ଟାଟା ସହ ଲଢ଼େଇରେ ସାଇରସ୍‌ଙ୍କୁ ଝଟ୍‌କା

ମୁମ୍ବାଇ: ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିଦା ହୋଇଥିବା ସାଇରସ୍‌ ମିସ୍ତ୍ରୀଙ୍କୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌୍‌ସିଏଲ୍‌ଟି), ମୁମ୍ବାଇ ବଡ଼ ଝଟ୍‌କା ଦେଇଛି। ଟାଟା ବିରୋଧରେ ସେ ଯେଉଁ ଆବେଦନ କରିଥିଲେ ତାହାକୁ ଟ୍ରିବ୍ୟୁନାଲ୍‌ ଖାରଜ କରିଦେଇଛନ୍ତି।
୨୦୧୬ରେ ଏନ୍‌ସିଏଲ୍‌ଟିରେ ସାଇରସ୍‌ ଏହି ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ୍‌ କହିଛନ୍ତି ଯେ, ଅଧ୍ୟକ୍ଷଙ୍କୁ ହଟାଇବାର ପୂର୍ଣ୍ଣ ଅଧିକାରୀ କଂପାନି ବୋର୍ଡର ରହିଛି। ବିଶ୍ୱାସର ଅଭାବ ହେବାରୁ ସାଇରସ୍‌ଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଏଥି ସହିତ ସାଇରସ୍‌ଙ୍କ ଆବେଦନକୁ ଟ୍ରିବ୍ୟୁନାଲ୍‌ ଖାରଜ କରିଦେଇଛନ୍ତି। ଏନ୍‌ସିଏଲ୍‌ଟି, ମୁମ୍ବାଇର ଏହି ନିଷ୍ପତ୍ତିକୁ ଟାଟା ସନ୍ସ ପକ୍ଷରୁ ସ୍ୱାଗତ କରାଯାଇଛି। କିନ୍ତୁ ଟାଟା ଓ ସାଇରସ୍‌ଙ୍କ ମଧ୍ୟରେ ଯେଉଁ ବିବାଦ ଚାଲିଛି ତାହା ଏହିଠାରେ ଶେଷ ହେଉନାହିଁ। ଏହି ବିବାଦ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ। ତାହାର ସଙ୍କେତ ଆଜି ମିଳିଛି। ମୁମ୍ବାଇ ଟ୍ରିବ୍ୟୁନାଲ୍‌ଙ୍କ ନିଷ୍ପତ୍ତିକୁ ଏନ୍‌ସିଏଲ୍‌ଟି, ନୂଆଦିଲ୍ଲୀରେ ଚ୍ୟାଲେଞ୍ଜ କରିବାକୁ ସାଇରସ୍‌ ନିଷ୍ପତ୍ତି ନେଇଛନ୍ତି।
କିଛି ଚର୍ଚ୍ଚିତ କର୍ପୋରେଟ୍‌ ବିବାଦ
୧-ଅମ୍ବାନି ଭ୍ରାତା
ସମ୍ପତ୍ତିକୁୁ ନେଇ ଧୀରୁଭାଇ ଅମ୍ବାନିଙ୍କ ଦୁଇ ପୁଅ ମୁକେଶ ଓ ଅନିଲ ଅମ୍ବାନିଙ୍କ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିଲା। ଦୀର୍ଘଦିନ ଏହି ଝଗଡ଼ା ଲାଗି ରହିବା ପରେ ବାପାଙ୍କ ବ୍ୟବସାୟକୁ ଦୁଇ ଭାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।
୨-ଇନ୍‌ଫୋସିସ୍‌ ଝଗଡ଼ା
ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣମୂର୍ତ୍ତି ଓ ପୂର୍ବତନ ସିଇଓ ବିଶାଲ୍‌ ସିକ୍କାଙ୍କ ମଧ୍ୟରେ ଝଗଡ଼ା ସାରା ଦେଶରେ ଚର୍ଚା ସୃଷ୍ଟି କରିଥିଲା।
୩-ୟେସ୍‌ ବ୍ୟାଙ୍କ ବିବାଦ
ୟେସ୍‌ ବ୍ୟାଙ୍କର ସହ ପ୍ରତିଷ୍ଠାତା ଅଶୋକ କପୁରଙ୍କ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହେବା ପରେ ଏହାର ମୁଖ୍ୟ ରାଣା କପୁରଙ୍କୁ ବିବାଦ ସାମ୍ନା କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର