ଲାଭରେ ରିଲାଏନ୍ସର ରେକର୍ଡ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ତୃତୀୟ ‌ତ୍ରୟମାସ ଫଳାଫଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ (ଆରଆଇଏଲ୍) ଘୋଷଣା କରିଛି। ଅକ୍ଟୋବର-ଡିସେମ୍ବର ତ୍ରୟମାସରେ କମ୍ପାନି ୧୦ ହଜାର କୋଟି ଟଙ୍କା ଲାଭ କରିଛି। ଭାରତର ପ୍ରଥମ ଘରୋଇ କମ୍ପାନି ଭାବେ ରିଲାଏନ୍ସ ଏହି ସଫଳତା ପାଇଛି। ପୂର୍ବରୁ ୨୦୧୨-୧୩ ଆର୍ଥିକ ବର୍ଷରେ ଭାରତୀୟ ତୈଳ ନିଗମ ଜାନୁଆରି-ମାର୍ଚ ତ୍ରୟମାସରେ ୧୪୫୧୩ କୋଟି ଟଙ୍କାର ଲାଭ କରିଥିଲା। କମ୍ପାନି ସରକାରଙ୍କଠାରୁ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ସବ୍‌ସିଡି ବାବଦ ଅର୍ଥ ସେହି ତ୍ରୟମାସରେ ପାଇବା ଯୋଗୁ ଏହି ସଫଳତା ମିଳିଥିଲା। କିନ୍ତୁ ସେହି ଆର୍ଥିକ ବର୍ଷର ଅନ୍ୟ ତ୍ରୟମାସର ଲାଭ ଓ କ୍ଷତିକୁ ବିଚାରକୁ ନେଲେ ଭାରତୀୟ ତୈଳ ନିଗମ ସେହିବର୍ଷ ୫୦୦୦ କୋଟି ଟଙ୍କାର ଲାଭ କରିଥିଲା। ତେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ୧୦,୨୫୧ କୋଟି ଟଙ୍କାର ଲାଭ କରି ଏହି ବିରଳ ରେକର୍ଡକୁ ନିଜ ନାମରେ ଲେଖାଇ ନେଇଛି। ୧୦ ହଜାର କୋଟି ଟଙ୍କା ଲାଭ କରୁଥିବା କମ୍ପାନି କ୍ଲବରେ ସାମିଲ ହେବାର ବିରଳ ରେକର୍ଡ କରିଛି। ଗତବର୍ଷର ଏହି ତ୍ରୟମାସ ତୁଳନାରେ ଚଳିତ ଆର୍ଥିକବର୍ଷର ତ୍ରୟମାସରେ କମ୍ପାନିର ଲାଭ ୯ ପ୍ରତିଶତ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର