ଗୋଟିଏ ଦିନରେ ପାଖାପାଖି ୩ ହଜାର ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ପ୍ରାୟ ୧୦ ଲକ୍ଷ କୋଟି

ଭୁବନେଶ୍ବର: କରୋନା ପ୍ରଭାବରେ ଭାରତର ସେୟାର ବଜାର ଦୋହଲି ଯାଇଛି । ଗୋଟିଏ ଦିନରେ ପାଖାପାଖି ୩ ହଜାର ପଏଂଟ ଖସିଛି ସେନସେକ୍ସ । ଏବଂ ଆଜି ଗୋଟିଏ ଦିନରେ ନିବେଶକ ହରାଇଛନ୍ତି ପ୍ରାୟ ୧୦ ଲକ୍ଷ କୋଟି ।

ଭାରତୀୟ ସେୟାର ବଜାରକୁ ଛାଡୁନି କରୋନା ଭୟ । ହୋଲି ଛୁଟିକୁ ବାଦ୍ ଦେଇ ସପ୍ତାହର ତୃତୀୟ ଦିନରେ ପୁଣି ଐତିହାସିକ ହ୍ରାସ ହୋଇଛି । ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ- ସେନସେକ୍ସରେ ୩୧୦୦ ପଏଂଟ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ- ନିଫ୍ଟିରେ ୯୫୦ ପଏଂଟ ହ୍ରାସ ଦେଖିବାକୁ ମିଳିଥିଲା । ବଡକଥା ହେଉଛି ଗୋଟିଏ ଦିନରେ ଭାରତୀୟ ସେୟାର ବଜାର ଏତେ ତଳକୁ ପୂବରୁ କେବେ ଖସିନଥିଲା । ଏବେ ନଜର ପକାନ୍ତୁ ଗୁରୁବାର ଦିନର କାରବାର ଉପରେ ।

ଦିନ ୧୦ଟା ୧୫
ସେନସେକ୍ସ- ୩୪,୦୦୦- ୧୯୦୦ ପଏଂଟ ଖସିଲା
ନିଫ୍ଟି– ୯,୯୦୦- ୫୫୦ ପଏଂଟ ଖସିଲା

ଗୁରୁବାର ଭାରତୀୟ ସେୟାର ବଜାରରେ କାରବାର ଆରମ୍ଭର ମାତ୍ର ୧ ଘଂଟା ଭିତରେ ପ୍ରାୟ ୧୯ ଶହ ପଏଂଟ ତଳକୁ ଖସିଥିଲା ବିଏସଇ ସେନସେକ୍ସ । ୩୪ ହଜାର ତଳକୁ ଖସିଆସିଥିଲା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ । ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ମଧ୍ୟ ପ୍ରାୟ ୫୫୦ ପଏଂଟ ହ୍ରାସ ସହିତ ୧୦ ହଜାର ତଳକୁ ଖସିଥିଲା ।

ଦିନ ୧୧ଟା
ସେନସେକ୍ସ- ୩୩୨୫୦- ୨୬୫୦ ପଏଂଟ ଖସିଲା
ନିଫଟି – ୯,୭୫୦- ୭୫୦ ପଏଂଟ ଖସିଲା

ଦିନ ୧୧ଟା ବେଳକୁ ପରିସ୍ଥିତି ଆହୁରି ସାଂଘାତିକ ହୋଇଥିଲା । ଯେତେବେଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ପ୍ରାୟ ୨୬ଶହ ୫୦ ପଏଂଟ ତଳକୁ ଖସି ୩୩ ହଜାର ୨୫୦ରେ ପହଂଚିଥିଲା । ସେହିପରି ୨୦୧୭ ପରେ ପ୍ରଥମଥର ନିଫ୍ଟି ପ୍ରାୟ ୭୫୦ ପଏଂଟ ଖସି ୯ ହଜାର ୭୫୦ ସ୍ତରକୁ ଛୁଇଁଥିଲା । ଗତ ସପ୍ତାହେ ଭିତରେ ବିଏସଇରେ ପଞ୍ଜିକୃତ କମ୍ପାନି ପ୍ରାୟ ୧୭ ଲକ୍ଷ କୋଟି ପୁଞ୍ଜି ହରାଇଛନ୍ତି ।

ଦିନ ୨ଟା ୪୦
ସେନସେକ୍ସ- ୩୨୬୦୦- ୩୧୦୦ ପଏଂଟ ଖସିଲା
ନିଫ୍ଟି – ୯,୫୦୦- ୯୫୦ ପଏଂଟ ଖସିଲା

ମଧ୍ୟାହ୍ନ ପରେ ଉଭୟ ସେନସେକ୍ସ ଓ ନିଫ୍ଟିରେ ହ୍ରାସ ଜାରି ରହିଥିଲା । ବିଏସଇ ସେନସେକ୍ସ ପାଖାପାଖି ୩୧ ଶହ ପଏଂଟ ଖସି ୩୨ ହଜାର ୬ଶହକୁ ଛୁଇଁଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୯ ହଜାର ୫ ଶହରେ ପହଂଚି ଥିବାବେଳେ ଏଥିରେ ପ୍ରାୟ ୯୫୦ ପଏଂଟର ହ୍ରାସ ଦେଖିବାକୁ ମିଳିଥିଲା ।

୧୦୦ରୁ ଅଧିକ ଦେଶରେ ପ୍ରାୟ ୧ ଲକ୍ଷ ୨୫ ହଜାରରୁ ଅଧିକ କରୋନା ଭୂତାଣୁରେ ସଂକ୍ରମିତ ହୋଇସାରିଲେଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷଣା କରିବା ପରେ ଭାରତ ସରକାରଙ୍କ ଭିସା କଟକଣା ନିବେଶକଙ୍କ ଭିତରେ ଭୟ ସୃଷ୍ଟି କରୁଛି । ଯାହାର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ସିଧାସଳଖ ପଡୁଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ଏପରି ନିମ୍ନ ସ୍ତରରେ ପହଂଚିବା ପରେ ଗୋଟିଏ ଦିନରେ ପ୍ରାୟ ୯ ଲକ୍ଷ କୋଟି ହରାଇଛନ୍ତି ନିବେଶକ । ଟାଟା ଷ୍ଟିଲ, ଆକ୍ସିସ ବ୍ୟାଙ୍କ, ଓଏନଜିସି, ଏସବିଆଇ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭଳି ବଡବଡ କମ୍ପାନି ଗୁରୁବାର ଅଧିକ କ୍ଷତି ସହିିଛନ୍ତି । ବିଶ୍ୱ ବଜାରରେ ଅସ୍ଥିରତା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସର ପ୍ରଭାବ ସହିତ କରୋନା ବ୍ୟାପିବା ଭୟରେ ନିବେଶକଙ୍କ ମନରେ ସୃଷ୍ଟି ହୋଇଥିବା କୋକୁଆ ଭୟ ଭାରତୀୟ ସେୟାର ବଜାରର ବିଶ୍ୱାସକୁ ଦୋହଲାଇ ଦେଇଛି । ସାରା ବିଶ୍ୱରେ ସେୟାର ବଜାରର ଅବସ୍ଥା ସମାନ ରହିଛି ।

ଖସୁଛି ସେୟାର ବଜାର, କମୁଛି ଅଶୋଧିତ ତେଲ ଦର । କରୋନା ମାଡରେ ସେୟାର ବଜାର ନିମ୍ନଗାମୀ ହୋଇଥିବାବେଳେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ବିଶେଷ କରି ମାର୍ଚ୍ଚ ୯ ତାରିଖରୁ ଅଶୋଧିତ ତେଲର ମୂଲ୍ୟରେ ୩୦ ପ୍ରତିଶତରୁ ଅଧିକ ହ୍ରାସ ଆସିଛି । କାରଣ କରୋନା ଭୟରେ ତେଲର ଚାହିଦା ମଧ୍ୟ କମିଯାଇଛି । ତେବେ ଭାରତ ଏକ ବୃହତ ତୈଳ ଆମଦାନୀକାରୀ ଦେଶ ହୋଇଥିବାରୁ ଅଶୋଧିତ ତୈଳ ଦରରେ ହ୍ରାସ ଆମପାଇଁ ଖୁସିର ବିଷୟ ବୋଲି ବିଶେଷଜ୍ଞ କହୁଛନ୍ତି ।

ସମ୍ବନ୍ଧିତ ଖବର