ଚିନିର ସର୍ବନିମ୍ନ ବିକ୍ରି ଦର ୨୯ ଟଙ୍କା

୮୫୦୦ କୋଟିର ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ: ଚିିନି ଶିଳ୍ପକୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଆଜି ୮୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ୟାକେଜ୍‌କୁ ମଞ୍ଜୁରି ପ୍ରଦାନ କରାଯାଇଛି। ଇଥାନଲ୍‌ ଉତ୍ପାଦନ କ୍ଷମା ବଢ଼ାଇବା ଓ ୩ ନିୟୁତ ଟନ୍‌ ଚିନିର ଏକ ବଫର୍‌ ଷ୍ଟକ୍‌ ସୃଷ୍ଟି କରିବା ପାଇଁ ୪,୪୦୦ କୋଟି ଟଙ୍କାର ଲଘୁ ଋଣ (ସଫ୍ଟ ଲୋନ୍‌୍‌) ପ୍ରଦାନ କରାଯିବ। ପ୍ରଥମ ଥର ପାଇଁ ଚିନି କଳଗୁଡ଼ିକ ନିମନ୍ତେ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଚିନି କଳଗୁଡ଼ିକ କେଜି ପିଛା ୨୯ ଟଙ୍କାରୁ କମ୍‌ ମୂଲ୍ୟରେ ଚିନି ବିକିପାରିବେ ନାହିଁ। ଚିନି କଳଗୁଡ଼ିକରେ ଆଖୁ ଚାଷୀମାନଙ୍କର ୨୨,୦୦୦ କୋଟି ଟଙ୍କାର ପ୍ରାପ୍ୟ ବାକି ପଡ଼ିଛି। ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଚିନି କଳଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଏହି ସବୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦେଶରେ ୨୫ ନିୟୁତ ଟନ୍‌ ଚିନିର ଆବଶ୍ୟକତା ରହିଥିବା ବେଳେ ଉତ୍ପାଦନ ବହୁତ ଅଧିକ ହୋଇଯାଇଛି। ୨୦୧୭-୧୮ରେ ୩୧.୫ ନିୟୁତ ଟନ୍‌ ଚିନି ଉତ୍ପାଦନ କରାଯାଇଛି। ଫଳରେ ଚିନିର ଖୁଚୁରା ଦର ଏହାର ଉତ୍ପାଦନ ମୂଲ୍ୟଠାରୁ କମିଯାଇଛି। ଯାହା ଫଳରେ ଚିନି କଳଗୁଡ଼ିକ କ୍ଷତି ସହୁଛନ୍ତି।

ଏକ କିଲୋ ଚିନି ଉତ୍ପାଦନ କରିବାକୁ ୩୨ ଟଙ୍କା ଖର୍ଚ ହେଉଥିବା ବେଳେ ବଜାରରେ ଚିନିର ଖୁଚୁରା ଦର ୨୬-୨୮ ଟଙ୍କା ଭିତରେ ରହିଛି। କେଜି ପିଛା ଚିନି କଳଗୁଡ଼ିକର ୪-୬ ଟଙ୍କା କ୍ଷତି ହେଉଛି। ଖାଦ୍ୟ ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନ କହିଛନ୍ତି ଯେ, ବର୍ଷକ ପାଇଁ ୩ ନିୟୁତ ଟନ୍‌ ଚିନିର ଏକ ବଫର୍‌ ଷ୍ଟକ୍‌ ସୃଷ୍ଟି କରାଯିବ। ଏ ବାବଦରେ ୧୧୭୫ କୋଟି ଟଙ୍କା ଖର୍ଚ ହେବ। ଇଥାନଲ୍‌ ପାଇଁ ଚିନି କଳଗୁନିକୁ ୧୩୩୨ କୋଟି ଟଙ୍କାର ସଫ୍ଟ ଲୋନ୍‌ ପ୍ରଦାନ କରାଯିବ। ଆଖୁରୁ ପ୍ରସ୍ତୁତ ହେଉଥିବା ଇଥାନଲ୍‌କୁ ପେଟ୍ରୋଲ୍‌ରେ ମିଶାଇ ବିକ୍ରି କରାଯାଏ।

ସମ୍ବନ୍ଧିତ ଖବର