ପିଏନ୍‌ବି ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ଠକେଇକୁ ନେଇ ଯେଉଁ ତଦନ୍ତ ଚାଲିଛି ତାହାର ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଠକେଇ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିବାକୁ ଦାବି କରି ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ସେହି ମାମଲାର ଶୁଣାଣି କରି ଆଜି କୋର୍ଟ କହିଛନ୍ତି ଯେ, ଆମେ ଅନୁଧ୍ୟାନ କରିପାରିବୁ ନାହିଁ। ସରକାର ଆମକୁ ଜଣାଇଛନ୍ତି ଯେ ଏ ବାବଦରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲା ବିଚାରଯୋଗ୍ୟ ନା ନାହିଁ, ସେ ନିଷ୍ପତ୍ତି ପ୍ରଥମେ ନିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନଓ୍ଵିଲକର୍‌ ଓ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।
ଏହି ଜନସ୍ୱାର୍ଥ ମାମଲା ଦାୟର କରି ଆବେଦନକାରୀ ଜଣାଇଛନ୍ତି ଯେ ନିରବ ମୋଦି ଓ ମେହୁଲ ଚୋକ୍‌ସି ଠକେଇ କରି ଦେଶରୁ ପଳାୟନ କରିଛନ୍ତି। ସାରା ଦେଶ ଦେଖୁଛି ଯେ ସରକାର କିଛି କରିପାରୁନାହାନ୍ତି। ବିଜୟ ମାଲ୍ୟାଙ୍କ ମାମଲାରେ ମଧ୍ୟ ସେଭଳି ହୋଇଥିଲା। ସରକାର ଓ ଅନ୍ୟମାନଙ୍କୁ କୋର୍ଟ ନୋଟିସ୍‌ ଜାରି କରନ୍ତୁ ବୋଲି ଆବେଦନକାରୀ ଦାବି କରିଥିଲେ। ମାମଲାରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରାଯାଇଥିଲା।
ଏହି ମାମଲାକୁ ରଦ୍ଦ କରିବାକୁ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ କହିଛନ୍ତି ଯେ ସିବିଆଇ, ଇଡି, ଆୟକର ବିଭାଗ ଓ ସିରିଅସ୍‌ ଫ୍ରଡ୍‌ ଇନଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ) ତରଫରୁ ସ୍ୱାଧୀନ ତଦନ୍ତ ଜାରି ରହିଛି। ସେମାନେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ସହିତ ସମ୍ପତ୍ତି ମଧ୍ୟ ଜବତ କରୁଛନ୍ତି। ତେଣୁ ଏହି ମାମଲାରେ ବିଚାର ବିଭାଗୀୟ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି।
ଜନସ୍ୱାର୍ଥ ମାମଲାଟି ବିଚାରଯୋଗ୍ୟ ନା ନାହିଁ ତାହାର ଶୁଣାଣି ଏପ୍ରିଲ୍‌ ୨୩ରେ ହେବ।

ସମ୍ବନ୍ଧିତ ଖବର