ରିଜର୍ଭ ବ୍ୟାଙ୍କ-ସରକାର ସମ୍ପର୍କ, ମୁହଁ ଖୋଲିଲେ ଜେଟ୍‌ଲି

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ରହିଛି। ଏକଥାକୁ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସ୍ବୀକାର କରିଛନ୍ତି। ସେ କହିଲେ, ଦୁଇ ତିନିଟି ପ୍ରସଙ୍ଗକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ମତଭେଦ ରହିଛି। ଅତୀତର କେତେକ ସରକାରଙ୍କ ଅମଳରେ ମଧ୍ୟ ଏଭଳି ମତଭେଦ ଥିଲା। ଏଭଳିକି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀ ମଧ୍ୟ ସେହି ସମୟର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ ଇସ୍ତଫା ଦେବାକୁ କହିଥିଲେ ବୋଲି ଜେଟ୍‌ଲି ମନେ ପକାଇ ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍ ଇସ୍ତଫା ଦେବା ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ଆଜି ଜେଟ୍‌ଲି ମୁହଁ ଖୋଲିବା ସହ ସରକାରଙ୍କ ପକ୍ଷ ରଖିଛନ୍ତି। ସେ କହିଲେ, ରିଜର୍ଭ ବ୍ୟାଙ୍କ ସହିତ ଋଣ ଓ ନଗଦ ଟଙ୍କା ଭଳି ପ୍ରସଙ୍ଗରେ ମତଭେଦ ଥିଲା। ସରକାର ଭାବେ ଏନେଇ ଆମର ଯେଉଁ ଚିନ୍ତା ରହିଥିଲା ତାହାକୁ କେବଳ ଆମେ ରିଜର୍ଭ ବ୍ୟାଙ୍କ ନିକଟରେ ଉପସ୍ଥାପନ କରିଥିଲୁ। ଅର୍ଥନୀତିର ଏହି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେମାନଙ୍କୁ କହିଥିଲୁ। ରିଜର୍ଭ ବ୍ୟାଙ୍କ ସହ ସରକାର କେବଳ ଆଲୋଚନା କରିବାକୁ ଚାହୁଁଥିଲେ ଓ ଆଲୋଚନା ମାଧ୍ୟମରେ ଏକ ସ୍ବାଧୀନ ଓ ସ୍ବୟଂଶାସିତ ସଂସ୍ଥାର କାମ କ’ଣ ତାହା ଆମେ ସେମାନଙ୍କୁ ମନେ ପକାଇଦେଇଥିଲୁ। ଏହା କିଭଳି ରିଜର୍ଭ ବ୍ୟାଙ୍କକୁ ନଷ୍ଟ କିମ୍ବା ଧ୍ବଂସ କରିବା ଭଳି କାମ ହେଲା ବୋଲି ଜେଟ୍‌ଲି ପ୍ରଶ୍ନ କରିଛନ୍ତି।

ଜେଟ୍‌ଲି କହିଛନ୍ତି ଯେ, ଆମେ ରିଜର୍ଭ ବ୍ୟାଙ୍କ କାମରେ ହସ୍ତକ୍ଷେପ କରୁନଥିଲୁ। ଋଣ ଓ ନଗଦ ପ୍ରସଙ୍ଗ ହେଉଛି ରିଜର୍ଭ ବ୍ୟାଙ୍କର ଦାୟିତ୍ବ। ସରକାର କେବଳ ଏନେଇ ଆଲୋଚନା ଆରମ୍ଭ କରିବାକୁ ଚାହୁଁଥିଲେ। ଆଲୋଚନା ଯେଭଳି ଆରମ୍ଭ ହୋଇପାରିବ ସେଥିପାଇଁ ନିୟମରେ ଥିବା ବ୍ୟବସ୍ଥାକୁ ଆମେ ଲାଗୁ କରିଥିଲୁ। କେତେକ କଠିନ ସମୟରେ ସ୍ବୟଂଶାସିତ ସଂସ୍ଥାକୁ ସମସ୍ୟା ବିଷୟରେ ଅବଗତ କରିବାର ଆବଶ୍ୟକତା ରହିଛି। ଏହା ଦ୍ବାରା ସମସ୍ୟାର ସମାଧାନ ହୋଇଥାଏ ବୋଲି ଜେଟ୍‌ଲି କହିଛନ୍ତି। ଯଦି ଏତିକି କଥା ଅବଗତ କରିନହେବ ତେବେ ସରକାର ନିଜ କର୍ତବ୍ୟ ପାଳନରେ ବିଫଳ ହୋଇଛନ୍ତି ବୋଲି ବିଚାର କରାଯିବ ବୋଲି ସେ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମଧ୍ୟ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖି ଆର୍ଥିକ ନୀତି ନିର୍ବାଚିତ ସରକାର ନିର୍ଧାରଣ କରନ୍ତି ବୋଲି ମନେ ପକାଇଥିଲେ ଓା ମୁଦ୍ରାନୀତି ନିର୍ଧାରଣ ଉପରେ ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ରହିଛି ବୋଲି ନେହେରୁ ସେତେବେଳେ ଜଣାଇଥିଲେ ବୋଲି ଜେଟ୍‌ଲି କହିଛନ୍ତି।

ମତଭେଦ ଥିବା କଥା ମାନିଲେ ନେହେରୁ, ଇନ୍ଦିରାଙ୍କ ଉଦାହରଣ ଦେଲେ

ଏହା କ’ଣ ଉର୍ଜିତଙ୍କ ଇସ୍ତଫାର କାରଣ?
ନୂଆଦିଲ୍ଲୀ: ଗତ ନଭେମ୍ବର ୧୯ରେ ହୋଇଥିବା ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଶେଷ ହେବା ପରେ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ଥିବା ମତଭେଦ ଦୂର ହୋଇଯିବା ଭଳି ମନେ ହେଉଥିଲା। ସେଦିନର ବୈଠକରେ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ଭଣ୍ଡାରକୁ ନେଇ ଏକ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି କମିଟିର ମୁଖ୍ୟ କିଏ ହେ‌େବ ତାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପୁଣି ବିବାଦ ଆରମ୍ଭ ହୋଇଥିଲା। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନ୍‌ଙ୍କୁ କମିଟିର ମୁଖ୍ୟ କରିବାକୁ ସରକାର ଚାହୁଁଥିଲେ। ମାତ୍ର ରିଜର୍ଭ ବ୍ୟାଙ୍କ ଚାହୁଁଥିଲା ପୂର୍ବତନ ଡେପୁଟି ଗଭର୍ଣ୍ଣର ରାକେଶ ମୋହନଙ୍କୁ କମିଟିର ମୁଖ୍ୟ କରାଯାଉ। ଏହାକୁ ନେଇ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ସରକାର ନିଜ ଜିଦ୍‌ରେ ଅଟଳ ରହିବା ପରେ ଉର୍ଜିତ ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର