ସାମସଙ୍ଗ ଲଞ୍ଚ କରିବ କୋଟିଏ ଟଙ୍କାର ଟିଭି

ନୂଆଦିଲ୍ଲୀ: ସାମସାଙ୍ଗ ଖୁବଶୀଘ୍ର ବିଶ୍ୱର ପ୍ରଥମ ମୋଡ୍ୟୁଲର ମାଇକ୍ରୋ ଟିଭି ‘ସାମସଙ୍ଗ ଦି ୱାଲ ଲକଜରୀ’କୁ ଲଞ୍ଚ କରିବାକୁ ଯାଉଛି |ଏହି ଟିଭି କୌଣସି ସାଧାରଣ ଟିଭି ନୁହେଁ ବରଂ ଆପଣ ଏହାର ଆକାର ଶୁଣିଲେ ବିଶ୍ୱାସ କରିବେ ନାହିଁ | କାରଣ ଏହି ଟିଭିର ଲମ୍ବା ୨୪ ଫୁଟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି | ଏହି ଟିଭି ଟି ଜୁଲାଇ ମାସରେ ଲଞ୍ଚ କରାଯିବ | ଏହି ଟିଭିର ରିଜୋଲ୍ୟୁସନ ୮କେ ହୋଇଥିବାବେଳେ ଏଥିରେ ମାଇକ୍ରୋ ଏଲଇଡ଼ି ପ୍ୟାନେଲର ବ୍ୟବସ୍ଥା ହୋଇଛି |

ଏହି ବ୍ୟବସ୍ଥାରେ ଜଣେ ଚାହିଁଲେ ଟିଭିର ଆକାରକୁ ବଡ ବା ସାନ କରିପାରିବ | ଏହି ଟିଭିର ମୋଟେଇ କେବଳ ୩୦ ମିଲିମିଟର ହୋଇଥିବାବେଳେ ୧ ଲକ୍ଷ ଘଣ୍ଟାର ଜୀବନକାଳ ସହ ଲଞ୍ଚ ହେବ | ଟିଭିରେ ୧୨୦ଏଚଜେଡ ସହ ୨୦୦୦ ନିଁଟ୍ସର ଉଜ୍ଜ୍ୱଳତା କ୍ଷମତା ମଧ୍ୟ ଦିଆଯାଇଛି | ସେହିପରି ପ୍ରଥମଥର ପାଇଁ ଏହି ଟିଭିରେ ଏଭିଏଣ୍ଟ ମୋଡ଼ ଦିଆଯାଇଛି, ଯାହାକି ଟିଭିର ପରଦାକୁ ୱାଲପେପର ମୋଡ଼ରେ ବଦଳାଇପାରିବ |

ତେବେ ଲଞ୍ଚ କରାଯିବାର ତାରିଖକୁ ନେଇ ସାମସଙ୍ଗ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନାହିଁ | ଏହାପୂର୍ବରୁ ସାମସଙ୍ଗ ୯୮ ଇଞ୍ଚର କ୍ୟୁଏଲଇଡ଼ି ଟିଭି ଲଞ୍ଚ କରାଯାଇଥିଲା | ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ଥିଲା | ତେଣୁ ଏହି ଟିଭିର ସ୍କ୍ରିନ ୨୯୨ ଇଞ୍ଚ ହୋଇଥିବାରୁ ଏହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି |

ସମ୍ବନ୍ଧିତ ଖବର