ମାସକରେ ତାଳଚେର ସାର କାରଖାନା କାମ ଆରମ୍ଭ ହେବ

ଆର୍‌ସିଏଫ୍‌କୁ କେନ୍ଦ୍ର ଦେଲା ହଜାରେ କୋଟି

ନୂଆଦିଲ୍ଲୀ: ସେପ୍ଟେମ୍ବର ଶେଷ ସୁଦ୍ଧା ତାଳଚେର ସାର କାରଖାନାର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯିବ। ଚଳିତ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ କାରଖାନାରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତାଳଚେର ସାର କାରଖାନା ପାଇଁ ରାଷ୍ଟ୍ରିୟ କେମିକାଲକ୍ସ ଆଣ୍ଡ୍‌ ଫର୍ଟିଲାଇଜର୍‌ (ଆର୍‌ସିଏଫ୍‌)କୁ ସରକାର ୧୦୩୩.୫୪ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିଛନ୍ତି। ସାର ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ଦେଇଥିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି।

ଏହି ପ୍ରକଳ୍ପ ବିଷୟରେ ଆର୍‌ସିଏଫ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଉମେଶ ଧତ୍ରକ୍‌ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହେବା ପରେ କାରଖାନା ସ୍ଥାପନ କାର୍ଯ୍ୟ ଆରମ୍ଭ କରାଯିବ। ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୧୨.୭ ନିୟୁତ ଟନ୍‌ ହେବ। ୨୦୦୨ ପରଠାରୁ ତାଳଚେର ସାର କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହାକୁ ପୁନରୁଦ୍ଧାର କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଏହି କାରଖାନା ସ୍ଥାପନ କାର୍ଯ୍ୟ ଆରମ୍ଭ ହେବା ପରେ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ଧତ୍ରକ୍‌ କହିଛନ୍ତି। ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ତାଳଚେର ଫର୍ଟିଲାଇଜର୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥା ଗଠନ କରାଯାଇଛି। ଗେଲ୍‌, କୋଲ୍‌ ଇଣ୍ଡିଆ, ଆର୍‌ସିଏଫ୍‌ ଓ ଫର୍ଟିଲାଇଜର୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଭଳି ଚାରିଟି ସରକାରୀ ଉଦ୍ୟୋଗର ମିଳିତ ଉଦ୍ୟମରେ ଏହି ସଂସ୍ଥାକୁ ୨୦୧୫ ନଭେମ୍ବରରେ ଗଠନ କରାଯାଇଥିଲା। କୋଇଲାରୁ ଗ୍ୟାସ୍‌ ବାହାର କରି ଏହି କାରଖାନାରେ ବ୍ୟବହାର କରାଯିବ। ଏହି ପ୍ରକଳ୍ପରେ ୧୧,୬୧୧.୪୮ କୋଟି ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର