ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ରିପୋର୍ଟ, କରୋନା ଏକ କଳା ବାଦଲ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତି କମିଟି ରିପୋର୍ଟକୁ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ କରୋନା ହେଉଛି ଭାରତର ଭବିଷ୍ୟତ ଉପରେ କଳା ବାଦଲ ସଦୃଶ। କରୋନା ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଉଭୟ ଭାରତ ଓ ବିଶ୍ବ ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, କୋଭିଡ୍‌-୧୯ ମହାମାରୀ କାରଣରୁ ବିଶ୍ବ ସ୍ତରରେ ଉତ୍ପାଦନ, ଯୋଗାଣ, ବ୍ୟବସାୟ ଏବଂ ପର୍ଯ୍ୟଟନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଛି। ଆର୍ଥିକ କାର୍ଯ୍ୟକଳାପ ଠପ୍ ହୋଇଯାଇଛି। ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥନୀତିକୁ ଏହା ଆହୁରି ଖରାପ କରିବ। ଦରଦାମ ବୃଦ୍ଧି ଉପରେ କୋଭିଡ୍‌-୧୯ର ପ୍ରଭାବ କ’ଣ ରହିବ ତାହା ଆକଳନ କରାଯାଇପାରିନାହିଁ। ସେଥିପାଇଁ ଜିଡିପି ଅଭିବୃଦ୍ଧି କେତେ‌ ହେବ ତାହା ହିସାବ କରାଯାଇନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ ତରଫରୁ ରେପୋ ହାରରେ ବଡ଼ ଧରଣର ହ୍ରାସ ଘୋଷଣା କରିବା ବେଳେ ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧିର ଆକଳନ ତଥ୍ୟ ପ୍ରକାଶ କରାଯାଇନାହିଁ। ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା। ଏବେ ତାହାର ପ୍ରମୁଖ କାରଣ କ’ଣ ଥିଲା ତାହା ଏବେ ଜଣାପଡ଼ିଛି।

ଯଦି କରୋନାର ମୁକାବିଲା ଶୀଘ୍ର ସମ୍ଭବ ହେବ ତେବେ ରିଜର୍ଭ ବ୍ୟାଙ୍କ ଯେଉଁ ପଦକ୍ଷେପ ନେଇଛି ତାହାର ପ୍ରଭାବରେ ଅର୍ଥନୀତିରେ ଦ୍ରୁତ ସୁଧାର ଆସିପାରିବ ବୋଲି ମୁଦ୍ରାନୀତି ରିପୋର୍ଟରେ କୁହାଯାଇଛି। ଲକ୍‌ଡାଉନ୍ ପ୍ରଭାବରୁ ସାରା ବିଶ୍ବରେ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଭାରତରେ ମଧ୍ୟ ଏହାର ବଡ଼ ଧରଣ ପ୍ରଭାବ ଦେଖିବାକୁ ମିଳିଛି। ମାତ୍ର କେନ୍ଦ୍ର ସରକାର ଯେଉଁଭଳି ପ୍ୟାକେଜ୍ ଘୋଷଣା କରିଛନ୍ତି ଓ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ହ୍ରାସ କରିଥିବାରୁ ତାହାର ପ୍ରଭାବ ଭବିଷ୍ୟତରେ ଦେଖିବାକୁ ମିଳିବ। ରିଜର୍ଭ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭୂତାଣୁ ପ୍ରଭାବ ଯୋଗୁଁ ଅର୍ଥନୀତିରେ ହେଉଥିବା ସୁଧାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ଭୂତାଣୁ ସଂକ୍ରମଣ ବଢ଼ିବା ପୂର୍ବରୁ ୨୦୨୦-୨୧କୁ ଅଭିବୃଦ୍ଧିର ବର୍ଷ ଭାବେ ବିବେଚନା କରାଯାଉଥିଲା। ମାତ୍ର ସେହି ଧାରଣା ଏବେ ବଦଳିଯାଇଛି। ରିଜର୍ଭ ବ୍ୟାଙ୍କ ଅନୁସାରେ ଚଳିତ ବର୍ଷ ଦେଶରେ ରେକର୍ଡ ପରିମାଣର ରବି ଫସଲ ଉତ୍ପାଦନ ହେବ। ଅମଳ ଭଲ ରହିଲେ ଓ ଖାଦ୍ୟ ପଦାର୍ଥ ଦାମ୍ ବଢ଼ିଲେ ଗ୍ରାମାଞ୍ଚଳରେ ଆୟ ବଢ଼ିବ ଯାହା ବିଭିନ୍ନ ସାମଗ୍ରୀର ଚାହିଦା ବଢ଼ାଇବାରେ ସହାୟକ ହେବ। ସେହି ସମୟରେ ଟିକସ କମିଲେ ଏବଂ ଗ୍ରାମୀଣ ଭିତ୍ତିଭୂମି କ୍ଷେତ୍ର ସୁଦୃଢ଼ ହେଲେ ତାହା ଦେଶ ଭିତରେ ବିଭିନ୍ନ ସାମଗ୍ରୀର ଚାହିଦା ବଢ଼ାଇବାରେ ସହାୟକ ହୋଇପାରିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। କିନ୍ତୁ କୋଭିଡ୍‌-୧୯ ଏହି ସବୁ ପ୍ରକାର ସମ୍ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର