ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତି ଲକ୍ଷ୍ୟ, ଓଡ଼ିଶା ବ୍ୟାଙ୍କ ଶାଖାରୁ ପ୍ରସ୍ତାବ ସଂଗ୍ରହ ଆରମ୍ଭ

ମାସେ ପର୍ଯ୍ୟନ୍ତ ଚାଲିବ ଅଭିଯାନ, ରିପୋର୍ଟ କେନ୍ଦ୍ର ପାଖକୁ ପଠାଯିବ

ଭୁବନେଶ୍ବର: ଆସନ୍ତା ପାଞ୍ଚ ବର୍ଷ ଭିତରେ ଦେଶର ଅର୍ଥନୀତିକୁ ପାଞ୍ଚ ଟ୍ରିଲିଅନ ଡଲାରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ସରକାର କାମ ଆରମ୍ଭ କରିଦେଇଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା‌ରେ ସରକାରୀ ବ୍ୟାଙ୍କଗୁଡ଼ିକ କ’ଣ ସହଯୋଗ ପ୍ରଦାନ କରିପାରିବେ ତାହା ଜାଣିବା ଲାଗି ପ୍ରତିଟି ଶାଖା ସ୍ତରରୁ ସମୀକ୍ଷା ଆରମ୍ଭ କରାଯାଇଛି। ଏହି ଅଭିଯାନ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶାଖାଗୁଡ଼ିକର ବିଭିନ୍ନ କ୍ଷେତ୍ରରେ ଥିବା ବିଶେଷ ଅଭିଜ୍ଞତାକୁ ଜାଣିବା ଓ ବ୍ୟାଙ୍କ ସେବାକୁ ଉନ୍ନତ କରିବା ଲାଗି ନୂତନ ଚିନ୍ତାଧାରା ସୃଷ୍ଟି କରିବା। ବ୍ୟାଙ୍କ ସେବାକୁ ଅଧିକ ଉନ୍ନତ କରିବା ଲାଗି ପ୍ରତିଟି ସ୍ତରରୁ ପ୍ରସ୍ତାବ ଆସୁ ବୋଲି ସରକାର ଚାହୁଛନ୍ତି। ସେଥିଲାଗି ଶାଖା ସ୍ତରରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଶାଖା ସ୍ତରରେ ପ୍ରତିଟି ସରକାରୀ ବ୍ୟାଙ୍କ ଯେଉଁ ସମୀକ୍ଷା କରିବେ ତାହାର ଏକ ରିପୋର୍ଟ ଜୋନାଲ୍ ଅଫିସ୍‌କୁ ପଠାଇବେ। ସେହି ରିପୋର୍ଟ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍‌ବିସି) ଦେଇ କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗ ପାଖରେ ପହଞ୍ଚିବ। ସବୁ ସରକାରୀ ବ୍ୟାଙ୍କର ରିପୋର୍ଟ ମିଳିବା ପରେ ତାହାକୁ ନଜରରେ ରଖି ସରକାର ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବେ।

ଆଜି ଓଡ଼ିଶାରେ କାରବାର କରୁଥିବା ସରକାରୀ ବ୍ୟାଙ୍କଗୁଡ଼ିକ ଶାଖା ସ୍ତରରୁ ନିଜର ସମୀକ୍ଷା‌ ଓ କର୍ମଶାଳା ଆରମ୍ଭ କରିଛନ୍ତି। ଏହି ଅଭିଯାନର ଅଂଶସ୍ବରୂପ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସିଣ୍ଡିକେଟ୍ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ ଓ ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ଶାଖା ସ୍ତରୀୟ ସମୀକ୍ଷା ବୈଠକରେ ଡିଜିଟାଲ୍ କାରବାର, ଏମଏସଏମଇ, ଶିକ୍ଷା, ଖୁଚୁରା, କୃଷି, ମୁଦ୍ରା ଋଣ ଆଦି ଉପରେ ଆଲୋଚନା ହୋଇଛି। ବରିଷ୍ଠ ନାଗରିକ, ଚାଷୀ, କ୍ଷୁଦ୍ର ଶିଳ୍ପ, ଉଦ୍ୟୋଗୀ, ଛାତ୍ରଛାତ୍ରୀ ଓ ମହିଳାଙ୍କ ଅଭିଳାଷ ପୂରଣ କରିବା ଦିଗରେ ବ୍ୟାଙ୍କ କ’ଣ ସବୁ ପଦକ୍ଷେପ ଗ୍ରହଣ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା।

ସେଣ୍ଟ୍ରାଲ୍ ବ୍ୟାଙ୍କ ପକ୍ଷରୁ ଏହାର ସମସ୍ତ ୫୮ଟି ଶାଖାର ସମୀକ୍ଷା ଆରମ୍ଭ ହୋଇଛି। ସିଣ୍ଡିକେଟ୍‌ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟରେ ମଧ୍ୟ ନୂତନ ଦିଗନ୍ତ ଉନ୍ମୋଚନ ଏବଂ ଆଲୋଚନା ଉପରେ କର୍ମଶାଳା ଆୟୋଜନ କରାଯାଇଥିଲା ଯେଉଁଥିରେ ସମସ୍ତ ଶାଖା ଯୋଗ ଦେଇଥିଲେ। ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ଶାଖାମାନଙ୍କୁ ସମ୍ପୃକ୍ତ କରାଇ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା।
ସେଣ୍ଟ୍ରାଲ୍ ବ୍ୟାଙ୍କ ତରଫରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ବ୍ୟାଙ୍କର ଡିଜିଏମ୍ (ଡିଜିଟାଲ୍ ପେମେଣ୍ଟ୍‌ ଆଣ୍ଡ୍‌ ଟ୍ରାଞ୍ଜାକ୍ସନ ବ୍ୟାଙ୍କିଙ୍ଗ) ଶୈଳେନ୍ଦ୍ର ଧଳ, ଏସ୍‌ଆର୍‌ଏମ୍ ସୋହେଲ୍ ଅହମ୍ମଦ ଓ ଏଜିଏମ୍ ଏସ୍‌ ଏସ୍‌ ଏଚ୍‌ ଆୟୁବି, ସିଣ୍ଡିକେଟ୍‌ ବ୍ୟାଙ୍କ କାର୍ଯ୍ୟକ୍ରମରେ ଭୁବନେଶ୍ବର କ୍ଷେତ୍ରର ଉପ ଆଞ୍ଚଳିକ ପ୍ରବନ୍ଧକ ମୁରଲୀଧର ବେହେରା, କାନାରା ବ୍ୟାଙ୍କ କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ମୁଖ୍ୟ ଏ କେ ସିଂହ, ୟୁନିଅନ ବ୍ୟାଙ୍କ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ମାନସ ରଞ୍ଜନ ବିଶ୍ବାଳ ଓ ଭୁବନେଶ୍ବର କ୍ଷେତ୍ରର ଉପ ମହାପ୍ରବନ୍ଧକ ରୂପ ଲାଲ ମୀନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର