ଏସ୍‌ବିଆଇ ରିପୋର୍ଟ: ରାଜ୍ୟ ଟିକସ ଉପରେ ନଜର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ବଢ଼ି ଚାଲିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତେବେ ଏହାକୁ କମାଇବା ପାଇଁ କେହି ପଦକ୍ଷେପ ନେଉନାହାନ୍ତି। ଏଭଳି ସ୍ଥିତିରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଇକୋରାପ୍‌ ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ସରକାରମାନେ ଚାହିଁଲେ ପେଟ୍ରୋଲ ଏବଂ ଡିଜେଲ ଦର କମାଇ ପାରିବେ।
ଅଶୋଧିତ ତେଲ ଦର ବୃଦ୍ଧିର ଅତିରିକ୍ତ ଲାଭକୁ ରାଜ୍ୟ ଗୁଡ଼ିକ ଛାଡ଼ିଦେଲେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୬୫ ପଇସା ଏବଂ ଡିଜେଲ ଦର ୨ ଟଙ୍କା କମିପାରିବ ବୋଲି ଏହି ରିପୋର୍ଟରେ ଆଜି କୁହାଯାଇଛି।
ରିପୋର୍ଟରେ କୁହାଯାଇଛି ଅଶୋଧିତ ତେଲ ଦର ବର୍ତ୍ତମାନ ଯେଉଁ ସ୍ତରରେ ରହିଛି ସେଥିଯୋଗୁଁ ରାଜ୍ୟଗୁଡ଼ିକ ଚଳିତ ଆର୍ଥିକ ବର୍ଷ ଇତିମଧ୍ୟରେ ଅତିକମ୍‌ରେ ଅତିରିକ୍ତ ୧୮,୭୨୮ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିପାରିଛନ୍ତି। ୧୯ଟି ରାଜ୍ୟକୁ ନେଇ ଏହି ବିଶ୍ଳେଷଣ କରାଯାଇଛି। ଦେଶର ମୋଟ ପେଟ୍ରୋଲ, ଡିଜେଲ ବ୍ୟବହାରରେ ଏହି ୧୯ଟି ରାଜ୍ୟର ଅଂଶ ପ୍ରାୟ ୯୩% ରହିଛି। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧ ଡଲାର ବୃଦ୍ଧି ଘଟିଲେ ରାଜ୍ୟ ଗୁଡ଼ିକ ଅତିରିକ୍ତ ୨୬୭୫ କୋଟି ଟଙ୍କା ସଂଗ୍ରହ କରିପାରୁଛନ୍ତି। ବଜେଟ ଆକଳନ ବାଦ୍‌ ସେମାନେ ଏହି ରାଜସ୍ୱ ଆଦାୟ କରୁଛନ୍ତି।
ରାଜ୍ୟ ଗୁଡ଼ିକ ଯଦି ଏହି ରାଜସ୍ୱକୁ ବାଦ୍‌ ଦେଇ ଦିଅନ୍ତି ତାହେଲେ ସେମାନଙ୍କ ବିତ୍ତୀୟ ସ୍ଥିତି ପ୍ରଭାବିତ ହେବନାହିଁ। ରାଜ୍ୟ ଗୁଡ଼ିକ ହାରାହାରି ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୫ ପଇସା ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା କମାଇ ପାରିବେ ବୋଲି ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଏହା ସର୍ବାଧିକ ସମ୍ଭବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଏତଦ୍‌ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସର ଅନ୍ୟ ଏକ ସମ୍ଭାବନା ହେଲା ରାଜ୍ୟ ଗୁଡ଼ିକ ଯେଉଁ ଭାଟ୍‌ ଆଦାୟ କରୁଛନ୍ତି ସେମାନେ ମୂଳ ମୂଲ୍ୟ ଉପରେ ଏହାକୁ ଲାଗୁ କରିବାକୁ ବିଚାର କରିପାରିବେ। ଯଦି ଏହା ହୁଏ ତାହେଲେ ଡିଜେଲ ମୂଲ୍ୟ ପୁଣି ଲିଟର ପିଛା ୩ ଟଙ୍କା ୭୫ ପଇସା ଏବଂ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ୭୫ ପଇସା ହ୍ରାସ ପାଇବ। ଏହା ହେଲେ ରାଜ୍ୟ ଗୁଡ଼ିକୁ ୩୪,୬୨୭ କୋଟି ଟଙ୍କା ଛାଡ଼ିବାକୁ ପଡ଼ିବ।
ଅନ୍ୟପକ୍ଷରେ ଯଦି ଉତ୍ପାଦନ ଶୁଳ୍କ ୧ ଟଙ୍କା ହ୍ରାସ ଘଟେ ତା’ହେଲେ ଏବାବଦରେ କେନ୍ଦ୍ର ସରକାରଙ୍କୁ ୧୦,୭୨୫ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। ୨ ଟଙ୍କା କମାଇଲେ ଏହି କ୍ଷତି ପରିମାଣ ଦୁଇଗୁଣ ହୋଇଯିବ। ଏହାହେଲେ କେନ୍ଦ୍ରର ବିତ୍ତୀୟ ନିଅଣ୍ଟ ବୃଦ୍ଧି ଘଟିବ।
ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକ ନିର୍ବାଚନ ପରିପ୍ରେକ୍ଷୀରେ କମ୍ପାନି ଗୁଡ଼ିକ ୧୯ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରି ନଥିଲେ। କିନ୍ତୁ ଗତ ୧୪ ତାରିଖରୁ ଏହି ଦର କ୍ରମାଗତ ବୃଦ୍ଧି କରି ଆସୁଛନ୍ତି। ଇତିମଧ୍ୟରେ କମ୍ପାନି ଗୁଡ଼ିକ ପେଟ୍ରୋଲ ଦର ଲିଟର ପିଛା ୩ ଟଙ୍କା ୬୪ ପଇସା ଏବଂ ଡିଜେଲ ଦର ୩ ଟଙ୍କା ୨୪ ପଇସା ବୃଦ୍ଧି ଘଟି ସାରିଲାଣି।

ସମ୍ବନ୍ଧିତ ଖବର