ଝଟ୍‌କା ଦେଉଛି ସେନ୍‌ସେକ୍ସ:ଦୁଇ ଦିନରେ ୧୧୫୦ ପଏଣ୍ଟ୍‌ ହ୍ରାସ

ଆସିବ ଗତ ବଜେଟ୍‌ର ପ୍ରଗତିପତ୍ର

ମୁମ୍ବାଇ,: ବଜେଟ୍‌ ପରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସରେ ଆରମ୍ଭ ହୋଇଥିବା ହ୍ରାସର ଧାରା ଜାରି ରହିଛି। ଆଜି ସେନ୍‌ସେକ୍ସ ୩୧୦ ପଏଣ୍ଟ୍‌ ହ୍ରାସ ପାଇ ୩୪, ୭୫୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ଶୁକ୍ରବାର ଓ ଆଜି ଦୁଇ ଦିନରେ ସେନ୍‌ସେକ୍ସରେ ୧୧୫୦ ପଏଣ୍ଟ ହ୍ରାସ ପାଇବା ସହିତ ନିବେଶକମାନେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ହରାଇଛି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍ଟି ଆଜି ୯୪ ପଏଣ୍ଟ୍‌ ହ୍ରାସ ପାଇ ୧୦,୬୬୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବଜେଟ୍‌ରେ ଘୋଷଣା କରାଯାଇଥିବା ଦୀର୍ଘମିଆଦୀ ପୁଞ୍ଜି ଲାଭ (ଏଲ୍‌ଟିସିଜି) ଟିକସକୁ ନେଇ ନିବେଶକମାନେ ଅସନ୍ତୁଷ୍ଟ ଥିବାରୁ ସେମାନେ ବିଭିନ୍ନ କଂପାନିର ସେୟାର ବିକ୍ରି କରିଦେଉଛନ୍ତି।

ଏହାର ପ୍ରଭାବରେ ସେନ୍‌ସେକ୍ସ ହ୍ରାସ ପାଉଛନ୍ତି। କିନ୍ତୁ ସେନସେକ୍ସରେ ଦେଖାଦେଇଥିବା ହ୍ରାସ ଏଲ୍‌ଟିସିଜି ଟିକସ ଯୋଗୁ ନୁହେଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱରେ ଅନ୍ୟ ପୁଞ୍ଜି ବଜାର ହ୍ରାସ ପାଉଛି। ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡ଼ିଛି। ସେହିଭଳି ଅର୍ଥ ସଚିବ ହସମୁଖ ଅଧିଆ ମଧ୍ୟ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ଷ୍ଟକ ବଜାରରେ ହେଉଥିବା କାରବାର ପ୍ରଭାବରେ ଭାରତୀୟ ଷ୍ଟକ ବଜାର କାରବାର ପ୍ରଭାବିତ ହୋଇଛି। ସେନ୍‌ସେକ୍ସରେ ଦେଖାଦେଇଥିବା ହ୍ରାସର କୌଣସି ସମ୍ପର୍କ ଏଲ୍‌ଟିସିଜି ଟିକସ ସହିତ ନାହିଁ ବୋଲି ସେ କହିଛନ୍ତି। ତେବେ କିଛି ଦିନ ଭିତରେ ବଜାରରେ ସ୍ଥିରତା ଫେରି ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ନୂଆଦିଲ୍ଲୀ, : କେନ୍ଦ୍ର ସରକାର ୨୦୧୭-୧୮ ଆର୍ଥିକ ବର୍ଷର ‘ଆଉଟ୍‌କମ୍‌ ବଜେଟ୍‌’କୁ ଚଳିତ ସପ୍ତାହରେ ଉପସ୍ଥାପନ କରିବେ। ଗତ ବଜେଟ୍‌ରେ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟ ଏବଂ ସ୍କିମ୍‌ ପାଇଁ ଯେଉଁ ଅର୍ଥ ଆବଣ୍ଟନ କରାଯାଇଥିଲା ତାହାର କିଭଳି ବିନିଯୋଗ ହୋଇଛି ଏବଂ ସେଥିରୁ କ’ଣ ଫଳାଫଳ ମିଳିଛି ତାହା ଆଉଟ୍‌କମ୍‌ ବଜେଟ୍‌ରେ ସ୍ଥାନ ପାଇବ। ଖର୍ଚରେ ଶୃଙ୍ଖଳା ହାସଲ କରିବା ପାଇଁ ଏହା ଜାରି କରାଯାଉଛି। ଆଉଟ୍‌କମ୍‌ ବଜେଟ୍‌ ହେଉଛି ପୂର୍ବ ବର୍ଷ ବଜେଟ୍‌ରେ ଆବଣ୍ଟନ କରାଯାଇଥିବା ପାଣ୍ଠି ବିନିଯୋଗର ଏକ ପ୍ରଗତି ପତ୍ର। ବିଶେଷ କରି କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌, କେନ୍ଦ୍ର ଦ୍ୱାରା ଆଂଶିକ ପାଣ୍ଠି ପ୍ରଦାନ କରାଯାଉଥିବା ସ୍କିମ୍‌, ଋଣ ଓ ବିଭିନ୍ନ ବଡ଼ ସ୍କିମ୍‌ ଏବଂ କାର୍ଯ୍ୟକ୍ରମର ପ୍ରଦର୍ଶନକୁ ଆଉଟ୍‌କମ୍‌ ବଜେଟ୍‌ରେ ସ୍ଥାନ ଦିଆଯାଇଥାଏ।

ସମ୍ବନ୍ଧିତ ଖବର