ଅଧିକ ବିଦେଶୀ ପୁଞ୍ଜି ଆଣିବା ଲାଗି ଶକ୍ତିକାନ୍ତଙ୍କ ଭିନ୍ନ ପ୍ରୟାସ

ମୁମ୍ବାଇ: ପାରମ୍ପରିକ ବ୍ୟବସ୍ଥା ଠାରୁ ଅଲଗା କିଛି କରିବା ଲାଗି ସର୍ବଦା ଉଦ୍ୟମ କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଉ ଏକ ନୂଆ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଦେଶକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ଲାଗି ସେ ସରକାରୀ ପ୍ରତିଭୂତି ଓ ବଣ୍ଡ୍‌କୁ ଆନ୍ତର୍ଜାତିକ ସୂଚୀ ସହିତ ଯୋଡ଼ିବାକୁ ଚାହୁଛନ୍ତି। ସେଥିପାଇଁ ବିଶ୍ବର କିଛି ପ୍ରତିଷ୍ଠିତ ସଂସ୍ଥା ସହିତ କଥାବାର୍ତା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଶକ୍ତିକାନ୍ତ ଭାବୁଛନ୍ତି ବିଶ୍ବ ସୂଚୀ ସହିତ ସରକାରୀ ବଣ୍ଡ୍‌ ଯୋଡ଼ିହେଲେ ଅଧିକ ପୁଞ୍ଜି ଦେଶ ମଧ୍ୟକୁ ଆସିବ। ଫଳରେ ଦେଶ ଭିତରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଲାଗି ସହଜରେ ପୁଞ୍ଜି ଉପଲବ୍ଧ ହୋଇପାରିବ।

ବିଶ୍ବ ସ୍ତରର ଫଣ୍ଡ୍‌ ହାଉସ୍‌ ବା ପାଣ୍ଠି ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ‘ବିଶ୍ବ ସ୍ତରୀୟ ସୂଚୀ’ ଉପରେ ସର୍ବଦା ନଜର ରଖିଥାନ୍ତି। ସେହି ସୂଚୀଗୁଡ଼ିକର ପ୍ରଦର୍ଶନ ଅନୁସାରେ ସେମାନେ ନିବେଶ ନି‌ଷ୍ପତ୍ତି ଗ୍ରହଣ କରନ୍ତି। କିଛି ପ୍ରତିଷ୍ଠିତ ଫଣ୍ଡ୍‌ ହାଉସ୍‌ ପାଇଁ ଏହା ଏକ ପ୍ରକାର ବାଧ୍ୟତାମୂଳକ। ଏହାକୁ ନଜରରେ ରଖି ସରକାରୀ ବଣ୍ଡ୍‌ଗୁଡ଼ିକୁ ବିଶ୍ବ ସ୍ତରୀୟ ସୂଚୀ ସହିତ ଯୋଡ଼ିବାକୁ ଶକ୍ତିକାନ୍ତ ଚାହୁଛନ୍ତି। ସେ କହିଛନ୍ତି, ବିଦେଶୀ ନିବେଶକମାନେ ଦୀର୍ଘ ଦିନରୁ କରୁଥିବା ଏକ ବଡ଼ ଦାବିକୁ ଏଥର ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂରଣ କରିଛନ୍ତି। କିଛି ନିର୍ଦିଷ୍ଟ ବର୍ଗର ସରକାରୀ ପ୍ରତିଭୂତିକୁ ଅଣ ପ୍ରବାସୀ ନିବେଶକଙ୍କ ପାଇଁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରାଯାଇଛି। ବିଶ୍ବର ଅନେକ ନିବେଶକ ବ୍ଲୁମବର୍ଗ ବାର୍‌କ୍ଳେ ଇମର୍ଜିଂ ମାର୍କେଟ ବଣ୍ଡ୍‌ ଇଣ୍ଡେକ୍ସ ଉପରେ ସର୍ବଦା ନଜର ରଖିଥାନ୍ତି ଏବଂ ଏହି ସୂଚୀର ପ୍ରଦର୍ଶନ ଅନୁସାରେ ନିବେଶ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ସରକାରୀ ବଣ୍ଡ୍‌ଗୁଡ଼ିକୁ ଏହିଭଳି ସୂଚୀ ସହିତ ଯୋଡ଼ିବାକୁ ଶକ୍ତିକାନ୍ତ ଚାହୁଛନ୍ତି। ତେବେ ଏହି କାର୍ଯ୍ୟ ସମାପନ ହେବା ଲାଗି କେତେ ସମୟ ଲାଗି ତାହା କହିବା କଷ୍ଟକର ବୋଲି ସେ କହିଛନ୍ତି। କିନ୍ତୁ କଥାବାର୍ତା ଜୋରସୋରରେ ଜାରି ରହିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର