ଜେଟ୍ ପାଇଁ ରିଲାଏନ୍ସ ଆଗ୍ରହୀ

ନୂଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ବିମାନ ସେବା କ୍ଷେତ୍ରରେ ପ୍ରବେଶ ପାଇଁ ଆଗ୍ରହ ପ୍ରକାଶ କରିଛି। ଆର୍ଥିକ ସଙ୍କଟରେ ପଡ଼ିଥିବା ଜେଟ୍ ଏୟାରୱେଜ୍ ମାଧ୍ୟମରେ ରିଲାଏନ୍ସ ଏହି ବ୍ୟବସାୟରେ ‌ପ୍ରବେଶ କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି। କମ୍ପାନି ଜେଟ୍ ଏୟାରୱେଜର ଅଂଶଧନ କିଣିବା ପାଇଁ ଆଗ୍ରହୀ ଥିବା କୁହାଯାଉଛି। କେବଳ ସେତିକି ନୁହେଁ, ରିଲାଏନ୍ସ ଏୟାର ଇଣ୍ଡିଆକୁ ମଧ୍ୟ ଉଦ୍ଧାର କରିବା ବିଷୟରେ ଚିନ୍ତା କରୁଛନ୍ତି। ଦୁଇଟି ସୂତ୍ରକୁ ଉଦ୍ଧାର କରି ଏକ ଇଂରାଜୀ ଖବରକାଗଜରେ ଏହି ସମ୍ବାଦ ପ୍ରକାଶ ପାଇଛି। ଉଭୟ ଜେଟ୍ ଏବଂ ଏୟାର ଇଣ୍ଡିଆ ଗତ ଆର୍ଥିକ ବର୍ଷରେ କ୍ଷତି କରିଥିବାବେଳେ ସେହି କମ୍ପାନି ଦ୍ବୟର ବଜାରଅଂଶ ଏବେ ୨୫ ପ୍ରତିଶତରୁ କମ୍ ରହିଛି। ଦୀର୍ଘ ୨୫ ବର୍ଷ ଧରି ଆକାଶରେ ଉଡ଼ିବା ପରେ ଜେଟ୍ ଏୟାରୱେଜ୍‌କୁ ବ୍ୟାଙ୍କଗୁଡ଼ିକ ଜରୁରୀକାଳୀନ ପାଣ୍ଠି ନଦେବା ଫଳରେ ଗତ ବୁଧବାର କମ୍ପାନି ଏହାର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଦେଇଛି। ନିକଟରେ ଜେଟ୍ ଏୟାରୱେଜ୍‌ର ଅଂଶଧନ କିଣିବା ପାଇଁ ୭ଟି ସଂସ୍ଥା ଆଗ୍ରହ ପ୍ରକାଶ କରି ସେଥିପାଇଁ ଇଓଆଇ (‌ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ) ଦାଖଲ କରିଛନ୍ତି। ତେବେ ଆଗାମୀ ଦିନରେ ଏତିହାଦ୍ ଏୟାରୱେଜ୍ ପକ୍ଷରୁ ଦାଖଲ ହେବାକୁ ଥିବା ନିଲାମରେ ରିଲାଏନ୍ସ ଯୋଗ ଦେଇପାରେ ବୋଲି ଗୋଟିଏ ସୂତ୍ରରୁ ଜଣାଯାଇଛି। ଏତିହାଦର ଏବେ ଜେଟ୍ ଏୟାରୱେଜ୍‌ରେ ୨୪ ପ୍ରତିଶତ ଅଂଶଧନ ରହିଛି। ଏଫଡିଆଇ ନିୟମ ଅନୁଯାୟୀ, ସ୍ବୟଂକ୍ରିୟ ବାଟରେ ଜେଟ୍ ଏୟାରୱେଜ୍‌ ଏହାର ଅଂଶଧନ ୨୪ ପ୍ରତିଶତରୁ ୪୯ ପ୍ରତିଶତକୁ ବୃଦ୍ଧି କରିପାରିବ। ଏହାଠାରୁ ଅଧିକ ଅଂଶଧନ କିଣିବାକୁ ହେଲେ ‌ଏତିହାଦକୁ ସରକାରଙ୍କ ମଞ୍ଜୁରି ‌ଲାଭ କରିବାକୁ ହେବ। କିନ୍ତୁ ପ୍ରବାସୀ ଭାରତୀୟଙ୍କ ପାଇଁ ସ୍ବୟଂକ୍ରିୟ ବାଟରେ ଗୋଟିଏ ଏୟାରଲାଇନ୍ସରେ ୧୦୦ ପ୍ରତିଶତ ଅଂଶଧନ କିଣିବା ସୁବିଧା ରହିଛି। ତେବେ ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପ୍ରବକ୍ତା କହିଛନ୍ତି, ନୀତି ଦୃଷ୍ଟିରୁ ଗଣମାଧ୍ୟମରେ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଏ ତାହା ଉପରେ ଆମେ କୌଣସି ମତାମତ ରଖି ନଥାଉ। ଆମ କମ୍ପାନି ବିଭିନ୍ନ ପ୍ରକାର ସୁଯୋଗକୁ ଏମିତି ମୂଲ୍ୟାୟନ କରିଥାଏ। ଯାହା ପ୍ରକାଶ କରିବା କଥା ତାହା ଆମେ ସେବି ଏବଂ ‌ଷ୍ଟକ ଏକ୍ସଚେଞ୍ଜ ନିକଟରେ କରିବୁ ବୋଲି ପ୍ରବକ୍ତା ଜଣକ କହିଛନ୍ତି। ଜେଟ୍ ଏୟାରୱେଜ୍‌ର ବିକ୍ରି ପ୍ରକ୍ରିୟାକୁ ଏସବିଆଇ କ୍ୟାପିଟାଲ୍ସ ପରିଚାଳନା କରୁଛି।

ସମ୍ବନ୍ଧିତ ଖବର