ ବ୍ୟକ୍ତି ନିଜ ପରିବାରର ‌ବିଭିନ୍ନ ସଦସ୍ୟଙ୍କୁ ବିଦେଶୀ ନାଗରିକତା ପ୍ରଦାନ କରିବା ଲାଗି ମଧ୍ୟ ପ୍ରୟାସ କରୁଛନ୍ତି। ବିଦେଶୀ ନାଗରିକମାନଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଟ୍ରଷ୍ଟ୍‌ରେ ଟଙ୍କା ଅଧିକ ସୁରକ୍ଷିତ ରହିବ। ଋଣ ଖିଲାପ ଭଳି ମାମଲାରେ ଉକ୍ତ ବ୍ୟକ୍ତିଙ୍କୁ ସହଜରେ ଗିରଫ ମଧ୍ୟ କରାଯାଇପାରିବ ନାହିଁ। ଏଭଳି ବିଭିନ୍ନ ବିଷୟ ବିଚାରକୁ ନେଇ ଧନୀ ବ୍ୟକ୍ତିମା‌ନେ ସମ୍ପତ୍ତି ବଞ୍ଚାଇବାର ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଋଣ ଖିଲାପ କରି ଦେଶ ଛାଡ଼ି ପଳାଇଥିବା କିଙ୍ଗଫିସର୍‌ ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା, ହୀରା ବ୍ୟବସାୟୀ ନିରବ ‌ମୋଦୀଙ୍କ ଦେଶ ଭିତରେ ଥିବା ଅନେକ ସମ୍ପତ୍ତିକୁ ସରକାରୀ ଏଜେନ୍ସିଗୁଡ଼ିକ ଜବତ କରିଛନ୍ତି। ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯାଇଛି। ନୂଆ ପିଏମଏଲଏ ଆଇନ ଅନୁସାରେ ସେମାନଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ମଧ୍ୟ ଘୋଷଣା କରାଯାଉଛି।

ସମ୍ବନ୍ଧିତ ଖବର