ମାନ୍ଦାବସ୍ଥାର ସଙ୍କେତ: ଲୋକେ ସାବୁନ, ବିସ୍କୁଟ ଖର୍ଚ କମାଇଲେଣି

ନୂଆଦିଲ୍ଲୀ: ତେଲ, ସାବୁନ ଓ ବିସ୍କୁଟ ଆଦିରେ ଲୋକମାନେ ଖର୍ଚ କମାଇ ଦେଲେଣି। ପୂର୍ବରୁ ଦେଶରେ ଯେତିକି ସାବୁନ ବିକ୍ରି ହେଉଥିଲା, ଏବେ ତା’ଠାରୁ ଯଥେଷ୍ଟ କମ୍ ପରିମାଣର ସାବୁନ ବିକ୍ରି ହେଉଛି। କିଛି ମାସ ହେଲାଣି ଦେଶରେ ଏଭଳି ସ୍ଥିତି ଲାଗି ରହିଛି। ଏହାକୁ ଅର୍ଥନୀତିରେ ମାନ୍ଦାବସ୍ଥାର ସଙ୍କେତ ବୋଲି ବିବେଚନା କରାଯାଉଛି। ଗବେଷଣା ସଂସ୍ଥା ନିଲ୍‌ସନ୍‌ ପକ୍ଷରୁ କୁହାଯାଇଛି ଯେ, ସହରାଞ୍ଚଳରେ ଲୋକମାନେ ନିଜ ଖର୍ଚ କମାଇ ଦେଇଛନ୍ତି। ଗ୍ରାମାଞ୍ଚଳରେ ବିଭିନ୍ନ ସାମଗ୍ରୀର ବିକ୍ରି ବଢ଼ୁନାହିଁ। ଏହା ତେଲ ସାବୁନ ବିକ୍ରି କରୁଥିବା ଏଫ୍‌ଏମ୍‌ସିଜି କଂପାନିଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି। ଗତ ତିନିଟି ତ୍ରୟମାସର ସ୍ଥିତି ଏଇଆ। ଖାଦ୍ୟପଦାର୍ଥ, ପର୍ସନାଲ୍ କେୟାର ଓ ହୋମ୍ କେୟାର ସାମଗ୍ରୀର ବିକ୍ରି କମିଛି। ଲୁଣିଆ ସ୍ନାକ୍ସ ଠାରୁ ଆରମ୍ଭ କରି ବିସ୍କୁଟ, ମସଲା, ସାବୁନ ଏବଂ ପ୍ୟାକେଟ୍‌ରେ ମିଳୁଥିବା ଚା’ ପର୍ଯ୍ୟନ୍ତ ସବୁ କିଛିର ବିକ୍ରି କମିଛି। କଂପାନିଗୁଡ଼ିକ ସେମାନଙ୍କ ମୋଟ ବିକ୍ରିର ୩୭% ଗ୍ରାମାଞ୍ଚଳରେ କରୁଛନ୍ତି। ସାଧାରଣତଃ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ବଜାରରେ ବିକ୍ରି ୩-୫% ଅଧିକ ହାରରେ ହୋଇଥାଏ।। ସୁଲଭ ଦାମ୍‌ରେ ଜିନିଷ ମିଳିବା, ଠିକ୍ ସମୟରେ ଉପଲବ୍ଧ ହେବା ଓ ଗ୍ରାହକଙ୍କ ଚାହିଦା ଥିବାରୁ ଗ୍ରାମାଞ୍ଚଳରେ ତେଲ, ସାବୁନ ଭଳି ଜିନିଷ ଅଧିକ ବିକ୍ରି ହୋଇଥାଏ। କିନ୍ତୁ ଗତ କିଛିମାସ ହେଲା ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ବିକ୍ରି ହ୍ରାସ ପାଇଛି। ଏଥିଯୋଗୁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ବଜାର ମଧ୍ୟରେ ବିକ୍ରି ଅଭିବୃଦ୍ଧି ପ୍ରାୟ ସମାନ ସ୍ତରକୁ ଆସିଯାଇଛି। ହରିଆନା, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ ଏଫ୍‌ଏମ୍‌ସିଜି ସାମଗ୍ରୀ ବିକ୍ରି ବହୁତ ତଳକୁ ଖସିଯାଇଛି। ଏଫ୍‌ଏମ୍‌ସିଜି କଂପାନିଗୁଡ଼ିକର ସମସ୍ୟା ଚଳିତ ବର୍ଷ ପ୍ରଥମ ମାସରୁ ଆରମ୍ଭ ହୋଇଯାଇଥିଲା। ଲୋକସଭା ନିର୍ବାଚନ ଥିବାରୁ ନଗଦ ଟଙ୍କାରେ ଅଧିକ କାରବାର କରିବାକୁ ବିତରକମାନେ କୁଣ୍ଠା ପ୍ରକାଶ କରିଥିଲେ। ଏଫ୍‌ଏମ୍‌ସିଜି ଶିଳ୍ପରେ କିଣାବିକା ନଗଦ ଟଙ୍କାରେ ଅଧିକ ହୋଇଥାଏ। ବିତରକମାନେ ଅଧିକ ଜିନିଷ ରଖିବା କମାଇ ଦେବାରୁ କଂପାନିଗୁଡ଼ିକର ବିକ୍ରି ମଧ୍ୟ କମିଯାଇଥିଲା।

ସମ୍ବନ୍ଧିତ ଖବର