ରିଜର୍ଭ ବ୍ୟାଙ୍କ କଥାକୁ କାଟିଲେ

ମୁଦ୍ରା ଋଣ ସମସ୍ୟା ନୁହେଁ: ଆର୍ଥିକ ସେବା ସଚିବ

ନୂଆଦିଲ୍ଲୀ: ମୁଦ୍ରା ଋଣ ନେଇ ରିଜର୍ଭ ବ୍ୟାଙ୍କ ନିକଟରେ ଯେଉଁ ସତର୍କବାଣୀ ଦେଇଥିଲା ତାହାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ସରକାର। ମୁଦ୍ରା ଋଣ ପାଇଁ ବ୍ୟାଙ୍କର ଏନ୍‌ପିଏ ବା ଅନାଦାୟ ଋଣ ବୃଦ୍ଧି ପାଇବ ନାହିଁ ବୋଲି ବାହୁସ୍ଫୋଟ ମାରିଛନ୍ତି। ନିଜେ କେନ୍ଦ୍ର ଆର୍ଥିକ ସେବା ବ୍ୟାପାର ସଚିବ ରାଜୀବ କୁମାର ଏଭଳି କହିବା ସରକାର ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ହାଲକା ଭାବେ ଗ୍ରହଣ କରିଥିବା ସ୍ପଷ୍ଟ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ମୁଦ୍ରା ଋଣ ବହୁତ ବଡ଼ ସମସ୍ୟା ଭାବେ ଉଭା ହେବ। ଏହା ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ସଙ୍କଟକୁ ବଢ଼ାଇ ଦେବ ବୋଲି ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଥିଲା। ରିଜର୍ଭ ବ୍ୟାଙ୍କର ସେହି କଥାକୁ ସ୍ବୀକାର କରିନାହାନ୍ତି ରାଜୀବ କୁମାର। ସେ କହିଛନ୍ତି ଯେ, ମୁଦ୍ରା ଏନ୍‌ପିଏ ଏକ ସମସ୍ୟା ନୁହେଁ। କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗପତିଙ୍କୁ ସହାୟତା ପ୍ରଦାନ କରିବା ପାଇଁ ମୁଦ୍ରା ଯୋଜନା ଘୋଷଣା କରାଯାଇଛି। ଏହି ସ୍କିମ୍‌ରେ ଦିଆଯାଇଥିବା ଋଣଗୁଡ଼ିକର ନିରାପତ୍ତା ବ୍ୟବସ୍ଥା ରହିଛି। ଋଣ ନେଉଥିବା କ୍ଷୁଦ୍ର ବ୍ୟବସାୟୀମାନେ ଦାୟିତ୍ବବାନ ଏବଂ ସେମାନେ ଋଣ ଶୁଝିଥାନ୍ତି । ସେମା‌ନେ ବଡ଼ କର୍ପୋରେଟ୍ ସଂସ୍ଥାଙ୍କ ଭଳି ନୁହନ୍ତି ବୋଲି ରାଜୀବ କହିଛନ୍ତି।
ଶ୍ରୀ କୁମାର କହିଛନ୍ତି ଯେ, କର୍ପୋରେଟ୍ କ୍ଷେତ୍ରରେ ଭବିଷ୍ୟତର ଆୟକୁ ଦେଖି ଋଣ ପ୍ରଦାନ କରାଯାଏ। ମାତ୍ର ମୁଦ୍ରା ଋଣରେ ଏକ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣଗୁଡ଼ିକ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି।ଡେବ୍‌ଟ ରିକଭରି ଟ୍ରିବ୍ୟୁନାଲ୍‌ ଅନୁଯାୟୀ, ଏକ କୋଟି ଟଙ୍କାରୁ କମ୍ ମୂଲ୍ୟର ସବୁ ଋଣର ସୁରକ୍ଷା ବ୍ୟବସ୍ଥା ରହିଛି। ଏହି ଋଣଗୁଡ଼ିକ ଦ୍ବାରା ଅର୍ଥନୀତି ଆଗକୁ ବଢ଼ିଥାଏ। ଯୁବପିଢ଼ି ଓ ପାଣ୍ଠି ପାଉନଥିବା ବର୍ଗ ମହାଜନଙ୍କ କବ୍‌ଜାରୁ ମୁକ୍ତି ପାଇଥାନ୍ତି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୨୦୧୮ ଡିସେମ୍ବର ସୁଦ୍ଧା ୨୯.୯୭ ନିୟୁତ ଖାତାରେ ୧.୫୧ ଲକ୍ଷ କୋଟି ଟଙ୍କାର ଋଣ ଆବଣ୍ଟନ କରାଯାଇଛି। ଏହି ସ୍କିମ୍‌ର ୭୪% ହିତାଧିକାରୀ ହେଉଛନ୍ତି ମହିଳା। ତେବେ ଏହି ଯୋଜନାରେ ଅନାଦାୟ ଋଣ ପରିମାଣ ୧୧ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଲାଣି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ୨୦୧୫ ଏପ୍ରିଲ ୮ରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ୩ଟି ବର୍ଗରେ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇ ଆସୁଛି। ସେଗୁଡ଼ିକ ହେଲା ଶିଶୁ, କିଶୋର ଓ ତରୁଣ। ଶିଶୁ ବର୍ଗରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ କିଶୋର ବର୍ଗରେ ୫୦ ହଜାର ୧ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ତରୁଣ ବର୍ଗରେ ୫ ଲକ୍ଷ ୧ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର