ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ଆଜି, ଯୋଗଦେବେ ଜେଟଲି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ଆସନ୍ତାକାଲି (ସୋମବାର) ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ବଜେଟ୍ ପରବର୍ତୀ ଏହି ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଯୋଗଦେଇ ସଦସ୍ୟମାନଙ୍କୁ ଉଦବୋଧନ ଦେବେ। ଅନ୍ତରୀଣ ବଜେଟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇବେ। ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଶାଇ ୧୮ ଜଣ ସଦସ୍ୟ ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ଅନ୍ତରୀଣ ଲାଭାଂଶ ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହାଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨୮ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପାଇବା ଆଶା ରଖିଛନ୍ତି। ଗତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୧୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିଥିଲା।

ସମ୍ବନ୍ଧିତ ଖବର