ମୁମ୍ବାଇ: ବିଶ୍ବ ସ୍ତରରେ ଅନେକ ପ୍ରକାର ଆହ୍ବାନ ରହିଛି। ବିଭିନ୍ନ ପ୍ରକାର ଘଟଣା ଘଟୁଥିବା ଦେଖାଦେଇଛି। କିନ୍ତୁ ବିଶ୍ବ ସ୍ତରରେ ଏପର୍ଯ୍ୟନ୍ତ କୌଣସି ମାନ୍ଦାବସ୍ଥା ସୃଷ୍ଟି ହୋଇନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ବ୍ଲୁମବର୍ଗ ଇଣ୍ଡିଆ ଇକୋନମିକ୍ ସମିଟ୍ରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ବିଶ୍ବ ଅର୍ଥନୀତିରେ ଏପର୍ଯ୍ୟନ୍ତ ମାନ୍ଦାବସ୍ଥାର ଚିହ୍ନ ନାହିଁ। ତଥାପି ଯେକୌଣସି ପ୍ରକାର ବିପଦକୁ ସାମ୍ନା କରିବା ଭଳି ଶକ୍ତି ଭାରତୀୟ ଅର୍ଥନୀତି ପାଖରେ ରହିଛି। ଯେହେତୁ ଦେଶର ବୈଦେଶିକ ଋଣ ପରିମାଣ ଜିଡିପିର ମାତ୍ର ୧୯.୭% ସ୍ତରରେ ରହିଛି, ତେଣୁ ଦେଶ ବାହାରେ ଘଟୁଥିବା ଘଟଣା ଦ୍ବାରା ଭାରତୀୟ ଅର୍ଥନୀତି ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଲେ, ଆନ୍ତର୍ଜାତିକ ସ୍ତରରେ ଅନେକ ଘଟଣା ସବୁ ଘଟୁଛି। ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ହାର କମୁଥିବା ବେଳେ ପ୍ରାୟ ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜର ମୁଦ୍ରାନୀତିକୁ କୋହଳ କରୁଛନ୍ତି। ବିଶ୍ବ ସ୍ତରରେ ଅନେକ ସାମଗ୍ରୀର ଦାମ୍ କମିଛି। ଏହା ଦ୍ବାରା ଆମଦାନିକାରୀମାନେ ଉପକୃତ ହୋଇଥିବା ବେଳେ ରପ୍ତାନିକାରୀମାନଙ୍କ ବ୍ୟାବସାୟିକ କ୍ଷତି ହୋଇଛି। ନିକଟରେ ସାଉଦି ଆରବର ତୈଳ କାରଖାନାରେ ଡ୍ରୋନ୍ ଆକ୍ରମଣ ଯୋଗୁ ତେଲ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି। ତେବେ ଏହା ଭାରତରେ ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି। ଦେଶ ବାହାରେ ଘଟୁଥିବା କେତେକ ଗୁରୁତ୍ବପୂର୍ଣ୍ଣ ଘଟଣା ଯୋଗୁଁ ନିବେଶକମାନେ ଭୟଭୀତ ହୋଇପଡ଼ିଛନ୍ତି। ପାଣ୍ଠି ବୁଡ଼ିଯିବା ଭୟ ଥିବାରୁ ସେମାନେ ବିକାଶଶୀଳ ଦେଶଗୁଡ଼ିକରେ ଖଟାଇଥିବା ପୁଞ୍ଜିକୁ ପ୍ରତ୍ୟାହାର କରି ତାହାକୁ ବିକଶିତ ଦେଶରେ ଖଟାଉଛନ୍ତି। ବଣ୍ଡ୍ ବଜାରରୁ ମଧ୍ୟ ଭଲ ରିଟର୍ଣ୍ଣ ମିଳୁନଥିବାରୁ ସେମାନଙ୍କ ଚିନ୍ତା ବଢ଼ିଯାଇଛି। ସେଥିପାଇଁ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର କହିଛନ୍ତି।
ଦେଶର ଅର୍ଥନୀତି ଯେଉଁ ସ୍ତରରେ ରହିଛି ସେଠାରେ ବିତ୍ତୀୟ ସମ୍ପ୍ରସାରଣ ଲାଗି ସରକାରଙ୍କ ପାଖରେ ମଧ୍ୟ ବିଶେଷ ସୁଯୋଗ ନାହିଁ ବୋଲି ସେ କହିଛନ୍ତି। ଭାରତୀୟ ଅର୍ଥନୀତି ପ୍ରତି ରହିଥିବା ବାହ୍ୟ ବିପଦଗୁଡ଼ିକ ବିଷୟରେ ସେ କହିଛନ୍ତି ଯେ, ବିଶ୍ବ ଅର୍ଥନୀତିର ମନ୍ଥର ଗତି ଏବଂ ବିଭିନ୍ନ ଦେଶ ଭିତରେ ବାଣିଜ୍ୟ ଲଢ଼େଇ ଓ ଭୌଗୋଳିକ ସମସ୍ୟା ପ୍ରତି ଦେଶକୁ ସଜାଗ ରହିବାକୁ ହେବ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ଅସ୍ଥିର ହେବା ଯୋଗୁ କିଛିଟା ବିପଦ ସୃଷ୍ଟି ହୋଇଛି। ଏହା ଦେଶର ଚଳନ୍ତି ଖାତା ନିଅଣ୍ଟକୁ (ଆମଦାନି ଓ ରପ୍ତାନି ଭିତରେ ଅନ୍ତର) ବେଲଗାମ କରିଦେଇପାରେ। ନୂତନ ରପ୍ତାନି ବଜାର ସନ୍ଧାନ କରି ବିଶ୍ବ ସ୍ତରରେ ସୃଷ୍ଟି ହୋଇଥିବା ସୁଯୋଗର ଲାଭ ଉଠାଇବାକୁ ହେବ। ଭାରତୀୟ ସୂଚନା ପ୍ରଯୁକ୍ତି (ଆଇଟି) କଂପାନିଗୁଡ଼ିକୁ ନୂତନ ଦକ୍ଷତା ଏବଂ ପ୍ରଯୁକ୍ତିରେ ନିବେଶ ପରିମାଣ ବଢ଼ାଇବାକୁ ପଡ଼ିବ। ବିଦେଶରେ ଥିବା ଭାରତୀୟମାନେ ଦେଶ ଭିତରକୁ ପଠାଉଥିବା ଧନରାଶି ଏବଂ ପ୍ରବାସୀ ଭାରତୀୟଙ୍କ ଜମା ରାଶି ଦେଶର ଅର୍ଥନୀତିକୁ ମଧ୍ୟବର୍ତ୍ତୀକାଳୀନ ଭିତ୍ତରେ ବିଭିନ୍ନ ପ୍ରକାର ଝଟ୍କାରୁ ବଞ୍ଚାଇ ପାରିବ ବୋଲି ସେ କହିଛନ୍ତି। ରେମିଟାନ୍ସ ପ୍ରକ୍ରିୟାକୁ ସହଜ କରି ଏବଂ ସେବାବଦରେ ହେଉଥିବା କାରବାର ଖର୍ଚ (ଟ୍ରାଞ୍ଜାକ୍ସନ କଷ୍ଟ୍)କୁ କମ୍ କରାଯାଇପାରିଲେ ଅଧିକ ମାତ୍ରାରେ ପ୍ରବାସୀ ଭାରତୀୟଙ୍କ ଜମା ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି।
ଶକ୍ତିକାନ୍ତ କହିଛନ୍ତି ଯେ, ଷ୍ଟକ ବଜାର ଓ ନିବେଶକମାନଙ୍କ ମନରେ ଭରସା ସୃଷ୍ଟି କରିବା ଲାଗି ସେମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବାକୁ ପଡ଼ିବ। ସେହି ସମୟରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ସଂସ୍କାର ଜାରି ରଖିବାକୁ ହେବ। ଆଇଏମ୍ଏଫ୍ ଆକଳନ ଅନୁଯାୟୀ, ୨୦୨୦ ସୁଦ୍ଧା ବିଶ୍ବ ଅଭିବୃଦ୍ଧି ପ୍ରତି ଭାରତର ଅବଦାନ ୬%କୁ ବୃଦ୍ଧି ପାଇବ। ଭାରତୀୟ ଉଦ୍ୟୋଗୀ, ଟଙ୍କା ଏବଂ ଲୋକମାନେ ପ୍ରଗତିଶୀଳ ହୋଇଥିଲେ ମଧ୍ୟ ସେମାନେ ଦେଶ ଭିତରେ ସୀମିତ ରହିଯାଇଛନ୍ତି। ଆନ୍ତର୍ଜାତିକ ବଜାର ପ୍ରତି ସେମାନେ ବିଶେଷ ଧ୍ୟାନ ଦେଉନାହାନ୍ତି। ଦେଶରେ ନିର୍ଭରଶୀଳ ଲୋକଙ୍କ ତୁଳନାରେ କାମ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିଛି। ଜନସଂଖ୍ୟା ପ୍ରଦାନ କରୁଥିବା ଏହି ଲାଭ ୨୦୫୫ ପର୍ଯ୍ୟନ୍ତ ଜାରି ରହିବ। ଆନ୍ତର୍ଜାତିକ ସ୍ତରରେ ଯେଉଁ ସବୁ ଘଟଣା ଘଟୁଛି ତାହା ଉପରେ ରିଜର୍ଭ ବ୍ୟାଙ୍କ ତୀକ୍ଷ୍ଣ ନଜର ରଖିଛି ଏବଂ ତାହାର ମୁକାବିଲା ଲାଗି ସର୍ବଦା ପ୍ରସ୍ତୁତ ରହିବ ବୋଲି ଶକ୍ତିକାନ୍ତ କହିଛନ୍ତି।