ପିଏନବି ଦୁର୍ନୀତି : ଏସଆଇଟି ଗଠନ ଲାଗି ଦାଏର ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ନିରବ ମୋଦି ଦ୍ୱାରା କରାଯାଇଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାର ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଦ୍ୱାରା କରିବାକୁ ଆଗତ ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ବହୁକୋଟି ଟଙ୍କାର ଏହି ଦୁର୍ନୀତିରେ ଅନେକ ବଡ଼ ବଡ଼ ଲୋକ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ କରି ଏକ କ୍ଷମତାଶାଳୀ ଏସଆଇଟି ଗଠନ ଲାଗି ପିଟିସନକାରୀ ଅନୁରୋଧ କରିଥିଲେ । ଏହାର ଶୁଣାଣି କାଳରେ ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ କହିଥିଲେ ଯେ ପିଟିସନକାରୀ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି । ଏପରି ପିଟିସନ ଦେଖି କୋର୍ଟ ମଧ୍ୟ ବିରକ୍ତ ହୋଇଯାଇଥିଲେ । ବିନା କୌଣସି ପ୍ରମାଣରେ ପ୍ରଧାନମନ୍ତ୍ରୀଙ୍କୁ ବିବାଦକୁ ଟାଣିବା ଓ ସେଥିପାଇଁ ଏକ ଜନସ୍ୱାର୍ଥ ମାମଲା ଦାଏର କରିବାକୁ କୋର୍ଟ ନାପସନ୍ଦ କରିଛନ୍ତି । ଏପରି ଭିତ୍ତିହୀନ ପିଆଇଏଲ ବା ଜନସ୍ୱାର୍ଥ ମାମଲା ଯୋଗୁଁ ଜନସ୍ୱାର୍ଥ ମାମଲାଗୁଡ଼ିକ ହିଁ ବଦନାମ ହୋଇଯାଉଛି । କେବଳ ସମ୍ବାଦପତ୍ର ଖବରକୁ ଭିତ୍ତି କରି ଏପରି ଜନସ୍ୱାର୍ଥ ମାମଲା ଦାଏର କରାଯାଉଛି ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି । ଏସବୁକୁ ବିଚାରକୁ ନେଇ କୋର୍ଟ ଉକ୍ତ ଜନସ୍ୱାର୍ଥ ମାମଲାକୁ ଖାରଦ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର