ନିତି ଆୟୋଗ ଉପରେ ପ୍ରଶ୍ନ ଉଠାଇଲେ ରେଡ୍ଡି, ସମାଧାନ ବଦଳରେ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି

ନୂଆଦିଲ୍ଲୀ: ନିତି ଆୟୋଗ କାମ ଉପରେ ସଠିକ୍ ଗୁରୁତ୍ବ ଦେଇପାରୁନି। ଆର୍ଥିକ ସଂଘୀୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ସଂସ୍ଥାରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ୱାଇ ଭି ରେଡ୍ଡି କହିଛନ୍ତି। ନିଜ ପୁସ୍ତକରେ ସେ ଲେଖିଛନ୍ତି ଯେ, ନିତି ଆୟୋଗରେ ଉନ୍ନତିର ଆବଶ୍ୟକତା ରହିଛି ଏବଂ ଏହା ଯେଭଳି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ସମନ୍ବୟ ରକ୍ଷା କରିପାରିବ ସେଥିପାଇଁ ଏହାକୁ ସଶକ୍ତ କରାଯିବା ଦରକାର। ଖର୍ଚ ହସ୍ତାନ୍ତର ବେଳେ ଏବେ ଦେଶରେ ସଂସ୍ଥାଗତ ଖାଲି ସ୍ଥାନ ସୃଷ୍ଟି ହୋଇଛି। ପ୍ରତିଟି ବିଭାଗର ନିଜସ୍ବ କେନ୍ଦ୍ର ପ୍ରାୟୋଜିତ ସ୍କିମ୍ ରହିଛି। କିନ୍ତୁ ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟରେ ଆଲୋଚନାରେ କୌଣସି ସମନ୍ବୟ ରହୁନାହିଁ ବୋଲି ସେ କହିଛନ୍ତି। ବିତ୍ତ ଆୟୋଗଙ୍କ ସୁପାରିସ ବାଦ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯେତେ ସବୁ ପାଣ୍ଠି ହସ୍ତାନ୍ତର ହେଉଛି ସେଥିରେ ନିତି ଆୟୋଗ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି। ରେଡ୍ଡି କହିଛନ୍ତି ଯେ ପୂର୍ବରୁ ଥିବା ଯୋଜନା କମିସନ ଆର୍ଥିକ ସଂଘୀୟ ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା। ତାହାକୁ ବନ୍ଦ କରି ୨୦୧୫ରେ ନିତି ଆୟୋଗ ଗଠନ କରାଗଲା। ଏହା ନିଜର ଯୋଗଦାନକୁ ନେଇ ସମାଧାନ ପ୍ରଦାନ କରିବା ବଦଳରେ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ନିଯୁକ୍ତି ରିପୋର୍ଟ ପ୍ରସ୍ତୁତିରେ ଆୟୋଗର ହସ୍ତକ୍ଷେପକୁ ବିଶେଷଜ୍ଞମାନେ ଗ୍ରହଣ କରିପାରୁନାହାନ୍ତି। ଏହାର ଉପାଧ୍ୟକ୍ଷ ରାଜୀବ କୁମାର ଅନେକ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିରୁୁ ସରକାରଙ୍କୁ ବଞ୍ଚାଇବା କିମ୍ବା ସରକାରଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର