ମାନ୍ଦାବସ୍ଥା: ସାମ୍ପୁ, କାର୍ ବିକ୍ରି କମିଲା, ଲୋକମାନେ ଜଗିରଖି ଖର୍ଚ କରୁଛନ୍ତି

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ବିଶେଷତ୍ବ ହେଉଛି ଏହାର ଗ୍ରାହକ ସଂଖ୍ୟା‌। ଗ୍ରାହକମାନେ ଖର୍ଚ ବଢ଼ାଇଲେ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିଥାଏ। ସେହି ମୂଲ୍ୟବାନ ଗ୍ରାହକମାନେ ଖର୍ଚ କମାଇ ଦେଇଛନ୍ତି। ଯେଉଁ ଜିନିଷକୁ ସେମାନେ ବିପୁଳ ମାତ୍ରାରେ କିଣୁଥିଲେ ତାହାକୁ ଜଗିରଖି କିଣୁଛନ୍ତି। ସେଥିପାଇଁ ଅର୍ଥନୀତିର ଗତି ମନ୍ଥର ହୋଇଯାଇଛି। ଗ୍ରାହକମାନେ ପକେଟ୍‌ରୁ ଟଙ୍କା ବାହାର କରୁନଥିବାରୁ ଆଗାମୀ ଦିନରେ ଅର୍ଥନୀତିର ସ୍ଥିତି ଆହୁରି ଖରାପ ହେବ ବୋଲି ଅନୁମାନ କରାଯାଉଛି।

ଦେଶରେ କାର୍‌, ସାମ୍ପୁ, ଟୁଥ୍‌ପେଷ୍ଟ୍‌ ଆଦି ବିକ୍ରି ବହୁତ କମିଯାଇଛି। କାର୍‌ ବିକ୍ରି ଆଠ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ଶେଷ ଥର ପାଇଁ ୨୦୧୧ରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ନଗଦ ଟଙ୍କା ଅଭାବ, ତେଲ ଦରରେ ବୃଦ୍ଧି ଓ ଗାଡ଼ି ବୀମା ପ୍ରିମିୟମ ପରିମାଣ ବୃଦ୍ଧି କରାଯିବା ପରେ କାର୍‌ ବିକ୍ରି ପ୍ରଭାବିତ ହୋଇଥିବା କୁହାଯାଉଛି। ଲୋକମାନେ ଜିନିଷପତ୍ର କିଣୁନଥିବାରୁ କାରଖାନାରେ ସାମଗ୍ରୀ ଉତ୍ପାଦନ କମିଯାଇଛି। ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଗତ ମାର୍ଚରେ କାରଖାନା ଉତ୍ପାଦନ ଅଭିବୃଦ୍ଧି ବିଯୁକ୍ତାତ୍ମକ ସ୍ତରକୁ ଖସିଛି। ଗ୍ରାମାଞ୍ଚଳରେ ଲୋକମାନେ ସାମ୍ପୁ ଓ ଟୁଥ୍‌ପେଷ୍ଟ୍‌ କିଣିବା କମାଇ ଦେଇଛନ୍ତି। ଏହାର ପ୍ରଭାବରେ ୟୁନିଲିଭର, ଡାବର୍‌ ଓ ଗୋଦ୍‌ରେଜ୍ କଞ୍ଜ୍ୟୁମର ଭଳି କଂପାନିର କାରବାର ହ୍ରାସ ପାଇଛି। ଚଳିତ ବର୍ଷ ସ୍ବାଭାବିକ ଠାରୁ କମ୍ ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଇଥିବାରୁ ଗ୍ରାମାଞ୍ଚଳରେ ଲୋକମାନଙ୍କ ଆର୍ଥିକ ସ୍ଥିତି ଆହୁରି ଖରାପ ହେବ ବୋଲି ଅନୁମାନ କରାଯାଉଛି। ଲୋକମାନଙ୍କ ପାଖରେ ଟଙ୍କା ନରହିଲେ ସେମାନେ ଜିନିଷ କିଣିବାକୁ ଆଗ୍ରହ ଦେଖାଇବେ ନାହିଁ। ଲୋକମାନେ ଏବେ ନୁହେଁ ଚଳିତ ବର୍ଷ ଆରମ୍ଭରୁ ଜଗିରଖି ଖର୍ଚ କରୁଛନ୍ତି। ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଭାରତକୁ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ବିମାନ ଶିଳ୍ପ କୁହାଯାଉଛି। ଏଠାରେ କିନ୍ତୁ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧି ଗତ ମାର୍ଚ ମାସରେ ଛଅ ବର୍ଷର ନିମ୍ନ ସ୍ତରକୁ ଖସିଯାଇଛି। ମାର୍ଚରେ ମାତ୍ର ୧୧.୬ ନିୟୁତ ଲୋକ ବିମାନରେ ଯାତ୍ରା କରିଛନ୍ତି।

ଗାଡ଼ି ଓ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥାର ପ୍ରଭାବ ଇସ୍ପାତ କଂପାନିଗୁଡ଼ିକ ଉପରେ ପଡ଼ିଛି। ଅଟୋମୋବାଇଲ କ୍ଷେତ୍ରରେ ୧୦-୧୨% ଇସ୍ପାତ ବ୍ୟବହାର ହେଉଥିଲା। ସେହି ହାର ଆହୁରି ତଳକୁ ଖସି ଯାଇଛି। ନିର୍ମାଣ କ୍ଷେତ୍ରରେ ମଧ୍ୟ ଲୁହାର ବ୍ୟବହାର କମିଛି।

ସମ୍ବନ୍ଧିତ ଖବର