୨୦୦୯ ପରେ ପୁଣି ସୁନା କିଣିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପୁଣି ଥରେ ସୁନା ଆଡକୁ ମୁହାଁଇଛି। ଚଳିତ ବର୍ଷର ପ୍ରଥମ ତିନି ମାସରେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରେ ୩.୧ ଟନ୍‌ ସୁନା ଭର୍ତ୍ତି କରିଛି। ୨୦୦୯ ପରେ ପ୍ରଥମ ଥର ପାଇଁ ରିଜର୍ଭ ବ୍ୟାଙ୍କ ନିଜର ସୁନା ପରିମାଣ ବଢ଼ାଇଛି। ଶେଷ ଥର ପାଇଁ ୨୦୦୯ରେ ରିଜର୍ଭ ବ୍ୟାଙ୍କ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ଠାରୁ ୨୦୦ ଟନ୍‌ ସୁନା କିଣିଥିଲା। ଏହା ପରେ ସୁନା ଭଣ୍ଡାର ପ୍ରତି ଆଦୌ ଧ୍ୟାନ ଦେଇନଥିଲା। ତେବେ, କ’ଣ ବିଚାର କରି ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଅଧିକ ସୁନା ଭର୍ତ୍ତି କରୁଛି ତାହା ବୁଝାପଡ଼ୁନାହିଁ। ରିଜର୍ଭ ବ୍ୟାଙ୍କର ଭଣ୍ଡାରରେ ଏବେ ୫୬୦.୩ ଟନ୍‌ର ସୁନା ରହିଛି। ସୁନାରେ ନିବେଶ ନକରିବାକୁ ସରକାର ସାଧାରଣ ଜନତାଙ୍କୁ କହୁଛନ୍ତି। ସୁନାର ବିକଳ୍ପ ଭାବେ ଗୋଲ୍‌ଡ ବଣ୍ଡ୍‌ ଜାରି କରିଛନ୍ତି। ସରକାରଙ୍କ ନୀତି ଅନୁସାରେ ରିଜର୍ଭ ବ୍ୟାଙ୍କ ମଧ୍ୟ ୨୦୦୯ ପରଠାରୁ ସୁନା କିଣିବା ବନ୍ଦ କରିଦେଇଥିଲା। ପୁଣି ଥରେ ଏହା ସୁନା କିଣିବାର ରହସ୍ୟ ବୁଝାପଡ଼ୁନାହିଁ। ତେବେ ବଜାର ବିଶେଷଜ୍ଞମାନେ କହୁଛନ୍ତି ଯେ ଏହା ଏକ ରଣନୀତିପୂର୍ଣ୍ଣ ନିଷ୍ପତ୍ତି ହୋଇଥାଇପାରେ। ବିଶ୍ୱର ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜ ଭଣ୍ଡାରରେ ସୁନା ରଖିଥାନ୍ତି। ଯଦି ଅନ୍ୟ ଦେଶଗୁଡ଼ିକର  କେନ୍ଦ୍ରୀୟ ବ୍ୟାଙ୍କ ନିଜ ଭଣ୍ଡାରରେ ସୁନା ପରିମାଣ ବଢ଼ାଉଥିବେ ତାହାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କିଛି ପରିମାଣର ସୁନା ଏହାର ଭଣ୍ଡାରରେ ସାମିଲ କରିଥାଇପାରେ। ସୁନା ଭଣ୍ଡାର ହେଉଛି ବିଦେଶୀ ମୁଦ୍ରା ଭଣ୍ଡାରର ଏକ ଅଂଶ। ଯେତେବେଳେ ଡଲାର ମୂଲ୍ୟ ବହୁତ ଅଧିକ ହୋଇଯାଏ ସେତେବେଳେ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରି ସୁନାକୁ ବ୍ୟବହାର କରାଯାଏ। ବିଦେଶୀ ମୁଦ୍ରା ଅଭାବ ସମୟରେ ସୁନା ବହୁତ କାମରେ ଲାଗିଥାଏ।  ନିକଟ ଅତୀତରେ ରୁଷିଆ ଓ ତୁର୍କୀର କେନ୍ଦ୍ରୀୟ ବ୍ୟାଙ୍କ ନିଜ ଭଣ୍ଡାରରେ ଅଧିକ ସୁନା ଭର୍ତ୍ତି କରିଛନ୍ତି।  ରୁଷିଆ ବିଗତ ତିନି ବର୍ଷରେ ୬୦୦ ଟନ୍‌ ସୁନା କିଣିଛି। ରୁଷିଆ ବର୍ଷକୁ ହାରାହାରି ୨୦୦ ଟନ୍‌ ସୁନା କିଣୁଛି। ସେହିପରି ତୁର୍କୀର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୫୯୫.୫ ଟନ୍‌ ସୁନା ରହିଛି। ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଦୁଇ ବର୍ଷର ବ୍ୟବଧାନ ପରେ ସୁନା କିଣିବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର