ଭାରତକୁ ଅଧିକ ତେଲ ବିକିବ ସାଉଦି

ନୂଆଦିଲ୍ଲୀ: ଇରାନ ଉପରେ ନଭେମ୍ବର ୪ରୁ ଆମେରିକାର ବାଣିଜ୍ୟ କଟକଣା ଲାଗୁ ହେବ। ଏହା ପରେ ବିଶ୍ବ ବଜାରରେ ତେଲର ଅଭାବ ଦେଖାଦେବ। ସେହି ଅଭାବକୁ ପୂରଣ କରିବା ପାଇଁ ଅଧିକ ତେଲ ଉତ୍ପାଦନ କରି ବଜାରରେ ଯୋଗାଇବାକୁ ସାଉଦି ଆରବକୁ ଆମେରିକା କହିଥିଲା। ତାହାକୁ ଦୃଷ୍ଟିରେ ରଖି ଭାରତକୁ ଅଧିକ ତେଲ ଯୋଗାଇ ଦେବାକୁ ସାଉଦି ଆରବ ନିଷ୍ପତ୍ତି ନେଇଛି। ଇରାକ ଓ ସାଉଦି ଆରବ ପରେ ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଇରାନ୍‌ରୁ କିଣୁଛି। ନଭେମ୍ବରରେ ଲାଗୁ ହେବାକୁ ଥିବା ବାଣିଜ୍ୟ କଟକଣା ଯୋଗୁ ଆଉ ଇରାନରୁ ଅଧିକ ତେଲ କିଣିହେବ ନାହିଁ। ସେହି ଅଭାବକୁ ପୂରଣ କରିବା ପାଇଁ ନଭେମ୍ବର ମାସରେ ଭାରତକୁ ଅଧିକ ୪୦ ଲକ୍ଷ ବ୍ୟାରେଲ ତେଲ ବିକିବ ସାଉଦି ଆରବ। ସାଉଦି ଆରବ ଉପରେ ଚାପ ସୃଷ୍ଟି କରିବା ପାଇଁ କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, ଆମ ସୈନ୍ୟଙ୍କ ସହାୟତା ବିନା ସାଉଦି ଶାସକ ଦୁଇ ସପ୍ତାହ ମଧ୍ୟ ଗାଦିରେ ରହିପାରିବେ ନାହିଁ। ଏହା ବ୍ୟତୀତ ଅଧିକ ତେଲ ଉତ୍ପାଦନ କରିବା ପାଇଁ ଆମେରିକା ପକ୍ଷରୁ ରୁଷିଆ ଓ ଓପେକ୍ ରାଷ୍ଟ୍ରଗୁଡ଼ିକ ଅନୁରୋଧ କରାଯାଇଥିଲା। ଉଭୟ ପକ୍ଷ ଆମେରିକାର ଅନୁରୋଧକୁ ପ୍ରଥମେ ଗ୍ରହଣ କରିନଥିଲେ। କିନ୍ତୁ, ଏବେ ଓପେକ୍‌ର ସବୁଠୁ ବଡ଼ ଉତ୍ପାଦନକାରୀ ଦେଶ ସାଉଦି ଆରବ ବଜାରରେ ଅଧିକ ତେଲ ଯୋଗାଣ କରିବାକୁ ପ୍ରସ୍ତୁତ ହୋଇଯାଇଛି।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୫ ଡଲାର ପାଖାପାଖି ରହିଛି। ଇରାନ ତେଲ ବିକ୍ରି ବନ୍ଦ ହୋଇଯିବା ପରେ ଏହି ଦର ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହା ହେଲେ କିଛି ଦିନ ଭିତରେ ତେଲର ବ୍ୟାରେଲ ପିଛା ଦର ୧୦୦ ଡଲାରରୁ ଅଧିକ ହୋଇଯିବ। ଆନ୍ତର୍ଜାତିକ ବଜାରରେ ତେଲ ଦର ବଢ଼ିଲେ ଭାରତ ଭଳି ବିପୁଳ ତେଲ ଆମଦାନି କରୁଥିବା ଦେଶ ବହୁତ ଅସୁବିଧା ଭୋଗିବେ। ଏମିତିରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୪ ଟଙ୍କା ପାଖାପାଖି ରହିଛି। ସେହି ସମୟରେ ଯଦି ତେଲ ଦର ବଢ଼ିବ ତେବେ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବହୁତ ବଢ଼ିଯିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର