ଛାତ୍ରଛାତ୍ରୀ ପଢ଼ିବେ ଆର୍ଥିକ ସାକ୍ଷରତା ପାଠ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଆର୍ଥିକ ସାକ୍ଷରତା ସପ୍ତାହକୁ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ଓ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରିଜର୍ଭ ବ୍ୟାଙ୍କର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆର୍ଥିକ ସାକ୍ଷରତା ଉପରେ ପାଠ ପଢ଼ିବେ। ଆସନ୍ତା ବର୍ଷଠାରୁ ସିବିଏସ୍‌ଇ ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ଆର୍ଥିକ ସାକ୍ଷରତା ବିଷୟ ସ୍ଥାନ ପାଇବ। ସିବିଏସ୍‌ଇ ପକ୍ଷରୁ ରିଜର୍ଭ ବ୍ୟାଙ୍କ, ସେବି, ଆଇଆର୍‌ଡିଏଆଇ ଓ ପିଏଫ୍‌ଆର୍‌ଡିଏ ସହିତ ମିିଶି ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆର୍ଥିକ ଶିକ୍ଷା ଓ୍ଵାର୍କବୁକ୍‌ ପ୍ରସ୍ତୁତ କରାଯାଇଛି। ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ରାଜ୍ୟ ଶିକ୍ଷା ବୋର୍ଡ ସହିତ ମିଶି ସେମାନଙ୍କ ପାଠ୍ୟକ୍ରମରେ କିଭଳି ଆର୍ଥିକ ସାକ୍ଷରତାକୁ ସାମିଲ କରାଯାଇପାରିବ ସେ ନେଇ ବିଚାରବିମର୍ଶ ଜାରି ରଖିଛନ୍ତି। ଆର୍ଥିକ ସାକ୍ଷରତା ଏକ ଅତିରିକ୍ତ ବିଷୟ ହେବ ନାହିଁ। ଛାତ୍ରଛାତ୍ରୀମାନେ ପଢ଼ୁଥିବା ପୁସ୍ତକରେ ଏହାକୁ ଏଭଳି ଭାବେ ସାମିଲ କରାଯିବ ଯଦ୍ୱାରା ସେମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି। ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦେଶକ ଏମ୍‌ କେ ମଲ୍ଲ ଓ ମହାପ୍ରବନ୍ଧକ ମାନବେନ୍ଦ୍ର ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର