ଏୟାର ଇଣ୍ଡିଆ ବିକ୍ରିର ନେତୃତ୍ବ ନେବେ ଶାହ, ମନ୍ତ୍ରୀ ଗୋଷ୍ଠୀରୁ ବାଦ ପଡ଼ିଲେ ଗଡ଼କରୀ

ନୂଆଦିଲ୍ଲୀ: ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ଯେଉଁ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା ସେଥିରୁ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ବିଦା କରାଯାଇଛି। ଆଗକୁ ଏହି ମନ୍ତ୍ରୀ ଗୋଷ୍ଠୀର ନେତୃତ୍ବ ନେବେ ଗୃହ ମନ୍ତ୍ରୀ ଅମିତ ଶାହ। ଏହି ମନ୍ତ୍ରୀ ଗୋଷ୍ଠୀର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଓ‌ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ।

ଏହି ମନ୍ତ୍ରୀ ଗୋଷ୍ଠୀକୁ ୨୦୧୭ ଜୁନ୍‌ରେ ଗଠନ କରାଯାଇଥିଲା। ସେହି ସମୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଏହାର ନେତୃତ୍ବ ଦିଆଯାଇଥିଲା। ଅନ୍ୟ ସଦସ୍ୟ ଭାବେ ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ, କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲ, ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାର ସଦସ୍ୟ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ଥର ସରକାର ଗଠନ କରିବା ପରେ ଏହି ମନ୍ତ୍ରୀ ଗୋଷ୍ଠୀର ପୁନର୍ଗଠନ କରାଯାଇଛି। ପୂର୍ବରୁ ଏଥିରେ ପାଞ୍ଚ ଜଣ ସଦସ୍ୟ ଥିଲେ। ସେମାନଙ୍କ ସଂଖ୍ୟା ଚାରିକୁ ହ୍ରାସ କରାଯାଇଛି। ଏୟାର ଇଣ୍ଡିଆର ୭୬% ଅଂଶଧନ ବିକ୍ରି କରିବା ପାଇଁ ସରକାର ନିବେଶକମାନଙ୍କ ଠାରୁ ପ୍ରସ୍ତାବ ମାଗିଥିଲେ। କିନ୍ତୁ ସେଥିପାଇଁ କୌଣସି ନିବେଶକ ଆଗ୍ରହ ଦେଖାଇ ନଥିଲେ। ଏୟାର ଇଣ୍ଡିଆର ବିକ୍ରି ପ୍ରସ୍ତାବକୁ ଅଧିକ ଆକର୍ଷଣୀୟ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଦିପମ୍ ପକ୍ଷରୁ ଏୟାର ଇଣ୍ଡିଆ ବିକ୍ରି ପାଇଁ ନୂତନ ପ୍ରସ୍ତାବ ପ୍ରସ୍ତୁତ କରାଯାଇସାରିଛି। ୨୦୧୯ ଡିସେମ୍ବର ସୁଦ୍ଧା ଏହାକୁ ବିକ୍ରି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର