ବିଭ୍ରାନ୍ତିକର ବିଜ୍ଞାପନ ପାଇଁ କଡ଼ା ନିୟମ ଆସିବ

ନୂଆଦିଲ୍ଲୀ: ସରକାର ନୂଆ ଉପଭୋକ୍ତା ସୁରକ୍ଷା ନିୟମ ଉପରେ କାମ କରୁଛନ୍ତି। ସବୁ ଦୃଷ୍ଟିରୁ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିବ। ବିଭ୍ରାନ୍ତିକର ବିଜ୍ଞାପନ ଜରିଆରେ ଗ୍ରାହକମାନଙ୍କୁ ଠକିବାକୁ ପ୍ରୟାସ କରୁଥିବା କଂପାନିଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା କରାଯିବ। ଏହା ସହିତ ଗ୍ରାହକମାନଙ୍କର ଯେଉଁ ସବୁ ଅଭିଯୋଗ ରହିଛି ତାହାକୁ ଠିକ୍‌ ସମୟ ଭିତରେ ସମାଧାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।

ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶର ଆବଶ୍ୟକତା ଅନୁଯାୟୀ ଏକ ନୂଆ ଉପଭୋକ୍ତା ସୁରକ୍ଷା ନିୟମ କାର୍ଯ୍ୟକାରୀ କରାଯିବ। ଏକ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତୃପକ୍ଷ ଗଠନ କରାଯିବ ଯାହା ଗ୍ରାହକମାନଙ୍କ ଅଭିଯୋଗର ଶୀଘ୍ର ସମାଧାନ କରିବା ଦିଗରେ କାମ କରିବ।

୧୯୬୮ ପରଠାରୁ ଜାରି ରହିଥିବା ଉପଭୋକ୍ତା ସୁରକ୍ଷା ନିୟମ ସ୍ଥାନରେ ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯିବ। ଜାତିସଂଘ ପକ୍ଷରୁ ଉପଭୋକ୍ତା ସୁରକ୍ଷାକୁ ନେଇ ଯେଉଁ ସବୁ ଗାଇଡ୍‌ଲାଇନ୍‌ ପ୍ରକାଶ କରାଯାଇଥିଲା ତାହା ଏହି ନୂଆ ନିୟମରେ ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତୀତରେ ସରକାର ନୂଆ ରିଅଲ ଇଷ୍ଟେଟ୍‌ ନିୟମ, ବିଆଇଏସ୍‌ ନିୟମ, ଉଜ୍ଜ୍ୱଳା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଭଳି ନିୟମ କାର୍ଯ୍ୟକାରୀ କରିଛନ୍ତି ଯାହା ଗ୍ରାହକମାନଙ୍କୁ ସଶକ୍ତ କରିବା ସହିତ ସଞ୍ଚୟରେ ମଧ୍ୟ ସହାୟକ ହୋଇଛି। ଜିଏସ୍‌ଟି ଦ୍ୱାରା ଦୀର୍ଘମିଆଦୀ ଭିତ୍ତିରେ ଲୋକମାନେ ଲାଭବାନ ହେବେ। ଉତ୍ପାଦନକାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ିବ ଯାହା ଫଳରେ ବିଭିନ୍ନ ସାମଗ୍ରୀର ଦର କମ ହେବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଗ୍ରାହକମାନେ ବିଶେଷ ଲାଭବାନ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର