ଏମିତି ପୋଷାକ ଯେଉଁଥିରେ ଲାଗିବନି ଦାଗ

ଭୁବନେଶ୍ୱର: ପ୍ୟାଣ୍ଟ୍‌ କିମ୍ବା ସାର୍ଟ ମଇଳା ହୋଇଗଲେ ମନକୁ ବହୁତ କଷ୍ଟ ହୁଏ। ଆଉ ନିଜ ପସନ୍ଦ ପୋଷାକରେ ଯେତେବେଳେ ଗାଢ଼ ଦାଗ ଲାଗିଯାଏ ସେତେବେଳେ ଆହୁରି କଷ୍ଟ ଲାଗେ। ପୋଷାକଟିକୁ ସଫା କରିବା ଓ ତା’ର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼େ। ଏବେ ଏହି ସବୁ ସମସ୍ୟା ଆଉ ରହିବ ନାହିଁ। ବଜାରକୁ ଆସିଛି ଏଭଳି ପୋଷାକ ଯେଉଁଥିରେ ସହଜରେ ଦାଗ ଲାଗିବନି। ଏହାକୁ ସଫା କରିବା ପାଇଁ ଡିଟରଜେଣ୍ଟ୍‌ କିମ୍ବା ପାଣି ଅଧିକ ଖର୍ଚ କରିବାକୁ ପଡ଼ିବନି। ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍‌ ସଂସ୍ଥା ବିଗ୍‌ଫି ଟେକ୍‌ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ‘ଟର୍ମସ୍‌’ ବ୍ରାଣ୍ଡ୍‌ ନାମରେ ଏହି ପୋଷାକଗୁଡ଼ିକୁ ଆଜି ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି।
ସସ୍‌, ଚା’, କଫି କିମ୍ବା ଖାଇବା ସାମଗ୍ରୀ ଯାହା କି କିଛି ପଡ଼ିଗଲେ ତାହା ସହଜରେ ଲାଗିବ ନାହିଁ। ଯାହା କିଛି ଦାଗ ଲାଗିଥିବ ତାହା ଉପରେ ସାଧାରଣ ପାଣି ଢାଳିଲେ ତାହା ଧୋଇ ହୋଇଯିବ।
କଂପାନି ପକ୍ଷରୁ ଏହି ସବୁ ପୋଷାକକୁ ଆଜି ପ୍ରଦର୍ଶନ କରାଯାଇଛି। ବିତରକମାନଙ୍କ ପାଇଁ ଏକ ତିନି ଦିନିଆ ଟ୍ରେଡ୍‌ ସୋ’ ଆୟୋଜନ କରାଯାଇଛି। କଂପାନି ପକ୍ଷରୁ ପୁରୁଷ ପୋଷାକ ଭାବେ ଡେନିମ୍‌, ଟି-ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ୍‌କୁ ଉନ୍ମୋଚନ କରାଯାଇଛି। ଆଗାମୀ ଦିନରେ କଂପାନି ପକ୍ଷରୁ ମହିଳାଙ୍କ ପାଇଁ ପୋଷାକ ଓ ପୁୁରୁଷଙ୍କ ପାଇଁ କାଜୁଆଲ୍‌ ସାର୍ଟ, କାର୍ଗୋ ଓ ସ୍ୱେଟ୍‌ ସାର୍ଟ ଆଣିବାକୁ ଯୋଜନା ରଖାଯାଇଛି।
ଟର୍ମସ୍‌ ପୋଷାକଗୁଡ଼ିକର ମୂଲ୍ୟ ୭୯୯ ଟଙ୍କାରୁ ୧୯୯୯ ଟଙ୍କା ମଧ୍ୟରେ ରହିଛି। ଏହି ସବୁ ପୋଷାକ ଅନ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ ହେଉଛି। ଖୁବ୍‌ଶୀଘ୍ର ଆମାଜନ୍‌ ଡଟ୍‌ ଇନ୍‌୍‌ରେ ଟର୍ମସ୍‌ର ପୋଷାକ ଉପଲବ୍ଧ ହେବାକୁ ଯାଉଛି।
ଏହି ଅବସରରେ କଂପାନିର ସହ ପ୍ରତିଷ୍ଠାତା ତଥା ଯୁବ ଓଡ଼ିଆ ଉଦ୍ୟୋଗୀ ରାମେଶ୍ୱର ମିଶ୍ର, ସନ୍ଦୀପ କଟାରିଆ, ବିନୀତ, ଅନିଲ, ରୋହିତ ଓ ଆଲୋକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର