ନୂଆଦିଲ୍ଲୀ : ଚିନି ଉପରେ ଲାଗିବ ନୂଆ ସେସ୍। ସରକାର ଏହା ଉପରେ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦର ଆଗାମୀ ବୈଠକରେ ଏ ବିଷୟରେ ଆଲୋଚନା କରାଯିବ। ଚିନି ଉପରେ ସେସ୍ ଲଗାଇ ଯେଉଁ ପାଣ୍ଠି ସଂଗ୍ରହ କରାଯିବ ତାହାକୁ ଆଖୁ ଚାଷୀମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ଦିଗରେ ବ୍ୟବହାର କରାଯିବ। ସେସ୍ ଲାଗିଲେ ଖୁଚୁରା ବଜାରରେ ଚିନି ମହଙ୍ଗା ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ସେସ୍ରୁ ଆଦାୟ ପାଣ୍ଠିକୁ ସରକାର ଚିନି କଳଗୁଡ଼ିକୁ ପ୍ରଦାନ କରିବେ। ଫଳରେ ଚିନି କଳଗୁଡ଼ିକ ଆଖୁ ଚାଷୀଙ୍କ ପ୍ରାପ୍ୟକୁ ଠିକ୍ ସମୟରେ ପ୍ରଦାନ କରିପାରିବେ। ଏହି ସେସ୍ ଦ୍ୱାରା ଆଖୁ ଚାଷୀମାନେ ଲାଭବାନ ହେବେ।
ଚିନିର କିଲୋ ପିଛା ଦର ଉପରେ ୧ ଟଙ୍କା କିମ୍ବା ଦେଢ଼ ଟଙ୍କାର ସେସ୍ ଲାଗୁ କରାଯାଇପାରେ। ଆଖୁ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଦୁଇଟି ଫର୍ମୁଲାରେ ଦର ହିସାବ କରାଯାଉଛି। ଗୋଟିଏ ରଙ୍ଗରାଜନ କମିଟି ଫର୍ମୁଲାରେ ବେଞ୍ଚମାର୍କ ରେଟ୍ ଧାର୍ଯ୍ୟ କରାଯାଉଛି। ଏହି ହାରରେ ଆଖୁର କ୍ୱିଣ୍ଟାଲ୍ ପିଛା ଦର ହେଉଛି ୨୨୬ ଟଙ୍କା ୮୦ ପଇସା। ଅନ୍ୟ ଫୁର୍ମଲାଟି ହେଉଛି କେନ୍ଦ୍ର ସରକାରଙ୍କ ଏଫ୍ଆର୍ପି (ଫେୟାର ଆଣ୍ଡ୍ ରେମୁନରେଟିଭ୍ ପ୍ରାଇସ୍) । ଦ୍ୱିତୀୟ ଫର୍ମୁଲା ହିସାବରେ ଆଖୁର କ୍ୱିଣ୍ଟାଲ୍ ପିଛା ଦର ୨୯୦ ଟଙ୍କା ରହୁଛି। ଏଫ୍ଆର୍ପି ଓ ବେଞ୍ଚମାର୍କ ଦର ମଧ୍ୟରେ ଯେଉଁ ଅନ୍ତର ରହୁଛି ତାହାକୁ ସେସ୍ ଜରିଆରେ ପୂରଣ କରାଯିବ। ଦେଶର ଚିନି କଳଗୁଡ଼ିକ ଆଖୁ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଠିକ୍ ସମୟରେ ଦେଇପାରୁନାହାନ୍ତି। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଛି। କିଛି ରାଜ୍ୟର ମନମୁଖୀ ନିୟମ ମଧ୍ୟ ଏହି ସମସ୍ୟାର ଅନ୍ୟତମ କାରଣ। ମାର୍ଚ ଶେଷ ସୁଦ୍ଧା ଚିନି କଳଗୁଡ଼ିକ ଉପରେ ଚାଷୀମାନଙ୍କର ୧୯,୭୮୦ କୋଟି ଟଙ୍କା ବାକି ପଡ଼ିଛି। ଚିନିର ଖୁଚୁରା ଦର ହ୍ରାସ ପାଇବା ପରେ ଆୟ ବଢ଼ାଇବାକୁ ଚିନି କଳଗୁଡ଼ିକ ସଂଘର୍ଷ କରୁଛି। ସେଥିପାଇଁ ସେମାନେ ଚାଷୀଙ୍କ ପ୍ରାପ୍ୟ ଦେଇପାରୁନାହାନ୍ତି।
କେନ୍ଦ୍ରର ସେସ୍ ଚକ୍ମା
ଭୁବନେଶ୍ୱର: ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଆଦାୟ କରୁଥିବା ଟିକସର ଏକ ନିିର୍ଦିଷ୍ଟ ଭାଗ ରାଜ୍ୟଗୁଡ଼ିକ ସହ ବଣ୍ଟନ କରିଥାନ୍ତି। ରାଜ୍ୟଗୁଡ଼ିକର ରାଜସ୍ୱ ସ୍ଥିତି କେନ୍ଦ୍ରରୁ ମିଳୁଥିବା ଟିକସ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଚର୍ତୁଦଶ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଆଦାୟ କରୁଥିବା ଟିକସର ୪୨% ରାଜ୍ୟଗୁଡ଼ିକ ସହ ବଣ୍ଟନ କରୁଛନ୍ତି। ଏଥିରେ ରାଜ୍ୟଗୁଡ଼ିକର କିଛି ସମସ୍ୟା ନାହିଁ। କାରଣ ଏବେ ରାଜ୍ୟଗୁଡ଼ିକ ନିଜ ଟିକସ ଭାଗ ଆକାରରେ ୧୦% ଅଧିକ ଟଙ୍କା ପାଉଛନ୍ତି। ତ୍ରୟୋଦଶ ଅର୍ଥ କମିସନଙ୍କ ସୁପାରିସ୍ ଅନୁଯାୟୀ କେନ୍ଦ୍ର ସରକାର ଟିକସର ୩୨% ରାଜ୍ୟଗୁଡ଼ିକୁ ବଣ୍ଟନ କରୁଥିଲେ।
ରାଜ୍ୟଗୁଡ଼ିକ ପାଇଁ ସମସ୍ୟା ହେଉଛି କେନ୍ଦ୍ର ସରକାର ଲାଗୁ କରୁଥିବା ସେସ୍ ଓ ସର୍ଚାର୍ଜ। କେନ୍ଦ୍ର ସରକାର ଶିକ୍ଷା ସେସ୍, ମାଧ୍ୟମିକ ଓ ଉଚ୍ଚ ଶିକ୍ଷା ସେସ୍, ସ୍ୱଚ୍ଛ ଭାରତ ସେସ୍, କୃଷି କଲ୍ୟାଣ ସେସ୍, ଅଶୋଧିତ ତୈଳ ଉପରେ ସେସ୍, ରପ୍ତାନି ଉପରେ ସେସ୍, ସଡ଼କ ଓ ଭିତ୍ତିଭୂମି ସେସ୍ ଆଦି ବିଭିନ୍ନ ପ୍ରକାର ସେସ୍ ଲାଗୁ କରିଛନ୍ତି। ଜିଏସ୍ଟି ଲାଗୁ ହେବା ପରେ ୧୩ ପ୍ରକାର ସେସ୍ ଆଦାୟ ବନ୍ଦ କରିଦିଆଯାଇଛି। ଏବେ ସରକାର ଚିନି ଉପରେ ନୂଆ ସେସ୍ ଲାଗୁ କରିବା ଉପରେ ବିଚାର କରୁଛନ୍ତି।
୨୦୧୬-୧୭ରେ କେବଳ ସେସ୍ରୁ କେନ୍ଦ୍ର ସରକାର ୨,୩୫, ୩୦୮ କୋଟି ଟଙ୍କାର ଆୟ କରିଥିଲେ। ଏହି ଅର୍ଥ ଉପରେ ରାଜ୍ୟଗୁଡ଼ିକର କୌଣସି ଭାଗ ନାହିଁ। ସେସ୍ ଓ ସରଚାର୍ଜ ଜରିଆରେ ଆଦାୟ କରାଯାଉଥିବା ରାଜସ୍ୱର ଭାଗବଣ୍ଟା କରିବା ପାଇଁ ରାଜ୍ୟଗୁଡ଼ିକ ଦାବି କରୁଛନ୍ତି। ରାଜ୍ୟଗୁଡ଼ିକ କହୁଛନ୍ତି ଯେ ଯେଉଁ ସେସ୍ଗୁଡ଼ିକ ଲଗାତାର ତିନି ବର୍ଷରୁ ଅଧିକ ବର୍ଷ ଧରି ଲାଗୁ କରାଗଲାଣି, ସେଗୁଡ଼ିକୁ ଟିକସ ଭାବେ ବିଚାର କରାଯାଉ। ସେଥିରୁ ଆଦାୟ ହେଉଥିବା ରାଜସ୍ୱକୁ ରାଜ୍ୟଗୁଡ଼ିକ ସହ ଭାଗବଣ୍ଟା କରାଯାଉ। ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ପଞ୍ଚଦଶ ଅର୍ଥ କମିସନ ଏ ବିଷୟରେ କିଛିଟା ବିଚାର କରିପାରନ୍ତି।
ପ୍ରତି ବର୍ଷ ସେସ୍ରୁ ଆଦାୟ ହେଉଥିବା ରାଜସ୍ୱ ପରିମାଣ ବଢ଼ିବାରେ ଲାଗିଛି। ୨୦୧୬-୧୭ରେ ସେସ୍ ରାଜସ୍ୱ ପରିମାଣ ଜିଡିପିର ୯.୧% ସହ ସମାନ ରହିଥିଲା। ତିନି ବର୍ଷରେ ଭିତରେ ଏହି ହାର ୬%ରୁ ବୃଦ୍ଧି ପାଇ ୯%ରୁ ଅଧିକ ହୋଇଗଲାଣି।
୨୦୧୮-୧୯ ବଜେଟ୍ରେ କରାଯାଇଥିବା ଘୋଷଣା ଅନୁଯାୟୀ କେନ୍ଦ୍ରଠାରୁ ନିଜ ଭାଗର ଟିକସ ବାବଦରେ ଓଡ଼ିଶା ସରକାର ୩୫,୬୬୯ କୋଟି ଟଙ୍କା ପାଇବେ। କେନ୍ଦ୍ର ଆଦାୟ କରିବାକୁ ଥିବା ମୋଟ ଟିକସର ୪.୬୪% ଓଡ଼ିଶା ସରକାରଙ୍କୁ ପ୍ରଦାନ କରିବେ।
କର୍ପୋରେଟ୍ ଟିକସରୁ ନିଜ ଭାଗ ବାବଦରେ ଓଡ଼ିଶା ୧୦୨୭୨ କୋଟି ଟଙ୍କା, ଆୟକରରୁ ୯୦୯୦.୩୦ କୋଟି ଟଙ୍କା, କେନ୍ଦ୍ରୀୟ ଜିଏସ୍ଟି ବାବଦକୁ ୧୧,୭୭୩ କୋଟି ଟଙ୍କା, ସମନ୍ଵିତ ଜିଏସ୍ଟିରୁ ୯୭୪ କୋଟି ଟଙ୍କା, ସୀମା ଶୁଳ୍କରୁ ୧୮୦୨ କୋଟି ଟଙ୍କା ଓ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କରୁ ୧୭୫୬ କୋଟି ଟଙ୍କା ପାଇବ। ୨୦୧୬-୧୭ରେ ଓଡ଼ିଶାକୁ କେନ୍ଦ୍ରଠାରୁ ଟିକସ ଭାଗ ବାବଦରେ ୨୯୮୨୪ କୋଟି ଟଙ୍କା ମିଳିବାର ଥିଲା। ଚଳିତ ବର୍ଷ ଓଡ଼ିଶା ତା’ଠାରୁ ଅଧିକ ଟଙ୍କା ପାଇବ। ୨୦୧୮-୧୯ରେ କେନ୍ଦ୍ର ସରକାର ୨୩, ୯୯,୧୪୭ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେଥି ମଧ୍ୟରୁ ୭,୬୮,୪୧୨ କୋଟି ଟଙ୍କା ରାଜ୍ୟଗୁଡ଼ିକୁ ବାଣ୍ଟି ଦେବେ।