ଏବର୍ଷ ଦେଶରେ ୩୨୨ ଲକ୍ଷ ଟନ ଚିନି ଉତ୍ପାଦନ ହେବା ସମ୍ଭାବନା, ୨୫୦ ଲକ୍ଷ ଟନ ଛୁଇଁବ ଚାହିଦା

ନୂଆଦିଲ୍ଲୀ : ଚଳିତ ଆଖୁ ଋତୁ (ଅକ୍ଟୋବର ୨୦୧୭ ରୁ ସେପ୍ଟେମ୍ବର ୨୦୧୮)ରେ ମୋଟ ୩୨୨ ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦନର ଆକଳନ କରାଯାଇଛି । ପୂର୍ବ ବର୍ଷ ୨୦୨ ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦିତ ହୋଇଥିଲା । ଚଳିତ ଋତୁରେ ୨୫୦ ଲକ୍ଷ ମେଟ୍ରିକ ଟନ ଚିନିର ଘରୋଇ ଚାହିଦା ରହିଥିବା ବେଳେ ଚିନିକଳ ଏବଂ ଆଖୁ ଚାଷୀମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ର ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସି.ଆର. ଚୌଧୁରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଚିନିକଳ ଏବଂ ଆଖୁ ଚାଷୀମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ନିକଟରେ ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ ଘୋଷଣା କରିଛନ୍ତି । ପ୍ରତି କ୍ୟୁଂଟାଲ ଆଖୁ ପେଡା ପାଇଁ ଚିନିକଳଗୁଡିକୁ ୫ ଟଙ୍କା ୫୦ ପଇସାର ଆର୍ଥିକ ସହାୟତା ମିଳିବ । ଇତିମଧ୍ୟରେ କେନ୍ଦ୍ର ସରକାର ୩୦ ଲକ୍ଷ ମେଟ୍ରିକ ଟନ ଚିନି ବଫର ଷ୍ଟକ ରଖିଛନ୍ତି, ଯାହାର କି ପରିବହନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଖାପାଖି ୧୧୭୫ କୋଟି ଟଙ୍କା ହେବ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌଧୁରୀ କହିଛନ୍ତି ଯେ, ନୂଆ ଡିଷ୍ଟିଲେରି ଏବଂ ବଏଲର ପ୍ରତିଷ୍ଠା ପାଇଁ ୪୪୪୦ କୋଟି ଟଙ୍କା ଚିନି କଳଗୁଡିକୁ କୋହଳ ଋଣ ଆକାରରେ ଯୋଗାଇ ଦିଆଯିବ । ଘରୋଇ ବଜାରରେ ବିକ୍ରୀ ଲାଗି ଚିନିର ସର୍ବନିମ୍ନ କାରଖାନା ଫାଟକ ମୂଲ୍ୟ କିଲୋଗ୍ରାମ ପିଛା ୨୯ ଟଙ୍କା ରଖାଯାଇଛି । ଏହାଠାରୁ କମ ଦରରେ କୌଣସି ଚିନିକଳ ଚିନି ବିକ୍ରୀ କରିପାରିବେ ନାହିଁ । କେନ୍ଦ୍ର ସରକାର ଆଖୁ ଚାଷକୁ ପ୍ରୋତ୍ସାହନ ମାଧ୍ୟମରେ ଇଥାନଲ ଉତ୍ପାଦନକୁ ଅଗ୍ରପ୍ରାଧାନ୍ୟ ଦେଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌଧୁରୀ ଲୋକସଭାରେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର