ନାଲ୍‌କୋ ବକ୍ତୃତା ଶୃଙ୍ଖଳା: ଏୟାର ଇଣ୍ଡିଆ ଘରୋଇକରଣକୁ ସ୍ବାମୀଙ୍କ ବିରୋଧ

ଗବେଷଣା ଓ ବିକାଶ କ୍ଷେତ୍ରରେ ଦରକାର ନୂଆ ପିଏସ୍‌ୟୁ, ଆମେରିକାର କିଛି ସାମଗ୍ରୀ ବିକିବା ଲାଗି ଟ୍ରମ୍ପ୍ ଭାରତ ଆସୁଛନ୍ତି

ଭୁବନେଶ୍ବର: ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆର ଘରୋଇକରଣ ଉଦ୍ୟମକୁ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣିଅନ ସ୍ବାମୀ ବିରୋଧ କରିଛନ୍ତି। ଆଜି ନାଲ୍‌କୋ ଭବନରେ ଆୟୋଜିତ ଅଷ୍ଟାଦଶ ନାଲ୍‌କୋ ବକ୍ତୃତା ଶୃଙ୍ଖଳାରେ ଯୋଗ ଦେଇ ସେ କହିଛନ୍ତି, ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏୟାର ଇଣ୍ଡିଆ ଭଳି ସରକାରୀ ସଂସ୍ଥାର ଆବଶ୍ୟକତା ରହିଛି। ଏହା ଯେଉଁ କାର୍ଯ୍ୟ କରିପାରିବ ତାହା ଘରୋଇ କଂପାନି ଦ୍ବାରା ହୋଇପାରିବ ନାହିଁ। ନିକଟରେ କରୋନା ଭୂତାଣୁ ପ୍ରଭାବିତ ଚୀନ୍‌ର ସହର ଉହାନ୍‌ରୁ ଏୟାର ଇଣ୍ଡିଆ ସହଯୋଗରେ ହିଁ ଭାରତୀୟଙ୍କୁ ଅଣାଯାଇପାରିଥିଲା। ଏୟାର ଇଣ୍ଡିଆ ଭଳି ସଂସ୍ଥା ନଥିଲେ ଏହି କାର୍ଯ୍ୟ ହୋଇପାରିନଥାନ୍ତା ବୋଲି ସେ କହିଛନ୍ତି। ୨୦୦୪ ପର୍ଯ୍ୟନ୍ତ ଏହା ଲାଭ କରୁଥିଲା। ଏହା ପରଠାରୁ କ୍ଷତି ସହୁଛି। ଏହାର କାରଣ ଖୋଜିବା ଲାଗି ସରକାର ଉଦ୍ୟମ କରିବା ପରିବର୍ତେ ତାହାକୁ ବିକ୍ରି କରିବାକୁ ଯାଉଛନ୍ତି। ଏମିତିରେ ଭାରତ ସରକାର ତ କ୍ଷତିରେ ଚାଲିଛନ୍ତି। ତେବେ ଆମେ କ’ଣ ସରକାରଙ୍କୁ ବିକ୍ରି ବା ବନ୍ଦ କରିଦେବା କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଭାରତ ଭଳି ଦେଶ ଲାଗି ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) କାହିଁକି ଜରୁରୀ ସେ ବିଷୟର ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି।‌ ସେ କହିଛନ୍ତି, ବିମାନ ଯାତ୍ରୀଙ୍କୁ ସେବା ପ୍ରଦାନ କରିବା ଲାଗି ଦେଶରେ ଆବଶ୍ୟକ ପରିମାଣର ବିମାନ ସିଟ୍ ନାହିଁ। ଦେଶରେ ଗୋଟିଏ ହେଲେ ବି ବିଶ୍ବସ୍ତରୀୟ ବିମାନ କଂପାନି ନାହିଁ। ଜେଟ୍ ଏୟାରୱେଜ୍ ଏକମାତ୍ର ଘରୋଇ ସଂସ୍ଥା ଥିଲା ଯାହା ସେହି ସ୍ତରରେ ପହଞ୍ଚିପାରିଥାନ୍ତା। ମାତ୍ର ତାହା ଏବେ ବନ୍ଦ ହୋଇଯାଇଛି। ଏଭଳି ଏକ ସମୟରେ ଦେଶ ପାଇଁ ଏୟାର ଇଣ୍ଡିଆର ବହୁତ ଆବଶ୍ୟକତା ରହିଛି। ଏହା ସ୍ପଷ୍ଟ ହୋଇସାରିଲାଣି ଯେ ଏୟାର ଇଣ୍ଡିଆରେ ଘରୋଇ ସଂସ୍ଥାଗୁଡ଼ିକ ପୁଞ୍ଜି ଖଟାଇବାକୁ ଚାହୁନାହାନ୍ତି। ତେଣୁ ଏହାକୁ ବଞ୍ଚାଇବା ଲାଗି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ପୁଞ୍ଜି ଖଟାଇବା ନିମନ୍ତେ ଉତ୍ସାହିତ କରାଯିବା ଦରକାର ବୋଲି ସେ କହିଛନ୍ତି।
ଶ୍ରୀ ସ୍ବାମୀ କହିଛନ୍ତି, ବର୍ତ୍ତମାନ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ନୂତନ ପରିଭାଷା ପ୍ରଦାନ କରାଯିବାର ସମୟ ଆସିଛି। ସେମାନଙ୍କ ପରିଚାଳନା କର୍ତ୍ତୃପକ୍ଷଙ୍କୁ ବ୍ୟବସାୟ ନିଷ୍ପତ୍ତି ନେବାର ସ୍ବାଧୀନତା ଦିଆଯିବା ଦରକାର। ଯେଉଁ ସବୁ କ୍ଷେତ୍ରରେ ଘରୋଇ ସଂସ୍ଥା ପୁଞ୍ଜିନିବେଶ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି ସେଠାରେ ନିବେଶ କରିବା ଲାଗି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଉତ୍ସାହିତ କରାଯିବା ଦରକାର। ବିଶ୍ବର ଅନେକ ଦେଶ ନୂତନ ଉଦ୍ଭାବନ ଓ ଆବିସ୍କାର ଜରିଆରେ ଧନୀ ହୋଇଛନ୍ତି। କୌଣସି ଦେଶ କେବଳ ପୁଞ୍ଜି ଓ ଶ୍ରମକୁ ନେଇ ବଡ଼ ହୋଇନାହିଁ। ତେଣୁ ଗବେଷଣା ଓ ବିକାଶ ‌କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେଲେ ହିଁ ଦେଶର ଆର୍ଥିକ ସ୍ଥିତି ଆହୁରି ସ୍ବଚ୍ଛଳ ହୋଇପାରିବ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଗବେଷଣା ଓ ବିକାଶ ପ୍ରତି ଘରୋଇ ସଂସ୍ଥାଗୁଡ଼ିକର ବଡ଼ ଆଭିମୁଖ୍ୟ ନାହିଁ। ତେଣୁ ଏହି କ୍ଷେତ୍ର ଲାଗି ସ୍ବତନ୍ତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସ୍ଥାପନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କୃଷି କ୍ଷେତ୍ରରେ ମଧ୍ୟ ଏଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଆବଶ୍ୟକତା ରହିଛି ଯାହା ଉତ୍ପାଦନଠାରୁ ଆରମ୍ଭ କରି ପ୍ୟାକେଜିଂ ଓ ରପ୍ତାନି ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିପାରିବା ଦରକାର ବୋଲି ସେ କହିଛନ୍ତି। ଓଡ଼ିଶାରେ ବୌଦ୍ଧିକ କ୍ଷେତ୍ରରେ ନୂଆ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସ୍ଥାପନ କରିବାର ଅନେକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଦେଶର ଅର୍ଥନୀତି ସମ୍ପର୍କରେ ସେ କହିଛନ୍ତି, ଆମକୁ ଅତିକମ୍‌ରେ ୧୦% ହାରରେ ଆଗକୁ ବଢ଼ିବାକୁ ପଡ଼ିବ। ଦାରିଦ୍ର୍ୟ ହଟାଇବାକୁ ହେଲେ ୭-୮% ଅଭିବୃଦ୍ଧି ଚଳିବ ନାହିଁ। ଏଥିପ୍ରତି ସରକାରଙ୍କୁ ବିଶେଷ ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ବିଷୟରେ ସେ କହିଛନ୍ତି, ଆମେରିକାର ସୋୟାବିନ ଠାରୁ ଆରମ୍ଭ କରି ଅନେକ ସାମଗ୍ରୀକୁ ଚୀନ୍ ବିପୁଳ ମାତ୍ରାରେ କିଣୁଥିଲା। ଏବେ ସେଠାରେ ଯେଉଁ ସ୍ଥିତି ତାହା କାହାକୁ ଅଛପା ନାହିଁ। ତେଣୁ ନିଜ ଦେଶର କିଛି ସାମଗ୍ରୀକୁ କିଭଳି ଭାରତରେ ବିକ୍ରି କରିହେବ ସେହି ସୁଯୋଗ ସନ୍ଧାନ କରିବା ଲାଗି ଟ୍ରମ୍ପ୍ ଭାରତ ଆସୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂପାନିର ନିର୍ଦେଶକ ମଣ୍ଡଳୀ, କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର