ମିଛ ଖବରକୁ ଅଟକାଇବା ଏକ ରକେଟ ସାଇନ୍ସ ନୁହେଁ, ହ୍ଵାଟ୍ସଆପକୁ ସରକାରଙ୍କ ଜବାବ

ନୂଆଦିଲ୍ଲୀ : ସରକାର ଆଜି ପୁଣି ଥରେ ହ୍ଵାଟ୍ସଆପକୁ ଚେତାବନୀ ଶୁଣାଇଛନ୍ତି । କେଉଁ ସ୍ଥାନରେ ଗୁଜବ ସୃଷ୍ଟିକାରୀ ମିଥ୍ୟା ମେସେଜ ପଠାଯାଉଛି ତାକୁ ଠାବ କରି ନିୟନ୍ତ୍ରଣ କରିବା ଏକ ରକେଟ ସାଇନ୍ସ ନୁହେଁ ଯେ ତାହାକୁ କରିହେବ ନାହିଁ । ଏକଥା କହିଛନ୍ତି କେନ୍ଦ୍ର ଟେଲିକମ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ସେ କହିଛନ୍ତି ଯେ ଭାରତରେ ସୋସିଆଲ ମିଡିଆ କମ୍ପାନିମାନେ ପ୍ରବଳ ବ୍ୟବସାୟ କରି ଲାଭ କମାଉଛନ୍ତି, କିନ୍ତୁ ସେମାନେ ନିଜର ସାମାଜିକ ଦାୟିତ୍ୱ ଭୁଲିବା ଉଚିତ ନୁହେଁ । ଯଦି କୌଣସି ରାଜ୍ୟର କୌଣସି ସ୍ଥାନରେ ବିପୁଳ ସଂଖ୍ୟାରେ ମେସେଜ ଛଡା ଯାଉଛି, ଟେକନଲୋଜୀ ସାହାଯ୍ୟରେ ତାହାକୁ ଠାବ କରି ନିୟନ୍ତ୍ରଣ କରିବା କିଛି କଷ୍ଟକର ନୁହେଁ । ସୂଚନାଯୋଗ୍ୟ ଯେ ହ୍ଵାଟ୍ସଆପରେ ବ୍ୟାପୀଥିବା ଏକ ପିଲାଚୋରୀ ଗୁଜବକୁ ନେଇ ଦେଶର ଅନେକ ରାଜ୍ୟରେ ଅଜଣା ଅଚିହ୍ନା ଲୋକମାନଙ୍କୁ ସ୍ଥାନୀୟ ଲୋକମାନେ ବେଶ ଟାର୍ଗେଟ କରିଥିଲେ । ଏହି ଘଟଣାରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପରି ଘଟଣାକୁ ନେଇ ଗତକାଲି ଆଇଟି ମନ୍ତ୍ରାଳୟ ପକ୍ଷରୁ ଏସବୁ ଗୁଜବ ସୃଷ୍ଟି କରୁଥିବା ଖବରକୁ ନିୟନ୍ତ୍ରଣ କରିବାକୁ ହ୍ଵାଟ୍ସଆପକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ଭବିଷ୍ୟତରେ ଯେପରି ମିଥ୍ୟା ଖବର ନ ବ୍ୟାପେ ସେଥିପାଇଁ ଉପଯୁକ୍ତ ପ୍ରଯୁକ୍ତିର ବ୍ୟବହାର କରି ପଦକ୍ଷେପ ନେବାକୁ ହ୍ଵାଟ୍ସଆପକୁ ସରକାର କହିଥିଲେ । ଏହାର ଜବାବର ରଖି ଆଜି ହ୍ଵାଟ୍ସଆପ କହିଥିଲା ଯେ ଗୁଜବ ସୃଷ୍ଟି କାରୀ ଖବରଗୁଡ଼ିକୁ ନିୟନ୍ତ୍ରଣ କରିବାକୁ କମ୍ପାନି କାର୍ଯ୍ୟକରୁଛି । ଏହାକୁ ଫଳପ୍ରଦଭାବେ ନିୟନ୍ତ୍ରଣ କରିବାକୁ ହେଲେ ସରକାର, ସମାଜ ଓ ପ୍ରଯୁକ୍ତ କମ୍ପାନିମାନଙ୍କର ମିଳିତ ଉଦ୍ୟମ ଲୋଡା ।

ସମ୍ବନ୍ଧିତ ଖବର