ରେକର୍ଡ ଭାଙ୍ଗିଲା ପେଟ୍ରୋଲ, ଡିଜେଲ ଦର

ହାଇଦ୍ରାବାଦରେ ଡିଜେଲ, ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଆଜି ଲିଟର ପିଛା ୩୩ ପଇସା ବୃଦ୍ଧି ଘଟି ୭୬ ଟଙ୍କା ୨୪ ପଇସାରେ ପହଞ୍ଚିଛି। ପୂର୍ବରୁ ୨୦୧୩ ସେପ୍ଟେମ୍ବର ୧୪ ତାରିଖରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ସର୍ବାଧିକ ୭୬ ଟଙ୍କା ୦୬ ପଇସା ରହିଥିଲା। ସେହିଭଳି ଡିଜେଲ ଦର ମଧ୍ୟ ଦିଲ୍ଲୀରେ ଲିଟର ପିଛା ରେକର୍ଡ ୬୭ ଟଙ୍କା ୫୭ ପଇସାରେ ପହଞ୍ଚି ଯାଇଛି। ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ଆଜି ୨୬ ପଇସା ବୃଦ୍ଧି ଘଟିଛି। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରରେ ଏ ପର୍ଯ୍ୟନ୍ତ ସାମିଲ କରାଯାଇ ନଥିବାରୁ ସ୍ଥାନୀୟ ଟିକସ ଆଧାରରେ ଏହି ଦୁଇଟି ଉତ୍ପାଦର ଦର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହୁଛି। ଅନ୍ୟପକ୍ଷରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ସର୍ବାଧିକ ୮୪ ଟଙ୍କା ୦୭ ପଇସା ରହିଛି। ତେବେ ଗୋଆ ରାଜଧାନୀ ପାଣାଜୀରେ ପେଟ୍ରୋଲ ଦର ସବୁଠୁ କମ୍‌ ଅର୍ଥାତ୍‌ ୭୦ ଟଙ୍କା ୨୬ ପଇସାରେ ମିଳୁଛି। ସେହିଭଳି ହାଇଦ୍ରାବାଦରେ ଡିଜେଲ ଦର ସର୍ବାଧିକ ଲିଟର ପିଛା ୭୩ ଟଙ୍କା ୪୫ ପଇସାରେ ବିକ୍ରି ହେଉଛି।

ଭୁବନେଶ୍ୱରରେ ପେଟ୍ରୋଲ, ଡିଜେଲ ପୁଣି ମହଙ୍ଗା
ଭୁବନେଶ୍ୱର: ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ଟପି ଲିଟର ପିଛା ୭୫ ଟଙ୍କା ୬ ପଇସା ଥିବାବେଳେ ଡିଜେଲ ଦର ୭୨ ଟଙ୍କା ୪୩ ପଇସା ରହିଥିଲା। କିନ୍ତୁ ସୋମବାର ଏଥିରେ ପୁଣି ବୃଦ୍ଧି ଘଟିଛି। ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ଦର ଭୁବନେଶ୍ୱରରେ ସୋମବାର ଯଥାକ୍ରମେ ୩୩ ପଇସା ଏବଂ ୨୭ ପଇସା ବୃଦ୍ଧି ହୋଇ ଏହା ଯଥାକ୍ରମେ ୭୫ ଟଙ୍କା ୩୯ ପଇସା ୭୨ ଟଙ୍କା ୭୦ ପଇସାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର