ତତ୍କାଳ ୭୫୦ କୋଟି ନମିଳିଲେ ଜେଟ୍‌ ବନ୍ଦ ହୋଇଯିବ

ମୁମ୍ବାଇ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍‌କୁ ତୁରନ୍ତ ୭୫୦ କୋଟି ଟଙ୍କା ଦରକାର। ଏଥିପାଇଁ କଂପାନିର ଅଧ୍ୟକ୍ଷ ନରେଶ ଗୋୟଲ୍‌ ନିଜର ସହଯୋଗୀ ଏତିହାଦ୍‌କୁ ୭୫୦ କୋଟି ଟଙ୍କା ମାଗିଛନ୍ତି। ଏନେଇ ଏତିହାଦ୍‌କୁ ସେ ଏକ ଚିଠି ଲେଖିଛନ୍ତି। ସେ ଜଣାଇଛନ୍ତି ଯେ, ତୁରନ୍ତ ୭୫୦ କୋଟି ଟଙ୍କା ଦରକାର। ଏହି ଟଙ୍କା ନମିଳିଲେ ଜେଟ୍ ବନ୍ଦ ହୋଇଯିବ। କଂପାନିର ସ୍ଥିତି ବହୁତ ଅନିଶ୍ଚିତ ରହିଥିବା ସେ ଏତିହାଦ୍‌କୁ ଜଣାଇଛନ୍ତି। ଏତିହାଦ୍‌ ହେଉଛି ଆବୁଧାବିର ବିମାନ କଂପାନି ଯାହାର ୨୪% ଅଂଶଧନ ଜେଟ୍‌ ଏୟାରୱେଜ୍‌ରେ ରହିଛି।
ଲିଜ୍‌ରେ ବିମାନ ଦେଇଥିବା ସଂସ୍ଥାଗୁଡ଼ିକୁ ଜେଟ୍ ପେମେଣ୍ଟ୍ ଦେଇପାରୁନି। ସେଥିପାଇଁ ଏହାର ୫୦ରୁ ଅଧିକ ବିମାନ ଠିଆ ହୋଇରହିଛି। ଏତିହାଦ୍‌ ଠାରୁ ପାଣ୍ଠି ହାସଲ କରିବା ପାଇଁ ନିଜର ଅଂଶଧନ ବନ୍ଧକ ରଖିବାକୁ ମଧ୍ୟ ଜେଟ୍‌ ଭାରତ ସରକାରଙ୍କ ମଞ୍ଜୁରି ହାସଲ କରିସାରିଛି।
ଅନ୍ୟ ପକ୍ଷରେ, ଆର୍ଥିକ ସଙ୍କଟ ଯୋଗୁ ବିଦେଶରୁ କଂପାନି ଯେଉଁ ଋଣ ହାସଲ କରିଥିଲା ତାହାକୁ ପରିଶୋଧ କରିବାରେ ସମସ୍ୟା ସାମ୍ନା କରୁଛି। ମାର୍ଚ ୧୧ରେ ବୈଦେଶିକ ଋଣ କିସ୍ତି ପ୍ରଦାନ କରିବାର ସମୟ ଥିଲା। ସେଥିରେ ଜେଟ୍‌ ଖିଲାପ କରିଥିବା ଜଣାପଡ଼ିଛି। ଏସଂକ୍ରାନ୍ତରେ କଂପାନି ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜ୍‌କୁ ସୂଚନା ଦିଆଯାଇଛି। ଋଣ ପରିଶୋଧ ପାଇଁ ଅଧିକ ମହଲତ ଦେବାକୁ କଂପାନି ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ସହ ଆଲୋଚନା ଜାରି ରଖିଛି।
ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଜେଟ୍‌ ଠାରୁ ଋଣ ଅର୍ଥ ଆଦାୟ କରିବା ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏକ ଯୋଜନା ପ୍ରସ୍ତୁତ କରୁଛି। ଅନ୍ୟତମ ସରକାରୀ ବ୍ୟାଙ୍କ-ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି) ଏବେ ଏସ୍‌ବିଆଇର ଯୋଜନାକୁ ଚାତକ ଭଳି ଚାହିଁରହିଛି। ପିଏନ୍‌ବି ତରଫରୁ ଜେଟ୍‌କୁ କୌଣସି ନୂତନ ଋଣ ମଞ୍ଜୁର କରାଯାଉନାହିଁ। ଜେଟ୍‌କୁ ପିଏନ୍‌ବି ପକ୍ଷରୁ ୨୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ବ୍ୟାଙ୍କର ମହାପ୍ରବନ୍ଧକ ରାଜିବ ପୁରୀ ରିପୋର୍ଟରେ କରାଯାଇଥିବା ଦାବିକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର