ଟେଲିକମ୍ କଂପାନିଗୁଡ଼ିକୁ ଆଶ୍ବସ୍ତି : ସ୍ପେକ୍ଟ୍ରମ୍ ଫି’ ଦାଖଲ ଦୁଇ ବର୍ଷ ଘୁଞ୍ଚିପାରିବ

ନୂଆଦିଲ୍ଲୀ : ଆର୍ଥିକ ଚାପ ଦେଇ ଗତି କରୁଥିବା ଟେଲିକମ୍ କଂପାନିଗୁଡ଼ିକୁ କେନ୍ଦ୍ର ସରକାର ଆଜି ବଡ଼ ଧରଣର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ସ୍ପେକ୍ଟ୍ରମ୍ ଫି’ ପେମେଣ୍ଟ୍‌କୁ ଟେଲିକମ୍ କଂପାନିଗୁଡ଼ିକ ଦୁଇ ବର୍ଷ ଟାଳିପାରିବେ। ଏସଂକ୍ରାନ୍ତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଏହି ନିଷ୍ପତ୍ତି ୧୫ ଦିନ ଭିତରେ ଲାଗୁ କରାଯିବ। ଏନେଇ ଲାଇସେନ୍ସ ନିୟମରେ ସଂ‌ଶୋଧନ କରାଯିବ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏହି ପ୍ରସ୍ତାବ ଅନୁଯାୟୀ, ଟେଲିକମ୍ କଂପାନିଗୁଡ଼ିକ ଚାହିଲେ ସ୍ପେକ୍ଟ୍ରମ୍ ଫି’ ପେମେଣ୍ଟ୍‌କୁ ୨୦୨୦-୨୧ ଓ ୨୦୨୧-୨୨ରେ ଘୁଞ୍ଚାଇପାରିବେ। କଂପାନିଗୁଡ଼ିକ ବର୍ଷେ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ପେକ୍ଟ୍ରମ୍ ଫି’ ପେମେଣ୍ଟ୍‌କୁ ଘୁଞ୍ଚାଇପାରିବେ। ଏହା ପରେ କିନ୍ତୁ କଂପାନିଗୁଡ଼ିକ ସମାନ କିସ୍ତିରେ ସବୁ ଅର୍ଥ ପ୍ରଦାନ କରିବାକୁ ପଡ଼ିବ। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଟେଲିକମ୍ କଂପାନିଗୁଡ଼ିକର ଆର୍ଥିକ ବୋଝ କମିଯିବ। ‌ସେମାନେ ବ୍ୟାଙ୍କ ଋଣର ସୁଧ ଓ ଅନ୍ୟାନ୍ୟ ଦେୟକୁ ଠିକ୍ ସମୟରେ ପ୍ରଦାନ କରିପାରିବେ। ଟେଲିକମ୍ କଂପାନିଗୁଡ଼ିକ ଠିକ୍ ଭାବେ କାରବାର ଚାଲୁ ରଖିଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ ବୋଲି ସରକାର ଭାବୁଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଓ ଜିଓ ଉପରେ ପଡ଼ିବାକୁ ଥିବା ୪୨ ହଜାର କୋଟି ଟଙ୍କାର ଆର୍ଥିକ ଚାପ କିଛି ଦିନ ପାଇଁ ଟଳିଯାଇଛି।

ସମ୍ବନ୍ଧିତ ଖବର