ବିଲ୍‌ଡର୍‌ଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌

‘ଗ୍ରାହକଙ୍କ ଟଙ୍କା ଅନ୍ୟତ୍ର ଲଗାଇବା ଅପରାଧ’, ୪୦ଟି କଂପାନିର ସମ୍ପତ୍ତି, ବ୍ୟାଙ୍କ ଖାତା ଜବତ

ନୂଆଦିଲ୍ଲୀ: ଘର କିଣିବା ପାଇଁ ଗ୍ରାହକମାନେ ଯେଉଁ ଟଙ୍କା ଜମା କରିଛନ୍ତି ତାହାକୁ ଅନ୍ୟ ପ୍ରକଳ୍ପ କାମରେ ବ୍ୟବହାର କରିବା ଅପରାଧ। ବିଲ୍‌ଡର୍‌ମାନଙ୍କ ଏଭଳି କାମକୁ ଅର୍ଥର ଅପରାଧିକ ଦୁରୁପଯୋଗ ଭାବେ ବିଚାର କରାଯିବ ଓ ସେମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆମ୍ରପାଲି ଗ୍ରୁପ୍‌ର ହଜାର ହଜାର ଗ୍ରାହକ ଦାଖଲ କରିଥିବା ମାମଲାର ଶୁଣାଣି କରି ବିଚାରପତି ଅରୁଣ ମିଶ୍ର ଓ ୟୁ ୟୁ ଲଳିତଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଗ୍ରାହକଙ୍କ ଟଙ୍କାକୁ କଂପାନି ଅନ୍ୟ କାମରେ ବ୍ୟବହାର କରିପାରିବ ନାହିଁ। ଏଭଳିକି ସେହି ଟଙ୍କାକୁ କଂପାନି ଅନ୍ୟ ପ୍ରକଳ୍ପରେ ମଧ୍ୟ ବିନିଯୋଗ କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଏହା ଏକ ବ୍ୟାଧି ଯାହା ଏହି କ୍ଷେତ୍ରରେ ଦେଖିବାକୁ ମିଳେ। ଆମେ ଚାହୁୁଁଛୁ ଏହି ବାଜେ କାମ ବନ୍ଦ ହେଉ। ନିଜର ସାମ୍ରାଜ୍ୟ ଓ କାରବାରକୁ ବଢ଼ାଇବା ପାଇଁ ଆପଣ ଗ୍ରାହକଙ୍କ ଟଙ୍କାକୁ ବ୍ୟବହାର କରିଛନ୍ତି। ନିଜ କାରବାର ବଢ଼ାଇବା ପାଇଁ ଆପଣ ଗ୍ରାହକଙ୍କ କାନ୍ଧକୁ ବ୍ୟବହାର କରିପାରିବେ ନାହିଁ। ଏହା ଆଦୌ ଗ୍ରହଣୀୟ ନୁହେଁ। ଏକଥା ଆମ ହୃଦୟକୁ ଆନ୍ଦୋଳିତ କରୁଥିଲେ ମଧ୍ୟ ଆମେ ଆପଣଙ୍କୁ ସୁଯୋଗ ଦେଇଥିଲୁ। କିନ୍ତୁ ତୁମର କୌଣସି ପରିବର୍ତ୍ତନ ହେଲାନାହିଁ ବୋଲି କୋର୍ଟ କଂପାନିକୁ କହିଛନ୍ତି। ଆପ୍ରପାଲି ଗ୍ରୁପ୍‌ର ସମସ୍ତ ୪୦ଟି କଂପାନି, ତାହାର ପ୍ରମୋଟର ଓ ନିର୍ଦେଶକମାନଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଖାତାକୁ କୋର୍ଟ ଜବତ କରିଛନ୍ତି। ଗ୍ରାହକଙ୍କ ପ୍ରତିଟି ଟଙ୍କା ନଫେରିବା ପର୍ଯ୍ୟନ୍ତ କଂପାନିର ସବୁ ପ୍ରମୋଟର, ନିର୍ଦେଶକ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ଉପରେ ନଜର ରହିବ ବୋଲି କୋର୍ଟ କହିଛନ୍ତି। ଘର କିଣିବା ପାଇଁ ଗ୍ରାହକମାନେ ଜମା କରିଥିବା ମୋଟ ଟଙ୍କା ମଧ୍ୟରୁ ଆମ୍ରପାଲି ଗ୍ରୁପ୍‌ ୨୭୬୫ କୋଟି ଟଙ୍କାକୁ ଅନ୍ୟତ୍ର ବ୍ୟବହାର କରିଥିବା କୋର୍ଟ ଜାଣିବାକୁ ପାଇଛନ୍ତି। ସେଥିପାଇଁ କଂପାନିକୁ କଡ଼ା ସମାଲୋଚନା କରିଛନ୍ତି। ଆମ୍ରପାଲି ଗ୍ରୁପ୍‌ ହଜାର ହଜାର ଗ୍ରାହକଙ୍କଠାରୁ ଘର ଦେବା ପାଇଁ ଟଙ୍କା ଆଣିଥିଲା। କିନ୍ତୁ ସେମାନଙ୍କୁ ଠିକ୍‌ ସମୟରେ ଘର ଦେଇପାରି ନାହିଁ। କଂପାନି ବିରୋଧରେ ଗ୍ରାହକମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଏହି ମାମଲାର ଶୁଣାଣି ବେଳେ କୋର୍ଟ କଂପାନିକୁ କହିଛନ୍ତି ଯେ, ଏକ ବିଶ୍ୱାସରେ ଗ୍ରାହକମାନେ ଟଙ୍କା ଜମା କରିଥିଲେ। ଏହାକୁ ଅନ୍ୟତ୍ର ବ୍ୟବହାର କରାଯିବାର ନଥିଲା। ଗ୍ରାହକମାନେ ଆପଣଙ୍କ ଉପରେ ଭରସା ରଖି ଟଙ୍କା ଦେଇଥିଲେ। ସେମାନେ ଯେଉଁ ପ୍ରକଳ୍ପ ପାଇଁ ଟଙ୍କା ଦେଇଥିଲେ ସେହି ପ୍ରକଳ୍ପ କାମରେ ତାହାକୁ ବ୍ୟବହାର ନକରି ଅନ୍ୟ ପ୍ରକଳ୍ପରେ କିଭଳି ବ୍ୟବହାର କଲ ବୋଲି ସୁପ୍ରିମକୋର୍ଟ କଂପାନିକୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର