ମୁମ୍ବାଇ : ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ଯେଉଁ ହ୍ରାସର ଧାରା ଚାଲିଥିବା ତାହା ଗତକାଲି ଠାରୁ ବନ୍ଦ ହୋଇଯାଇଛି। ଗତକାଲି ପ୍ରାୟ ୭୦୦ ପଏଣ୍ଟ୍ ଉପରକୁ ଉଠିଥିବା ସେନ୍ସେକ୍ସରେ ଆଜି ୧୮୬୨ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ଘଟିଛି। ବିଗତ ୧୧ ବର୍ଷ ଭିତରେ ଗୋଟିଏ ଦିନରେ ସେନ୍ସେକ୍ସରେ ଏଭଳି ବୃଦ୍ଧି ଘଟିନଥିଲା। ସେନ୍ସେକ୍ସରେ ଘଟିଥିବା ବୃଦ୍ଧି ଯୋଗୁଁ ନିବେଶକମାନଙ୍କୁ ଆଜି ୪.୭ ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି। ଏଥି ସହିତ ଷ୍ଟକ ବଜାରରେ ପଞ୍ଜୀକୃତ ଥିବା ସମସ୍ତ କଂପାନିର ମୋଟ୍ ବଜାର ପୁଞ୍ଜି ପରିମାଣ ୧,୦୮,୪୦,୧୬୫.୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଜି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟିରେ ୪୯୭ ପଏଣ୍ଟ୍ର ବୃଦ୍ଧି ହୋଇଛି ଓ ତାହା ୮୨୯୮ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତ ଜାନୁଆରିରେ ସେନ୍ସେକ୍ସ ୪୨ ହଜାର ପଏଣ୍ଟ୍ରୁ ଉପର ସ୍ତରରେ ଥିଲା। ମାସକ ଭିତରେ ସେଥିରେ ୧୪ ହଜାରରୁ ଅଧିକ ପଏଣ୍ଟ୍ର ହ୍ରାସ ଘଟିଛି। ଗତ ସୋମବାର ସେନ୍ସେକ୍ସରେ ୪୦୦୦ ପଏଣ୍ଟ୍ର ହ୍ରାସ ଘଟିଥିଲା। ତେବେ କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାର ପ୍ରୋତ୍ସାହନ ପ୍ୟାକେଜ୍କୁ ଚୂଡ଼ାନ୍ତ ରୂପ ଦେଉଥିବାର ସୂଚନା ପ୍ରଦାନ କରିବା ପରେ ନିବେଶକମାନଙ୍କ ମନୋବଳ ଦୃଢ଼ ହୋଇଛି। ସେମାନେ ମନ ଖୋଲି ସେୟାର କିଣିଛନ୍ତି। ଅନେକ ନିବେଶକମାନେ କମ୍ ଦାମ୍ରେ ମିଳୁଥିବା ସେୟାର କିଣୁଥିବାରୁ ସେନ୍ସେକ୍ସରେ ବୃଦ୍ଧି ଘଟିଛି। ଆଜି କେବଳ ଭାରତୀୟ ଷ୍ଟକ୍ ବଜାର ନୁହେଁ ସମଗ୍ର ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ କାରବାର ବହୁତ ଭଲ ରହିଥିଲା। ଆମେରିକାର ୱାଲ୍ ଷ୍ଟ୍ରିଟ୍ ଠାରୁ ଆରମ୍ଭ କରି ଜାପାନର ନିକେଇ ପର୍ଯ୍ୟନ୍ତ ସବୁ ଷ୍ଟକ ବଜାର ସୂଚୀ ବୃଦ୍ଧିର ସହ ବନ୍ଦ ହୋଇଛି।
ସେନ୍ସେକ୍ସରେ ରେକର୍ଡ ୧୮୬୨ ପଏଣ୍ଟ୍ ବୃଦ୍ଧି : ୧୧ ବର୍ଷ ଭିତରେ ସର୍ବାଧିକ, ନିବେଶକଙ୍କ ୪.୭ ଲକ୍ଷ କୋଟି ଲାଭ
/sambad/media/post_attachments/wp-content/uploads/2020/03/bombay.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)