ପିଏମଓ, ରିଜର୍ଭ ବ୍ୟାଙ୍କକୁ ସିଆଇସିର ଭର୍ତ୍ସନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ଆସନ୍ତାକାଲି ହେବ। ଏହି ବୈଠକ ପୂର୍ବରୁ କେନ୍ଦ୍ରୀୟ ସୂଚନା କମିସନ ଋଣ ଖିଲାପୀଙ୍କ ନାମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ଭର୍ତ୍ସନା କରିଛନ୍ତି। ଏଥିସହିତ ଜାଣିଶୁଣି ଋଣ ପରିଶୋଧ କରି ନଥିବା ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିବା ପାଇଁ ସିଆଇସି ପୁନର୍ବାର ପିଏମ୍‌ଓ ଓ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଅନାଦାୟ ଋଣ ସମ୍ପର୍କରେ ଦେଇଥିବା ଚିଠିକୁ ସାର୍ବଜନୀନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ନି‌‌ର୍ଦ୍ଦେଶ ପାଳନ କରୁ ନଥିବାରୁ ୬୬ ପୃଷ୍ଠାର ଏକ ଚିଠିରେ ସିଆଇସି ପିଏମ୍‌ଓକୁ ଭର୍ତ୍ସନା କରିଛନ୍ତି। ସୂଚନା ପ୍ରଦାନରେ ଯଦି କୌଣସି ବ୍ୟତିକ୍ରମ ରହିଛି ତାହେଲେ ପିଏମଓ ସେ ନେଇ ଯୁକ୍ତି ବାଢ଼ି ମନା କରି ପାରିଥାନ୍ତା ବୋଲି କେନ୍ଦ୍ରୀୟ ସୂଚନା କମିସନର ଶ୍ରୀଧର ଆଚାର୍ଯ୍ୟଲୁ କହିଛନ୍ତି। ବ୍ୟାଙ୍କ ଋଣ ଖିଲାପୀଙ୍କ ସମ୍ପର୍କରେ ବିସ୍ତୃତ ତଥା ମାଗିଥିବା ସନ୍ଦୀପ ସିଂହଙ୍କ ଆବେଦନର ଶୁଣାଣି ସମୟରେ ଶ୍ରୀ ଆଚାର୍ଯ୍ୟଲୁ ଏଭଳି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର