ରିଜର୍ଭ ବ୍ୟାଙ୍କ-ସରକାର ବିବାଦ, ନଜର ରଖିଛି ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ତୀକ୍ଷ୍‌ଣ ନଜର ରଖିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)। ଏହାର ନିର୍ଦେଶକ ଗେରି ରାଇସ୍‌ କହିଛନ୍ତି ଯେ, ଦୁଇ ପକ୍ଷ ମଧ୍ୟରେ ମତଭେଦ ଥିବାର ଖବର ଆମ ପାଖରେ ରହିଛି। ଆମେ ସ୍ଥିତି ଉପରେ ନଜର ରଖିଛୁ ଓ ଆଗାମୀ ଦିନରେ ନଜର ରଖିବା କାମ ଜାରି ରଖିବୁ। ସେ କହିଛନ୍ତି ଯେ, ଆଇଏମ୍ଏଫ୍‌ କେବଳ ଦାୟିତ୍ବବାନ ଓ ଉତ୍ତରଦାୟୀ ପକ୍ଷର ସମର୍ଥନ କରିବ। ଆନ୍ତର୍ଜାତିକ ସ୍ତରରେ ପ୍ରଚଳିତ ଥିବା ଶ୍ରେଷ୍ଠ ବ୍ୟବସ୍ଥା ହେଉଛି କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତାରେ କୌଣସି ପ୍ରକାର ହସ୍ତକ୍ଷେପ ହେବା ଅନୁଚିତ। ରିଜର୍ଭ ବ୍ୟାଙ୍କ କାମରେ ସରକାର କିମ୍ବା ଶିଳ୍ପ ଜଗତ କେହି ବି ଦଖଲ ‌ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ରାଇସ୍‌ ସ୍ବୀକାର କରିଛନ୍ତି ଯେ ଅନେକ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ମତଭେଦ ରହିଛି। ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ କେତେକ ମାମଲାକୁ ନେଇ ସମ୍ପର୍କ ଖରାପ ହୋଇଛି। ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ରିଜର୍ଭ ବ୍ୟାଙ୍କର ସ୍ବାୟତ୍ତତା ବଜାୟ ରଖିବା ପାଇଁ ସାର୍ବଜନୀନ ସଭାରେ ଆଲୋଚନା କରିବା ପରେ ଦୁଇ ପକ୍ଷ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ସ୍ତରରେ ଥିବା ଜଣାପଡ଼ିଥିଲା। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ମଧ୍ୟରେ ସମ୍ପର୍କ ଏତେ ଭଲ ନାହିଁ। ସୁଧ କମ୍ କରିବା ପାଇଁ ଜେଟ୍‌ଲି ଚାପ ପକାଇବା ପରେ ଉର୍ଜିତ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେହି ଦିନଠାରୁ ଜେଟ୍‌ଲି-ଉର୍ଜିତ ମତଭେଦ ଆରମ୍ଭ ହୋଇଥିଲା। ଏନ୍‌ପିଏ, ନଗଦ ସଙ୍କଟ ଆଦି ବିଭିନ୍ନ ବିଷୟରେ ରିଜର୍ଭ ବ୍ୟାଙ୍କ ନରମ ମନୋଭାବ ପୋଷଣ କରୁ ବୋଲି ସରକାର ଚାହୁଁଥିଲେ। କିନ୍ତୁ ରିଜର୍ଭ ବ୍ୟାଙ୍କ ତାହା ମାନିବାକୁ ନାରାଜ। ଏହା ପରେ ବଡ଼ ଧରଣର ବିବାଦ ଆରମ୍ଭ ହୋଇଥିଲା।

ଉର୍ଜିତଙ୍କୁ ସ୍ବାମୀଙ୍କ ସମର୍ଥନ
ରିଜର୍ଭ ବ୍ୟାଙ୍କ-ସରକାର ବିବାଦରେ ବିଜେପିର ବରିଷ୍ଠ ନେତା ସୁବ୍ରମଣିଅନ୍ ସ୍ବାମୀ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉଜିତ ପଟେଲ୍‌ଙ୍କୁ ସମର୍ଥନ କରିଛନ୍ତି। ଉର୍ଜିତ ଗଭର୍ଣ୍ଣର ପଦରେ ରହିବା ଜରୁରୀ ବୋଲି ସେ କହିଛନ୍ତି। ଯଦି ସେ ଇସ୍ତଫା ଦିଅନ୍ତି ତେବେ ସେଥିପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ମନ୍ତବ୍ୟକୁ ଦାୟୀ କରାଯିବ ବୋଲି ସେ କହିଛନ୍ତି। ଏନ୍‌ପିଏ ମାମଲା ସମାଧାନ କରିବାରେ ରିଜର୍ଭ ବ୍ୟାଙ୍କ ବିଫଳ ହୋଇଛି ବୋଲି ଏକସଭାରେ ଜେଟ୍‌ଲି କହିଥିଲେ। ପଟେଲ୍‌ ଜଣେ ଆତ୍ମ ସ୍ବାଭିମାନୀ ଅର୍ଥନୀତିଜ୍ଞ। ସେ ୟେଲ୍‌ରୁ ଅର୍ଥନୀତିରେ ପିଏଚ୍‌ଡି ହାସଲ କରିଛନ୍ତି। ତାଙ୍କୁ ଏହି ପଦରେ ରହିବାକୁ ତାଙ୍କୁ ମନାଇବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର