ଏସ୍‌ଏଲ୍‌ବିସିର ମାନସମନ୍ଥନ ଆରମ୍ଭ, ୫ ଟ୍ରିଲିଅନ ଅର୍ଥନୀତିର ସ୍ବପ୍ନ

ଭୁବନେଶ୍ବର: ମୋଦୀ ସରକାର ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ଅର୍ଥନୀତିର ଆକାରକୁ ୫ ଟ୍ରିଲିଅନ ଡଲାରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥନୀତିର ଏହି ଲକ୍ଷ୍ୟ ହାସଲରେ ବ୍ୟାଙ୍କ ଗୁଡ଼ିକର ପ୍ରମୁଖ ଯୋଗଦାନ ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଅଧିକାରୀମାନଙ୍କୁ ନେଇ ତିନୋଟି ପର୍ଯ୍ୟାୟରେ ମାନସ ମନ୍ଥନ ଆରମ୍ଭ ହୋଇଛି। ଗତ ୧୭ ଏବଂ ୧୮ ତାରିଖରେ ବ୍ୟାଙ୍କ ଶାଖା ପରିଚାଳକମାନଙ୍କୁ ନେଇ ମାନସ ମନ୍ଥନ ହୋଇଥିବା‌ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସଏଲବିସି)ର ଦୁଇ ଦିନିଆ ମାନସ ମନ୍ଥନ ଆରମ୍ଭ ହୋଇଛି। ସ୍ଥାନୀୟ ହୋଟେଲ ମେ ଫେୟାର ଲାଗୁନ ପରିସରରେ ଆରମ୍ଭ ହୋଇଥିବା ଏହି ମାନସ ମନ୍ଥନରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ସୁପାରିସ ଉପରେ ଆଲୋଚନା ହେବା ସହିତ ନୂଆ ଚିନ୍ତାଧାରା ଗୁଡ଼ିକ ନେଇ ଆଲୋଚନା ହୋଇଛି। ବିଶେଷକରି ବ୍ୟାଙ୍କ ଗୁଡ଼ିକର ଋଣ ଅଭିବୃଦ୍ଧିକୁ ୧୨ ପ୍ରତିଶତରୁ ଊର୍ଧ୍ବରେ ରଖିବା ପାଇଁ ଯୋଜନା କରାଯାଇଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ଏସଏଲବିସି ଓଡ଼ିଶାର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୟ ବ୍ୟାସ କହିଛନ୍ତି, ଅର୍ଥନୀତିକୁ ଆଗକୁ ନେବା ପାଇଁ ବ୍ୟାଙ୍କ ଗୁଡ଼ିକ ଅନେକ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଏହାର ସୁଧ ହାରକୁ ରେପୋ ହାର ସହ ଯୋଡ଼ି ସାରିଥିବାବେଳେ ଚଳିତମାସ ଶେଷ ସୁଦ୍ଧା ଅଧିକାଂଶ ବ୍ୟାଙ୍କ ଏଭଳି ପଦକ୍ଷେପ ନେବା ନେଇ ଆଲୋଚନା ହୋଇଛି। ‌ଏତଦବ୍ୟତୀତ ଦେଶରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଖାତା ସଂଖ୍ୟା ୩୫ କୋଟିରେ ପହଞ୍ଚି ସାରିଛି। ସେହିଭଳି ୯୫ ପ୍ରତିଶତ ଲୋକଙ୍କ ପାଖରେ ଆଧାର ଥିବାବେଳେ ୧୨୦ କୋଟି ମୋବାଇଲ ଫୋନ ବ୍ୟବହାରକାରୀ ଅଛନ୍ତି। ତେଣୁ ଦେଶରେ ଡିଜିଟାଲ ବ୍ୟାଙ୍କିଙ୍କୁ ଆଗକୁ ନେବାରେ ଏସବୁ ଭିତ୍ତିଭୂମି ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଚଳିତ ପର୍ଯ୍ୟାୟର ମାନସମନ୍ଥନ ପରେ ଆଗାମୀ ଦିନରେ ଜାତୀୟ ସ୍ତରରେ ବ୍ୟାଙ୍କର ଶୀର୍ଷ ଅଧିକାରୀମାନଙ୍କୁ ନେଇ ଆଉ ଏକ ପର୍ଯ୍ୟାୟ ବିଚାରବିମର୍ଶ ହେବ। ୩ଟି ପର୍ଯ୍ୟାୟରେ ମିଳିଥିବା ପରାମର୍ଶ ଓ ସୁପାରିସଗୁଡ଼ିକୁ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ବ୍ୟାସ କହିଛନ୍ତି। ଆଜିର ବୈଠକରେ ସ୍ବତନ୍ତ୍ର ସଚିବ ପି. କେ. ବିଶ୍ବାଳ, ଷ୍ଟେଟ ବ୍ୟାଙ୍କର ସିଜିଏମ ପ୍ରବୀଣା କାଲା, ଏସଏଲବିସିର ଆବାହକ ଟି ଆର. ଚୋକଲିଙ୍ଗମ, ରିଜର୍ଭ ବ୍ୟାଙ୍କର ଡିଜିଏମ ବିଶ୍ବରଂଜନ ପାତ୍ରଙ୍କ ସମେତ ଅନ୍ୟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ୟୁସିସିଆଇ ଓ ଓଏଏସଏମଇର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର