ମଙ୍ଗଳରେ ଅମଙ୍ଗଳ : ସେନସେକ୍ସ ୧୨ଶହ ପଏଣ୍ଟ ହ୍ରାସ, ନିବେଶକଙ୍କ କ୍ଷତି ୫ ଲକ୍ଷ କୋଟି

ମୁମ୍ବାଇ: ଆଜି ଅର୍ଥାତ୍‌ ମଙ୍ଗଳବାରଦିନଟି ଷ୍ଟକ ବଜାର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି । ଆଜି ପୂର୍ବାହ୍ନରେ ବିଏସଇ ସେନସେକ୍ସ ପ୍ରାୟ ୧୨ଶହ ପଏଣ୍ଟ ହ୍ରାସ ପାଇ ୩୪ ହଜାର ପଏଣ୍ଟ ତଳକୁ ହ୍ରାସ ପାଇଯାାଇଥିଲା । ଏହି ୧୨ଶହ ପଏଣ୍ଟ ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୫ ଲକ୍ଷ କୋଟି ହରାଇଥିବା ଅଟକଳ କରାଯାଉଛି । ତେବେ ପରେ ସ୍ଥିତିରେ ସୁଧାର ଆସି ଅପରାହ୍ନ ୩ଟା ବେଳକୁ ସେନସେକ୍ସ ପ୍ରାୟ ୪୬୯.୭୯ ପଏଣ୍ଟ ହ୍ରାସ ସହ ୩୪,୩୦୦.୩୭ ପଏଣ୍ଟରେ ପହଞ୍ଚିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ମଧ୍ୟ ୨୯୦ ପଏଣ୍ଟ ହ୍ରାସ ପାଇ ୧୦,୩୭୬.୫୦ ପଏଣ୍ଟକୁ ଖସିଯାଇଥିଲା । ତେବେ ପରେ ସ୍ଥିତିରେ ଉନ୍ନତି ଦେଖାଦେଇ ଅପରାହ୍ନ ୩ଟା ସୁଦ୍ଧା ୧୦,୫୧୯ ପଏଣ୍ଟକୁ ଛୁଇଁଥିଲା । ଗତ ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ବଜେଟ ଆଗତ କରିବାପରଠାରୁ ଷ୍ଟକ ବଜାରରେ ହ୍ରାସ ଅବ୍ୟାହତ ରହିଛି । ବଜେଟ ଦିନଠାରୁ ଆଜି ସୁଦ୍ଧା ସେନସେକ୍ସ ମୋଟ ୨୧୬୪ ପଏଣ୍ଟ ହ୍ରାସ ପାଇଛି । ଏହା ଦ୍ୱାରା ନିବେଶକମାନେ ପ୍ରାୟ ୯ ଲକ୍ଷ ୬୦ ହଜାର କୋଟି କ୍ଷତି ହୋଇଛି । ତେବେ ଷ୍ଟକବଜାରରେ ଏହି ହ୍ରାସ ପଛରେ ଅନ୍ତର୍ଜାତୀୟ ବଜାରର ପ୍ରଭାବ ମଧ୍ୟ ପଡ଼ିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଆମେରିକାର ଡାଓ ଜୋନ୍ସ ସୂଚକାଙ୍କ ଗତ କାଲି ପ୍ରାୟ ୧୬ଶହ ପଏଣ୍ଟ ହ୍ରାସ ପାଇଥିଲା ଯାହାକି ଏକ ସର୍ବକାଳୀନ ରେକର୍ଡ ହ୍ରାସ । ଏସୀୟ ବଜାରରେ ମଧ୍ୟ ହ୍ରାସ ଦେଖାଦେଇଛି ।

ସମ୍ବନ୍ଧିତ ଖବର