ସିଂଘାଣିଆ ବିବାଦ:ବାପାଙ୍କ ପୁସ୍ତକକୁ ଡରିଗଲେ

ସବୁ ପ୍ରକାର କଥାବାର୍ତା ପାଇଁ ପୁଅ ରାଜି ବାପା ଆମ ସହିତ ରହିପାରିବେ:ପୁଅ

କୋଲକାତା: ରେମଣ୍ଡ୍‌ ସାମ୍ରାଜ୍ୟର ପ୍ରତିଷ୍ଠାତା ବିଜୟପତ୍‌ ସିଂଘଣିଆ ଓ ତାଙ୍କ ସାନ ପୁଅ ଗୌତମ ସିଂଘାଣିଆଙ୍କ ମଧ୍ୟରେ ଚାଲିଥିବା ବିବାଦ ଏକ ନୂଆ ମୋଡ଼ ନେଇଛି। ତିନି ବର୍ଷ ପର୍ଯ୍ୟନ୍ତ ବାପାଙ୍କ କୌଣସି କଥାକୁ ଖାତିର କରିନଥିବା ଗୌତମ ହଠାତ୍ ସଚେତନ ହୋଇପଡ଼ିଛନ୍ତି। ସବୁ ପ୍ରସଙ୍ଗରେ ବାପାଙ୍କ ସହ କଥାବାର୍ତା କରି ବିବାଦର ଆପୋଷ ସମାଧାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କେବଳ ‌ସେତିକି ନୁହେଁ, ଆମ ସହ ବାପା‌ ଆସି ରହିପାରିବେ ବୋଲି ସେ କହିଛନ୍ତି।
ଗୌତମଙ୍କ ଆଭିମୁଖ୍ୟରେ ଏଭଳି ହଠାତ୍‌ ପରିବର୍ତ୍ତନକୁ ସହଜରେ ଗ୍ରହଣ କରିହେଉନାହିଁ। ତେବେ ତାଙ୍କ ବାପା ବିଜୟପତ୍‌ ଏକ ପୁସ୍ତକ ଲେଖୁଥିବା ଜାଣିବା ପରେ ଗୌତମଙ୍କ ନିଦ ହଜିଯାଇଛି। ପୁସ୍ତକ ବିଷୟରେ ସେ କହିଛନ୍ତି ଯେ, ମୋ ବାପା ଏକ ପୁସ୍ତକ ଲେଖୁଛନ୍ତି ଓ ମୋତେ ଭଲ ଭାବେ ଜଣା ଯେ ସେଥିରେ ମୋ ବିରୋଧରେ ଅନେକ କଥା ଲେଖାଯାଇଥିବ। ଗୌତମ କହିଛନ୍ତି ଯେ, ବାପାଙ୍କର ଯଦି କୌଣସି ସମସ୍ୟା ରହିଛି ତେବେ ତାହାକୁ କଥାବାର୍ତା ଜରିଆରେ ସମାଧାନ କରାଯାଇପାରିବ। ସେ କାହିଁକି ପୁସ୍ତକ ଲେଖୁଛନ୍ତି? ଯଦି ତାଙ୍କର କୌଣସି ସମସ୍ୟା ନାହିଁ ତେବେ ମୁଁ ତାଙ୍କ ସହ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି ଅଛି ବୋଲି ଗୌତମ କହିଛନ୍ତି। ବିଜୟପତ୍‌ ନିଜର ଆତ୍ମକଥା ’ଦି କମ୍ପ୍ଲିଟ ମ୍ୟାନ୍’ ଲେଖୁଛନ୍ତି। ସେହି ପୁସ୍ତକ ପ୍ରକାଶନ ଉପରେ ରୋକ ଲଗାଇବା ପାଇଁ ଗୌତମ ମୁମ୍ବାଇର ଏକ ସିଭିଲ୍ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେବା ପରେ କଥାବାର୍ତା ହେବାକୁ ଗୌତମ ରାଜି ହୋଇଯାଇଛନ୍ତି।
୨୦୧୫ରେ ବିଜୟପତ୍‌ ରେମଣ୍ଡର ଅଧ୍ୟକ୍ଷ ପଦରୁ ହଟିଯାଇଥିଲେ। ନିଜର ଉତ୍ତରାଧିକାରୀ ଭା‌ବେ ସେ ପୁଅ ଗୌତମଙ୍କୁ ଚୟନ କରିଥିଲେ। ଗୌତମଙ୍କ ନାମରେ ନିଜର ସବୁ ସମ୍ପତ୍ତି କରିଦେଇଥିଲେ। ଏହା ପରେ ବାପପୁଅ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିଜୟପତ୍‌ ଅଭ‌ିଯୋଗ କରିଥିଲେ ଯେ ଗୌତମ ତାଙ୍କ ଠାରୁ କଂପାନିର ଅବସରପ୍ରାପ୍ତ ଅଧ୍ୟକ୍ଷ ପଦ ଛଡ଼ାଇ ନେଇଛନ୍ତି ଏବଂ ତାଙ୍କୁ ଫ୍ଲାଟ୍‌ରୁ ବାହାର କରିଦେଇଛନ୍ତି।

ସମ୍ବନ୍ଧିତ ଖବର