ସୁନା ମହଜୁଦରେ ଦଶମ ସ୍ଥାନ ହାସଲ କରିବ ରିଜର୍ଭ ବ୍ୟାଙ୍କ

କେଉଁ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ କେତେ ସୁନା

ମୁମ୍ବାଇ: ବିଶ୍ବରେ ଅଧିକ ପରିମାଣର ସୁନା ଗଚ୍ଛିତ କରି ରଖିଥିବା କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଭାରତର ରିଜର୍ଭ ବ୍ୟାଙ୍କ ଏବେ ଏକାଦଶ ସ୍ଥାନରେ ରହିଛି। ଖୁବଶୀଘ୍ର ଭାରତ ଦଶମ ସ୍ଥାନକୁ ଉଠିବା ସହିତ ଟପ୍ ଟେନ୍ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ସ୍ଥାନ ପାଇବାର ଆଶା ଉଜ୍ଜୀବିତ ହୋଇଛି।
ରିଜର୍ଭ ବ୍ୟାଙ୍କ ଗତ ଜାନୁଆରିରେ ଏହାର ସୁନା ଭଣ୍ଡାରରେ ୬.୫ ଟନ୍ ସୁନା ସାମିଲ କରିଛି। ଫଳରେ ରିଜର୍ଭ ବ୍ୟାଙ୍କ ନିକଟରେ ଏବେ ସୁନା ମହଜୁଦ ପରିମାଣ ୬୦୭ ଟନରେ ପହଞ୍ଚିଛି। ନେଦରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଏବେ ଅଧିକ ସୁନା ଗଚ୍ଛିତ ରଖିବାରେ ଦଶମ ସ୍ଥାନରେ ରହିଛି। ନେଦରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଏବେ ୬୧୨.୫ ଟନ୍ ସୁନା ମହଜୁଦ ରହିଛି। ଅର୍ଥାତ ଭାରତଠାରୁ ନେଦରଲାଣ୍ଡ ନିକଟରେ ଅଧିକ ପ୍ରାୟ ୫.୫ ଟନ୍ ସୁନା ରହିଛି। କିନ୍ତୁ ଗତ ଦଶନ୍ଧିରେ ନେଦରଲାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କର ସୁନା ମହଜୁଦ ପରିମାଣରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ଆସନ୍ତା କିଛିମାସ ମଧ୍ୟରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କର ସୁନା ଗଚ୍ଛିତ ପରିମାଣ ନେଦରଲାଣ୍ଡକୁ ଟପିଯିବ ବୋଲି ଆଶା କରାଯାଉଛି। ୱାର୍ଲଡ ଗୋଲ୍ଡ କାଉନସିଲ୍ ଅନୁଯାୟୀ ବିଶ୍ବରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଗତ ଜାନୁଆରିରେ ସେମାନଙ୍କ ସୁନା ଭଣ୍ଡା‌ରରେ ନିଟ୍ ୩୫ ଟନ୍ ସୁନା ସାମିଲ କରିଛନ୍ତି। ଏହି ମାସରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ମୋଟ ୪୮ ଟନ୍ ସୁନା କିଣିଥିବାବେଳେ ୧୩ ଟନ୍ ସୁନା ବିକ୍ରି କରିଛନ୍ତି। ଏଥିରେ ୯ଟି କେନ୍ଦ୍ରୀୟ ବ୍ୟାଙ୍କର ଯୋଗଦାନ ଆଖିଦୃଶିଆ ରହିଛି। ଗତ ୨୦୦୨ ମସିହା ପରଠାରୁ କୌଣସି ବର୍ଷର ଜାନୁଆରି ମାସରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଏତେ ପରିମାଣରେ ସୁନା କିଣି ନଥିଲେ ବୋଲି ୱାର୍ଲଡ ଗୋଲ୍ଡ କାଉନସିଲ୍‌ର ମାର୍କେଟ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଆଲିଷ୍ଟର ହେୱିଟ୍ କହିଛନ୍ତି। ୨୦୧୮ରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ୬୦୦ ଟନରୁ ଅଧିକ ସୁନା କିଣିଛନ୍ତି। ଏଥିରେ ଉଦୀୟମାନ ଅର୍ଥନୀତି ଭାବେ ବିବେଚିତ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକର ଯୋଗଦାନ ଅଧିକ ରହିଛି। ଗତ ୫ ଦଶନ୍ଧି ମଧ୍ୟରେ ଏହି ସୁନା କ୍ରୟ ସର୍ବାଧିକ ବୋଲି ୱାର୍ଲଡ ଗୋଲ୍ଡ କାଉନସିଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର