ଦେଶରେ ଦେଖାଦେଇଥିବା ଅର୍ଥନୈତିକ ‘ମାନ୍ଦାବସ୍ଥା ପାଇଁ ସୁପ୍ରିମ୍‌ କୋର୍ଟ ଦାୟୀ’

ନୂଆଦିଲ୍ଲୀ : ଦେଶରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ବରିଷ୍ଠ ଆଇନଜୀବୀ ହରିଷ ସାଲ୍‌ଭେ ସୁପ୍ରିମକୋର୍ଟକୁ ଦାୟୀ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ୨୦୧୨ରେ ୨ଜି ସ୍ପେକ୍ଟ୍ରମକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ‌ଦେଇଥିଲେ ସେହି ଠାରୁ ମାନ୍ଦାବସ୍ଥା ଆରମ୍ଭ ହୋଇଛି। ୨ଜି ସ୍ପେକ୍ଟ୍ରମ୍ ମାମଲାର ରାୟ ଏବଂ କୋଇଲା ବ୍ଲକ୍ ଆବଣ୍ଟନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ଦ୍ବାରା ବିପୁଳ ପରିମାଣର ବିଦେଶୀ ପୁଞ୍ଜି ଦେଶ ବାହାରକୁ ଚାଲିଯାଇଛି। ଆଠଟି କଂପାନିକୁ ଆବଣ୍ଟନ କରାଯାଇଥିବା ୧୨୨ ସ୍ପେକ୍ଟ୍ରମ ଲାଇସେନ୍ସକୁ ୨୦୧୨ରେ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ୨୦୧୪ରେ ସୁପ୍ରିମକୋର୍ଟ ଆଉ ଏକ ବଡ଼ ଧରଣର ରାୟ ପ୍ରକାଶ କରି ୧୯୯୩ରୁ ୨୦୧୧ ମଧ୍ୟରେ ଆବଣ୍ଟନ କରାଯାଇଥିବା ସବୁ କୋଇଲା ବ୍ଲକ୍‌ର ଆବଣ୍ଟନକୁ ରଦ୍ଦ କରିଥିଲେ। ଏ ସଂକ୍ରାନ୍ତରେ ଶ୍ରୀ ସାଲ୍‌ଭେ କହିଛନ୍ତି ଯେ, ଭାରତରେ ନିବେଶ କରିବାକୁ ହେଲେ ଭାରତୀୟ ସଂସ୍ଥାର ହାତ ଧରିବାକୁ ପଡ଼ିବ ବୋଲି ବିଦେଶୀ ନିବେଶକମାନେ ଭଲ ଭାବେ ଜାଣିଛନ୍ତି। ସେମାନେ ଭାରତୀୟ ସଂସ୍ଥାକୁ ଧରି ପୁଞ୍ଜିନିବେଶ କରିଥିଲେ। କିନ୍ତୁ ସେହି ଭାରତୀୟ ସଂସ୍ଥା କେଉଁ ଉପାୟରେ ଲାଇସେନ୍ସ ହାସଲ କରିଛି ତାହା ତାଙ୍କୁ ଜଣାନଥିଲା। ସୁପ୍ରିମକୋର୍ଟ ଗୋଟିଏ ରାୟ ସେମାନଙ୍କୁ ଦେଶ ବାହାରକୁ ବାହାର କରିଦେଇଥିଲା। ସେହି ଠାରୁ ମାନ୍ଦାବସ୍ଥା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଉଦାହରଣ ଦେଇ ସାଲ୍‌ଭେ କହିଛନ୍ତି ଯେ, ଦେଶ ଭିତରେ କୋଇଲା ଖଣି ବନ୍ଦ ପଡ଼ିଛି। ଆମେ ବିଦେଶରୁ କୋଇଲା ଆମଦାନି କରୁଛେ। ଏସବୁ କିଛି କୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ହୋଇଛି। କଲମ‌ରେ କିଛି ଧାଡ଼ିର ଲେଖିଦେଇ କୋର୍ଟ କୋଇଲା ଖଣିଗୁଡ଼ିକୁ ବନ୍ଦ କରିଦେଲେ। ଏଭଳିକି ମାମଲାଗୁଡ଼ିକ କେତେ ଦୃଢ଼ ତାହାକୁ ମଧ୍ୟ ବିଚାରକୁ ନିଆଗଲା ନାହିଁ। କୋଇଲା କ୍ଷେତ୍ରରେ ନିବେଶ ହୋଇଥିବା ବିଦେଶୀ ପୁଞ୍ଜି ପଡ଼ିରହିଲା। ଏହା ପରେ ଇଣ୍ଡୋନେସିଆ ଓ ଅନ୍ୟ ଦେଶର କୋଇଲା ଶସ୍ତା ହୋଇଗଲା। ସେଥିପାଇଁ କୋଇଲା ଆମଦାନି ବଢ଼ିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର