ଷ୍ଟକ୍‌ ବଜାରରେ କରୋନା ଝଡ଼, ଦିନକରେ ଉଡ଼ିଗଲା ସାଢ଼େ ପାଞ୍ଚ ଲକ୍ଷ କୋଟି

ଆଉ ଏକ କଳା ଶୁକ୍ରବାର, ସେନ୍‌ସେକ୍ସରେ ୧୪୪୮ ପଏଣ୍ଟ୍‌ ହ୍ରାସ, ୬ ଦିନରେ ୩୦୦୦ ପଏଣ୍ଟ୍‌ ଖସିଲାଣି

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପୁଣି ଏକ କଳା ଶୁକ୍ରବାରକୁ ସାମ୍ନା କରିଛି। କରୋନା ଭୂତାଣୁ ସାରା ବିଶ୍ବରେ ବ୍ୟାପୁଥିବାରୁ ନିବେଶକମାନେ ବିଚଳିତ ହୋଇପଡ଼ିଛନ୍ତି। ଆଜି ବିଶ୍ବର ବିଭିନ୍ନ ଦେଶରେ ନିବେଶକମାନେ ନିଜ ପାଖରେ ଥିବା ‌ସେୟାରକୁ ବିକ୍ରି କରିଥିଲେ। ଏହାର ପ୍ରଭାବ ବମ୍ବେ ଷ୍ଟକ ବଜାର ଉପରେ ମଧ୍ୟ ପଡ଼ିଥିଲା। ଭାରତରେ ମଧ୍ୟ ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସରେ ୧୪୪୮ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ଘଟିଛି। ସେନ୍‌ସେକ୍ସ ଆଜି ୩୮,୨୯୭ ପଏଣ୍ଟ୍‌ ସ୍ତରକୁ ଖସିଆସିଛି। ‌ସେନ୍‌ସେକ୍ସରେ ଘଟିଥିବା ହ୍ରାସ ଯୋଗୁଁ ନିବେଶକମାନେ ୫ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ଶେଷ ଥର ଲାଗି ୨୦୧୫ ଅଗଷ୍ଟ ୨୪ରେ ଗୋଟିଏ ଦିନରେ ସେନ୍‌ସେକ୍ସରେ ୧୬୨୪ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ଘଟିଥିଲା। ବିଗତ ଏକ ସପ୍ତାହ ଭିତରେ ସେନ୍‌ସେକ୍ସରେ ୩୦୦୦ ପଏଣ୍ଟ୍‌ରୁ ଅଧିକ ହ୍ରାସ ପାଇଲାଣି। ଏହାର ପ୍ରଭାବରେ ନିବେଶକମାନେ ପ୍ରାୟ ୧୧ ଲକ୍ଷ ୪୦ ହଜାର କୋଟି ଟଙ୍କାର କ୍ଷହି ସହିଲେଣି। ବିଗତ ୧୦ ବର୍ଷ ଭିତରେ ଗୋଟିଏ ସପ୍ତାହରେ ସେନ୍‌ସେକ୍ସରେ ଏଭଳି ହ୍ରାସ କେବେ ଦେଖିବାକୁ ମିଳିନଥିଲା। ବିଗତ ୬ ଦିନରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୧ ଲକ୍ଷ ୪ ହଜାର କୋଟି ଟଙ୍କା ହରାଇଥିବା ବେଳେ ଟିସିଏସ୍‌ ୫୩,୧୩୩ କୋଟି ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କ ୩୧,୦୬୩ କୋଟି ଟଙ୍କା‌, ଏଚ୍‌ଡିଏଫ୍‌ସି ୨୮,୯୯୬ କୋଟି ଟଙ୍କା, ଇନ୍‌ଫୋସିସ୍ ୨୫,୩୩୯ କୋଟି ଟଙ୍କା ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୨୪,୨୭୦ କୋଟି ଟଙ୍କା ହରାଇଛି। କରୋନା ପ୍ରଭାବରେ ଆଜି ଚୀନ୍‌ ଠାରୁ ଆରମ୍ଭ କରି ଏସିଆର ପ୍ରାୟ ସମସ୍ତ ପ୍ରମୁଖ ଦେଶର ଷ୍ଟକ ବଜାରରେ ଏବଂ ଆମେରିକା ଓ ୟୁରୋପର ବିଭିନ୍ନ ଦେଶରେ ନିବେଶକମାନେ ସେୟାର ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। କରୋନା ପ୍ରଭାବରେ ସାରା ବିଶ୍ବ ପୁଣି ମାନ୍ଦାବସ୍ଥା କବଳରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଶେଷ ଥର ଲାଗି ୨୦୦୮ରେ ବିଶ୍ବ ମାନ୍ଦାବସ୍ଥା ଦେଖାଦେଇଥିଲା। ‌ତାହାର ପ୍ରଭାବ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୂର ହୋଇନଥିବା ବେଳେ ପୁଣି ଏକ ମାନ୍ଦାବସ୍ଥାର ଆଶଙ୍କାକୁ ନେଇ ସାରା ବିଶେଷଜ୍ଞମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର