ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା, କମିଲା ସୁଧ, କମିବ ଇଏମ୍‌ଆଇ

ରେପୋ ହାରରେ ୦.୨୫% ହ୍ରାସ, ମୁଦ୍ରାସ୍ଫୀତି ୩.୨%କୁ ଖସିବ

ମୁମ୍ବାଇ: ଭାରତୀୟ ରଜିର୍ଭ ବ୍ୟାଙ୍କ ପକ୍ଷରୁ ଆଜି ମୁଦ୍ରାନୀତିର ଦ୍ବିମାସିକ ସମୀକ୍ଷା କରି ରେପୋ ହାରରେ ୦.୨୫% ହ୍ରାସ ଘୋଷଣା କରାଯାଇଛି। ଫଳରେ ରେପୋ ହାର ୬.୨୫%କୁ ଖସିଯାଇଛି। ଏହା ଦ୍ବାରା ଋଣ ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଲାଭବାନ ହେବେ। ସେମାନେ ସେହି ଲାଭକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବେ। ଫଳରେ ଘର, ଗାଡ଼ି ଓ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବା ପାଇଁ ଋଣ ନେଉଥିବା‌ ଗ୍ରାହକମାନେ ଲାଭବାନ ହେବେ। ରେପୋ ହାର କମିଥିବାରୁ ଋଣ ଉପରେ ବ୍ୟାଙ୍କ ଓ ଫାଇନାନ୍ସ ସଂସ୍ଥାଗୁଡ଼ିକ ସୁଧ କମ୍ କରିବେ। ଏହା ବ୍ୟତୀତ ପୂର୍ବରୁ ଯେଉଁ ଗ୍ରାହକମାନେ ଋଣ ନେଇଛନ୍ତି ସେମାନଙ୍କ ମାସିକ କିସ୍ତି (ଇଏମ୍‌ଆଇ) ବୋଝ ମଧ୍ୟ କିଛିଟା ହାଲୁକା ହେବ। ଉର୍ଜିତ ପଟେଲ୍‌ଙ୍କ ବିଦାୟ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦ ଭାର ସମ୍ଭାଳିଥିବା ଶକ୍ତିକାନ୍ତ ଦାସଙ୍କ ଏହା ପ୍ରଥମ ମୁଦ୍ରାନୀତି ସମୀକ୍ଷା ଥିଲା। ଛଅ ଜଣିଆ ମୁଦ୍ରାନୀତି କମିଟି ଦୁଇ ଦିନ ମାନସ ମନ୍ଥନ କରିବା ପରେ ଆଜି ତୃତୀୟ ଦିନରେ ରେପୋ ହାରରେ ହ୍ରାସ ଘୋଷଣା କରିଛି। ଚାରି ଜଣ ସଦସ୍ୟ ସୁଧ ହ୍ରାସ ସପକ୍ଷରେ ମତ ଦେଇଥିବା ବେଳେ ଦୁଇ ଜଣ ଏହା ବିରୋଧରେ ମତ ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ଉପଭୋକ୍ତା ମୁଦ୍ରାସ୍ଫୀତି କମ୍ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ୨୦୧୮-୧୯ରେ ମୁଦ୍ରାସ୍ଫୀତି ୩.୯% ସ୍ତରରେ ରହିବ ବୋଲି କହିଛି। ୨୦୧୯-୨୦ରେ ମୁଦ୍ରାସ୍ଫୀତି ହାର ୩.୨%-୩.୪% ଭିତରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଅଭିବୃଦ୍ଧି ସମ୍ପର୍କରେ ରିଜର୍ଭ ବ୍ୟାଙ୍କ କହିଛି ଯେ, ୨୦୧୮-୧୯ରେ ଜିଡିପି ଅଭିବୃଦ୍ଧି ୭.୨% ରହିବ। ୨୦୧୯-୨୦ରେ ତାହା ୭.୪%କୁ ବୃଦ୍ଧି ପାଇବ। ସରକାରଙ୍କ ଆର୍ଥିକ ସ୍ଥିତିକୁ ରିଜର୍ଭ ବ୍ୟାଙ୍କ କମ୍ ମାର୍କ ପ୍ରଦାନ କରିଛି। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବାରେ ସରକାର କ୍ରମାଗତ ଦୁଇ ବର୍ଷ ବିଫଳ ହୋଇଛନ୍ତି। ଆସନ୍ତାବର୍ଷରେ ମଧ୍ୟ ସେଥିରେ ବିଶେଷ ସୁଧାର ହେବାର ସମ୍ଭାବନା କମ୍ ରହିଥିବା ଜଣାଇଛି। ୨୦୧୮-୧୯ରେ ବିତ୍ତୀୟ ନିଅଣ୍ଟ ପରିମାଣ ୦.୧୦% ବୃଦ୍ଧି ପାଇ ୩.୪% ହୋଇଯାଇଛି।

୨୦୧୯-୨୦ରେ ଅଭିବୃଦ୍ଧି ୭.୪% ହେବ

ସମସ୍ତଙ୍କ କଥା ବୁଝିଲେ, ବଲ୍‌କ ଡିପୋଜିମ୍ ସୀମା ୨ କୋଟିକୁ ବଢ଼ିଲା
ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଲ୍‌କ ଡିପୋଜିଟ୍‌ (ମୋଟା ଅଙ୍କର ଜମା) ସୀମାକୁ ୨ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହି ସୀମା ଏକ କୋଟି ଟଙ୍କା ଥିଲା। ଏହି ନିଷ୍ପତ୍ତି ଦ୍ବାରା ବ୍ୟାଙ୍କଗୁଡ଼ିକୁ ପରିଚାଳନା ସ୍ବାଧୀନତା ପ୍ରଦାନ କରାଯାଇଛି। ସେମା‌ନେ ଦୁଇ କୋଟିରୁ ଅଧିକ ପରିମାଣର ଜମାକୁ ବଲ୍‌କ ଡିପୋଜିଟ୍ ଭାବେ ହିସାବ କରିବେ ଓ ସେହି ଅନୁସାରେ ସୁଧ ପ୍ରଦାନ କରିବେ।ଦେବାଳିଆ ସଂସ୍ଥା କିଣିବା ପାଇଁ ବିଦେଶରୁ ଋଣ ଆଣିହେବ ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ପ୍ରକ୍ରିୟାରେ ଦେବାଳିଆ ଘୋଷିତ ହୋଇଥିବା କଂପାନିଗୁଡ଼ିକୁ କିଣିବାକୁ ଚାହୁଁଥିବା ସଂସ୍ଥା ପାଇଁ ରିଜର୍ଭ ବ୍ୟାଙ୍କ ନିୟମ କୋହଳ କରିଛି। କଂପାନି କିଣିବାକୁ ଚାହୁଁଥିବା ସଂସ୍ଥା‌ ବିଦେଶରୁ ଋଣ ହାସଲ କରିପାରିବେ। ଏହି କଂପାନିଗୁଡ଼ିକ ବିଦେଶର ଯେକୌଣସି ବ୍ୟାଙ୍କରୁ ଋଣ ଆଣିପାରିବେ। କିନ୍ତୁ ବିଦେଶରେ ଥିବା ଭାରତୀୟ ବ୍ୟାଙ୍କର ଶାଖା ଜରିଆରେ ଋଣ ଆଣିପାରିବେ ନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଦିଶାନିର୍ଦେଶ ଚଳିତ ମାସ ଶେଷ ସୁଦ୍ଧା ଜାରି କରାଯିବ। ଏନ୍‌ବିଏଫ୍‌ସିଙ୍କୁ ବ୍ୟାଙ୍କ ଋଣ ଦେଇପାରିବେ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)ଗୁଡ଼ିକର ଦୁର୍ବଳ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିୟମକୁ କୋହଳ କରାଯାଇଛି। ଭଲ ଏନ୍‌ବିଏଫ୍‌ସିଗୁଡ଼ିକୁ ବ୍ୟାଙ୍କ ଋଣ ଦେଇପାରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ସେୟାର ବଜାରରେ ଏନ୍‌ବିଏଫ୍‌ସିଗୁଡ଼ିକର ସେୟାର ମୂଲ୍ୟ ବୃଦ୍ଧି ପାଇଛି। ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ସଙ୍କଟ ପରେ ଏନ୍‌ବିଏଫ୍‌ସିଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯାଇଥିଲା।

ସମ୍ବନ୍ଧିତ ଖବର