ରିଜର୍ଭ ବ୍ୟାଙ୍କର ଜଟିଳ ଶବ୍ଦ, ଖୋଜିବାକୁ ପଡ଼ୁଛି ଅଭିଧାନ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଦୁଇ ବରିଷ୍ଠ ଅଧିକାରୀ ନିକଟ ଅତୀତରେ ଦୁଇଟି ଅତ୍ୟନ୍ତ ଜଟିଳ ଶବ୍ଦକୁ ବ୍ୟବହାର କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ‘panglossian (ପାଙ୍ଗଲୋସିଆନ)’ ଶବ୍ଦ ବ୍ୟବହାର କରିଥିଲେ। ଏହାର କିଛି ଦିନ ପରେ ମୁଦ୍ରାନୀତି କମିଟିର ସଦସ୍ୟ ଚେତନ ଘାଟେ ‘floccinaucinihilipilification’ ଶବ୍ଦ ବ୍ୟବହାର କରିଛନ୍ତି। ୨୯ଟି ଅକ୍ଷରକୁ ନେଇ ପ୍ରସ୍ତୁତ ଏହି ଶବ୍ଦକୁ ସେ ଅର୍ଥନୀତିର ସ୍ଥିତିକୁ ବର୍ଣ୍ଣନା କରିବା ଲାଗି ବ୍ୟବହାର କରିଛନ୍ତି। ଉଭୟ ଶକ୍ତିକାନ୍ତ ଓ ଘାଟେ ବ୍ୟବହାର କରିଥିବା ଶବ୍ଦର ଅର୍ଥ ବୁଝିବା ଲାଗି ଲୋକମାନଙ୍କୁ ଡିକ୍ସନାରି ବା ଅଭିଧାନ ଖୋଜିବାକୁ ପଡ଼ିଛି। ଶକ୍ତିକାନ୍ତ ବ୍ୟବହାର କରିଥିବା ‘ପାଙ୍ଗଲୋସିଆନ’ ଶବ୍ଦଟିକୁ ସେ ଭୋଲଟାୟାରଙ୍କ ଏକ ଉପନ୍ୟାସରୁ ଆଣିଥିଲେ ଯାହାର ଅର୍ଥ ହେଉଛି ଅତ୍ୟନ୍ତ ଆଶାବାଦୀ ରହିବା। କୌଣସି ପରିସ୍ଥିତିରେ ନିରାଶ ନହେବା ପରାମର୍ଶ ଦେବା ପାଇଁ ସେ ଏହି ଶବ୍ଦକୁ ବ୍ୟବହାର କରିଥିଲେ।

ଘାଟେ ବ୍ୟବହାର କରିଥିବା ୨୯ ଅକ୍ଷର ବିଶିଷ୍ଟ ଶବ୍ଦଟି ହେଉଛି ଚାରିଟି ଲାଟିନ ଶବ୍ଦର ସମାହାର। ତାହା ହେଉଛି ଫ୍ଲୋସି (flicci), ନୌସି (nauci), ନିହିଲି (nihili) ଓ ପିଲି (pili)। ଏହାର ଅର୍ଥ ହେଉଛି ‘କୌଣସି ବିଷୟକୁ ମୂଲ୍ୟହୀନ ବୋଲି ଆକଳନ କରିବାର ଅଭ୍ୟାସ’। ଏହି ଶବ୍ଦକୁ ସେ ଗତ ମୁଦ୍ରାନୀତି ସମୀକ୍ଷା ସମୟରେ ବ୍ୟବହାର କରିଥିଲେ। ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଯେଉଁ ସବୁ ପ୍ରକାର ଆକଳନ କରାଯାଉଛି ତାହାକୁ ବର୍ଣ୍ଣନା କରିବା ଲାଗି ସେ ଏହି ଶବ୍ଦକୁ ବ୍ୟବହାର କରିଥିଲେ। ଇତିହାସ ଭଳି ବିଷୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ଶକ୍ତିକାନ୍ତଙ୍କ ମୁହଁରୁ ଏଭଳି ଜଟିଳ ଶବ୍ଦ ଶୁଣିବା ନିଶ୍ଚିତ ପକ୍ଷେ ଅନେକକୁ ଚକିତ କରିଥିଲା। ତେବେ ଅର୍ଥନୈତିକ ସ୍ଥିତିକୁ ବର୍ଣ୍ଣନା କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ବାରା ଜଟିଳ ଇଂରାଜୀ ଶବ୍ଦ ବ୍ୟବହାର କରିବା କିଛି ନୂଆ କଥା ନୁହେଁ। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ଫେଡେରାଲ ରିଜର୍ଭ ) ବ୍ୟବହାର କରୁଥିବା ଜଟିଳ ଶବ୍ଦକୁ ଆମେରିକାବାସୀ ‘ଫେଡ୍‌ସ୍ପିକ୍ ବା ଗ୍ରିନ୍‌ସ୍ପିକ୍’ କହୁଛନ୍ତି। ଫେଡେରାଲ୍ ରିଜର୍ଭର ମୁଖ୍ୟ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିବା ଆଲାନ୍ ଗ୍ରିନ୍‌ସ୍ପାନ୍‌ଙ୍କ ଅମଳରେ ଜଟିଳ ଶବ୍ଦର ବ୍ୟବହାର ବହୁତ ବଢ଼ିଯାଇଥିଲା। ସେଥିପାଇଁ ଏଭଳି ଶବ୍ଦକୁ ଗ୍ରିନ୍‌ସ୍ପିକ୍‌ କୁହାଯାଉଛି। ତେବେ ଭାରତରେ ଜଟିଳ ଇଂରାଜୀ ଶବ୍ଦ ବ୍ୟବହାରକୁ ବଢ଼ାଇଥିଲେ କଂଗ୍ରେସ ସାଂସଦ ଶଶୀ ଥରୁର। ସେ ହିଁ ପ୍ରଥମ ବ୍ୟକ୍ତି ଯିଏ ‘floccinaucinihilipilification’କୁ ପ୍ରଥମେ ବ୍ୟବହାର କରିଥିଲେ।

ସମ୍ବନ୍ଧିତ ଖବର