ସେନସେକ୍ସ ୪୯୫ ପଏଣ୍ଟ ଖସିଲା, ନିବେଶକ ହରାଇଲେ ୧.୯୨ ଲକ୍ଷ କୋଟି

ମୁମ୍ବାଇ: ଭାରତ ସମେତ ୮ଟି ଦେଶକୁ ଇରାନରୁ ତେଲ ଆମଦାନୀ କରିବା ଲାଗି ଆମେରିକା ଯେଉଁ ସୁବିଧା ଦେଇଥିଲା ତାହାକୁ ଖୁବଶୀଘ୍ର ପ୍ରତ୍ୟାହାର କରିନେବାର ଖବର ଭାରତର ଷ୍ଟକ ମାର୍କେଟ ଉପରେ ଖୁବ ଜୋରରେ ପଡ଼ିଛି। ଏଥିଯୋଗୁ ସେନସେକ୍ସ ୪୯୫ ପଏଣ୍ଟ ତଳକୁ ଖସିଯାଇଛି। ସେୟାର ବଜାରରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାରପୁଞ୍ଜି ୧,୫୧୬୦୮୮୫.୯୭ କୋଟି ଟଙ୍କାକୁ ଖସିଆସିଛି। ସେୟାର ମୂଲ୍ୟ ଗୁଡ଼ିକ ହ୍ରାସ ପାଇବା ଫଳରେ ନିବେଶକମାନଙ୍କର ଆଜି ଗୋଟିଏ ଦିନରେ ୧.୯୨ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। କେବଳ ପୁଞ୍ଜି ବଜାର ନୁହେଁ, ମୁଦ୍ରା ବିନିମୟ ବଜାର ମଧ୍ୟ ପ୍ରଭାବିତ ହୋଇଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି। ଏପରିକି ବିଦେଶୀ ନିବେଶ ମଧ୍ୟ ପ୍ରଭାବିତ ହୋଇଛି। ସେନସେକ୍ସ ୪୯୫ ପଏଣ୍ଟ ତଳକୁ ଖସିବା ଦ୍ବାରା ଏହା ଆଜି ୩୮୬୪୫ ‌ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୧୫୮ ପଏଣ୍ଟ ହ୍ରାସ ଘଟି ୧୧୫୯୪ ପଏଣ୍ଟରେ ବନ୍ଦ ହୋଇଛି। ଡଲାର ତୁଳନାରେ ଟଙ୍କା ୨୫ ପଇସା ହ୍ରାସ ଘଟି ୬୯ ଟଙ୍କା ୫୯ ପଇସାରେ କାରବାର ହୋଇଛି। ଭାରତ ଏହାର ମୋଟ ତେଲ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ଆମଦାନୀ କରୁଥିବାରୁ ଭାରତର ଚିନ୍ତା ବଢ଼ିଯାଇଛି। ଅଶୋଧିତ ତେଲ ଦର ବଢ଼ିଲେ ଭାରତର ସ୍ଥୂଳ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି ହେବ। ବିତ୍ତୀୟ ନିଅଣ୍ଟ ଏବଂ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ଘଟିବା ସହିତ ଅଭିବୃଦ୍ଧି ମଧ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର