ସହିଦଙ୍କ ଋଣ ଛାଡ଼ କଲା ଷ୍ଟେଟ୍‌ ବ୍ୟାଙ୍କ: କ୍ରେଡ଼ାଇ ଦେବ ଘର ୧୦ ଲକ୍ଷ ଲେଖାଏଁ ଦେବ ଇନ୍‌ଫୋସିସ୍‌ ଫାଉଣ୍ଡେସନ

ଭୁବନେଶ୍ବର/ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ପୁଲୱାମାରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ ଯବାନଙ୍କ ପାଇଁ ବୀମା ରାଶି ପ୍ରଦାନ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ସହିଦଙ୍କ ନିକଟତମ ସମ୍ପର୍କୀୟଙ୍କୁ ସେହି ବୀମା ରାଶି ହସ୍ତାନ୍ତର କରାଯାଉଛି। ୨୩ ଜଣ ସହିଦ ଯବାନ ଷ୍ଟେଟ୍‌ ବ୍ୟାଙ୍କରୁ ଋଣ ନେଇଥିଲେ। ତାହାକୁ ତତ୍କାଳ ଛାଡ଼ କରାଯାଇଛି।
ଏହି ଅବସରରେ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ, ଅାମ ଦେଶର ସୁରକ୍ଷା ପାଇଁ ସବୁ ବେଳେ ଠିଅା ହେଉଥିବା ଯବାନମାନଙ୍କ ଜୀବନହାନିକୁ ଦେଖି ଅତ୍ୟନ୍ତ ଦୁଃଖିତ ଓ ବିଚଳିତ ଲାଗୁଛି। ଏହି ଶୋକ ପାଳନ ସମୟରେ ଅାମର ସମବେଦନା ବୀର ସହିଦଙ୍କ ପରିବାର ସହିତ ରହିଛି ଅପୂରଣୀୟ କ୍ଷତି ସହିଥିବା ପରିବାର ପାଇଁ ବ୍ୟାଙ୍କ ତରଫରୁ ଏହା ଏକ ଛୋଟିଅା ପଦକ୍ଷେପ ମାତ୍ର ବୋଲି ସେ କହିଛନ୍ତି।
ସେହିପରି ପୁଲୱାମାରେ ସହିଦ ହୋଇଥିବା ସିଆର୍‌ପିଏଫ୍ ଯବାନଙ୍କ ପରିବାରକୁ କ୍ରେଡ଼ାଇ ପକ୍ଷରୁ ୨ ବିଏଚ୍‌କେ ଘର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସହିଦ ପରିବାରମାନଙ୍କୁ ସେମାନଙ୍କ ରାଜ୍ୟର ରାଜଧାନୀ ସହରରେ ଏହି ଘରଗୁଡ଼ିକ ପ୍ରଦାନ କରାଯିବ। କ୍ରେଡାଇ ହେଉଛି ଦେଶର ରିଅଲ ଇଷ୍ଟେଟ୍‌ ଶିଳ୍ପର ସବୁଠୁ ବଡ଼ ସଂଘ। ଅନ୍ୟ ଏକ ସଂସ୍ଥା ରିଲାଏନ୍ସ ଫାଉଣ୍ଡେସନ୍ ତରଫରୁ ମଧ୍ୟ ସହାୟତା ଘୋଷଣା କରାଯାଇଛି। ସହିଦ ହୋଇଥିବା ସିଆର୍‌ପିଏଫ୍ ଯବାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଇନ୍‌ଫୋସିସ୍‌ ଫାଉଣ୍ଡେସନ ଘୋଷରା କରିଛି। ଆଇଟି କଂପାନି ଇନ୍‌ଫୋସିସ୍‌ର ସିଏସ୍‌ଆର୍‌ ଶାଖା ନାମ ହେଉଛି ଇନ୍‌ଫୋସିସ୍‌ ଫାଉଣ୍ଡେସନ୍। ଆତଙ୍କବାଦୀ ଆକ୍ରମଣରେ ପୁଲ୍‌ୱାମାରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ ଯବାନଙ୍କ ପାଇଁ ସର୍ବଭାରତୀୟ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ ଏକ ଶୋକସଭା ଆୟୋଜନ କରାଯାଇଥିଲା। ଏଥିରେ ବ୍ୟାଙ୍କର ୧୦୦ରୁ ଅଧିକ ଅଧିକାରୀ ଯୋଗଦେଇଥିଲେ। ସଂଘର ସଭାପତି କ୍ଷମାନିଧି ମିଶ୍ର, ସମ୍ପାଦକ ପ୍ରମୋଦ କୁମାର ମେକାପ ଓ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ଗଣପତ ଲାଲ୍‌ଙ୍କ ଉପସ୍ଥିତିରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର