ସୋ’ରୁମ୍‌ ଅନୁଭୂତି ଦେଉଛି ‌‘ନେକ୍ସା ଟର୍ମିନାଲ୍’

ଭୁବନେଶ୍ବର: ମାରୁତି ସୁଜୁକିର ପ୍ରିମିୟମ୍ କାର୍ ବିକ୍ରି କରୁଥିବା ସୋ’ରୁମ୍ ନେକ୍ସା ପକ୍ଷରୁ ରାଜ୍ୟର ଗ୍ରାହକମାନଙ୍କ ପାଇଁ ଭ୍ରାମ୍ୟମାଣ ସୋ’ରୁମ୍ ବିକଶିତ କରାଯାଇଛି। ଏହାର ନାମ ରଖାଯାଇଛି ‘ନେକ୍ସା ଟର୍ମିନାଲ୍’। ଯେଉଁ ସବୁ ସ୍ଥାନରେ ନେକ୍ସା ସୋ’ରୁମ୍ ନାହିଁ ସେଠାରେ ଏହା ଗ୍ରାହକମାନଙ୍କୁ ସୋ’ରୁମ୍‌ ଭଳି ଅନୁଭୂତି ପ୍ରଦାନ କରିବ। ସାରା ଭାରତରେ ମାରୁତି ସୁଜୁକି ପକ୍ଷରୁ ଏଭଳି ତିନିଟି ପ୍ରକଳ୍ପ ଆରମ୍ଭ କରାଯାଇଛି। ପୂର୍ବ ଭାରତର ପ୍ରଥମ ସହର ଭାବେ ଭୁବନେଶ୍ବରରେ ଏହି ପ୍ରକଳ୍ପକୁ ସହିଦ ନଗର ଦୁର୍ଗାପୂଜା ମଣ୍ଡଳରେ ଆରମ୍ଭ କରାଯାଇଛି। ନେକ୍ସା ଟର୍ମିନାଲ୍‌କୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଭୁବନେଶ୍ବର-୧ର ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟ ନାରାୟଣ ପାତ୍ର ଓ ମାରୁତି ସୁଜୁକି ନେକ୍ସାର ଆଞ୍ଚଳିକ ପ୍ରବନ୍ଧକ ବିକ୍ରମ ଶତପଥୀ ଉଦ୍‌ଘାଟନ କରିଛନ୍ତି। ନେକ୍ସା ଟର୍ମିନାଲ୍ ସହିଦନଗର ଦୁର୍ଗାପୂଜା ମଣ୍ଡପରେ ଚଳିତ ମାସ ୩୦ ପର୍ଯ୍ୟନ୍ତ ରହିବ। ଆଗାମୀ ଦୁଇ ମାସ ଭିତରେ ଏହା ରାଜ୍ୟର ଅନ୍ୟ ସ୍ଥାନ ଭ୍ରମଣ କରିବ ଯେଉଁ ଠାରେ ନେକ୍ସା ସୋ’ରୁମ୍ ନାହିଁ। ଏହି ଭ୍ରାମ୍ୟମାଣ ସୋ’ରୁମ୍‌ରେ କଂପାନିର ଦୁଇଟି ମଡେଲ୍‌ ଇଗ୍‌ନିସ୍ ଓ ଏସ୍‌-କ୍ରସ୍‌କୁ ପ୍ରଦର୍ଶିତ କରାଯାଇଛି। ଏହାର ଭିତର ପାର୍ଶ୍ବ ନେକ୍ସା ସୋ’ରୁମ୍ ଭଳି ହୋଇଥିବା ବେଳେ ସୋ’ରୁମ୍ ସବୁ ପ୍ରକାର ସୁବିଧା ସୁଯୋଗ ଏଥିରେ ରହିଛି। ଗ୍ରାହକମାନେ ଏଠାରେ ନୂଆ ଗାଡ଼ି ବୁକିଙ୍ଗ କରିପାରିବେ। ପୁରୁଣା ଗାଡ଼ିକୁ ମଧ୍ୟ ବଦଳାଇପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର